ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପୁର ଉପନିର୍ବାଚନବେଳେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇଙ୍କ ଉପରକୁ ଆକ୍ରମଣ ଘଟଣାରେ ଗିରଫ ହୋଇଛନ୍ତି ବିଜେପି ନେତା ଜୟନାରାୟଣ ମିଶ୍ର।

ବନବିରା ଗୁଳିକାଣ୍ଡ ଘଟଣାରେ ଗିରଫ ହୋଇଛନ୍ତି ବିଜେପି ନେତା ଜୟନାରାୟଣ ମିଶ୍ର। ପଦ୍ମପୁର ଏସଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ତାଙ୍କ ବାସଭବନକୁ ଏକ ଟିମ୍ ଯାଇ ଜୟନାରାୟଣ ମିଶ୍ର ଓ ତାଙ୍କର ଜଣେ ସହଯୋଗୀ ଶିବୁ ଦିୱାନଙ୍କୁ ମଧ୍ୟ ପଚରାଉଚରା କରି ଗିରଫ୍ କରିଥିଲା। ଏହି ଘଟଣାରେ ପୁଲିସ ପୂର୍ବରୁ ୬ଜଣଙ୍କୁ ଗିରଫ କରିଛି।

“ଏହି ଘଟଣାରେ କୌଣସି ରାଜନୈତିକ ଅଭିସନ୍ଧି ନାହିଁ ବୋଲି ସୁଶାନ୍ତ କହିଛନ୍ତି। ଆଇନ ତା’ ବାଟରେ ଯିବ। ଯିଏ ଦୋଷୀ ତାକୁ ଗିରଫ କରାଯିବ। ତଦନ୍ତ ଆଧାରରେ ତାଙ୍କୁ ଅଟକ ରଖାଯାଇଛି ଏବଂ ଘଟଣା ପରଠୁ ସେ ଫେରାର ଥିଲେ” କହିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ।

ଫେବୃଆରୀ ୨୨ ତାରିଖ ରାତିରେ ବରଗଡ ଜିଲ୍ଲା ସୋହେଲା ବ୍ଲକ ବନାବିରା ଅଞ୍ଚଳରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ ସୁବ୍ରତ ସିଂହ ଓ ତାଙ୍କର ସହଯୋଗୀଙ୍କ ଉପରେ ଗୁଳିମାଡ ହୋଇଥିଲା । ଏଥିରେ ସୁବ୍ରତ ସିଂ ଆହତ ହୋଇଥିବା ବେଳେ କଟକ ବଡ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଡ୍ରାଇଭରର ମୃତ୍ୟୁ ହୋଇଥିଲା ।

ପୂର୍ବରୁ ଏହି ଘଟଣାରେ ବିଜେପିର ସମ୍ପୃକ୍ତି ରହିଛି ବୋଲି ସୁଶାନ୍ତ ସିଂହ ଅଭିଯୋଗ କରିଥିଲେ। ଏହି ଆଧାରରେ ପୋଲିସ ଘଟଣା ପ୍ରକୃତ ଦୋଷୀ ଖୋଜିବା ପାଇଁ ଲାଗିପଡ଼ିଛି।

“ମୁଁ ଘଟଣାରେ ଆଦୌ ସମ୍ପୃକ୍ତ ନାହିଁ। ଜବରଦସ୍ତି ମୋତେ ଗିରଫ କରାଯାଉଛି। ଘଟଣାର ତଦନ୍ତରେ ସହଯୋଗ କରିବାକୁ ପ୍ରସ୍ତୁତ। ମୁଁ ନିର୍ଦ୍ଦୋଷ ବୋଲି ସମସ୍ତ ପ୍ରମାଣ ମୋ ପାଖରେ ଅଛି”, କହିଛନ୍ତି ଜୟନାରାୟଣ ମିଶ୍ର।

ଜୟନାରାୟଣଙ୍କ ଗିରଫ ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି।

“ଜୟନାରାୟଣ ମିଶ୍ରଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ। ଘଟଣା ତଦନ୍ତ ସାପକ୍ଷ୍ୟ। ଯଦି ନିଜକୁ ଦୋଷୀ ଭାବିଥାନ୍ତେ ଜୟନାରାୟଣ ମିଶ୍ର ଫେରାର ହୋଇଯାଇଥାନ୍ତେ। ସେ ଘରେ ଥିବା ବେଳେ ତାଙ୍କୁ ଉଠାଇ ନିଆଯାଇଛି। ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ଏଭଳି ଉଠାଇନେବା ନିନ୍ଦନୀୟ ବୋଲି କହିଛନ୍ତି ବସନ୍ତ ପଣ୍ଡା । ଶାସକ ଦଳ ରକ୍ତମୁଖା ହୋଇଯାଇଛି। ଏଭଳି ଗିରଫର ପ୍ରତିବାଦ କରି ସାରା ରାଜ୍ୟରେ ସତ୍ୟାଗ୍ରହ କରାଯିବ”, କହିଛନ୍ତି ବିଜେପି ସଭାପତି ବସନ୍ତ ପଣ୍ଡା।

Comment