ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ତିନି ବିଜେଡି ପ୍ରାର୍ଥୀ। ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଡକ୍ଟର ଅଚ୍ୟୁତ ସାମନ୍ତ ରାଜ୍ୟସଭାକୁ ଯାଇଥିବା ରିଟର୍ଣ୍ଣିଂ ଅଫିସର କହିଛନ୍ତି। ଦୁଇ ରାଜ୍ୟସଭା ପ୍ରାର୍ଥୀ ପ୍ରଶାନ୍ତ ନନ୍ଦ ଏବଂ ସୌମ୍ୟରଞ୍ଜନ ପଟ୍ଟନାୟକ ରିଟର୍ଣ୍ଣିଂ ଅଫିସରଙ୍କଠାରୁ ସାର୍ଟିଫିକେଟ ଗ୍ରହଣ କରିଛନ୍ତି। ଅଚ୍ୟୁତ ସାମନ୍ତ ଅନୁପସ୍ଥିତ ଥିବାରୁ ସେ ସାର୍ଟିଫିକେଟ୍ ଗ୍ରହଣ କରି ନାହାନ୍ତି।
ବିଜେଡିର ବିଧାନସଭା ସଦସ୍ୟଙ୍କ ସଂଖ୍ୟା ଅଧିକ ରହିଥିବାରୁ ବିଜେଡି ପ୍ରାର୍ଥୀ ବିଧାନସଭାକୁ ଯିବା ନିଶ୍ଚିତ ହୋଇଯାଇଥିଲା। ବିଧାନସଭାରେ ସଦସ୍ୟ ସଂଖ୍ୟା କମ ଥିବାରୁ ଅନ୍ୟ ଦଳ ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ଦେଇ ନଥିଲେ। କେବଳ ସୁବାସ ମହାପାତ୍ର ନାମକ ଜଣେ ବ୍ୟକ୍ତି ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଥିଲେ। ହେଲେ ତାଙ୍କର କେହି ପ୍ରସ୍ତାବକ ଏବଂ ସମର୍ଥକ ନଥିବାରୁ ସୁବାସଙ୍କର ପ୍ରାର୍ଥିପତ୍ର ଖାରଜ ହୋଇ ଯାଇଥିଲା।
ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, “ରାଜ୍ୟର ପ୍ରମୁଖ ସମସ୍ୟାକୁ ରାଜ୍ୟସଭାରେ ଉଠାଯିବ। ଚାଷୀ ସମସ୍ୟା ଏବଂ ଭାଷା ପ୍ରସଙ୍ଗରେ ମୁଁ ଯେଉଁ କାମ କରୁଥିଲି ତାହା ଜାରି ରହିବ। ବିଭିନ୍ନ ପ୍ରସଙ୍ଗ ରାଜ୍ୟସଭାରେ ଉପସ୍ଥାପନ କରାଯିବ।”
ଏପ୍ରିଲରେ ଓଡ଼ିଶାର ୩ଟି ରାଜ୍ୟସଭା ଆସନ ଖାଲି ପଡ଼ୁଛି। ଏହି ଆସନ ପାଇଁ ମାର୍ଚ୍ଚ ୨୩ରେ ନିର୍ବାଚନ ହେବ ବୋଲି କମିଶନ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏଥିପାଇଁ ବିଜେଡି ପକ୍ଷରୁ ପ୍ରଶାନ୍ତ, ସୌମ୍ୟ ଏବଂ ଅଚ୍ୟୁତଙ୍କୁ ପ୍ରାର୍ଥୀ କରାଯାଇଥିଲା। ଏମାନେ ଆଜି ବିନା ପ୍ରତିଦ୍ୱନ୍ଦ୍ବିତାରେ ନିର୍ବାଚିତ ହୋଇଛନ୍ତି।


















