ଓଡ଼ିଶାଲାଇଭ୍ ବ୍ୟୁରୋ

- ଚାରି ବର୍ଷର ଏନଡିଏ ସରକାରକୁ ଝଟକା
- ପ୍ରଥମ ଥର ପାଇଁ ଟିଡିପି ଛାଡ଼ିଲା ବିଜେପି ହାତ
- ବିଜେପି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ
ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରକୁ ଲାଗିଛି ଜୋରଦାର ଝଟକା। ଆନ୍ଧ୍ର ପ୍ରଦେଶର ତେଲୁଗୁ ଦେଶମ ପାର୍ଟି(ଟିଡିପି) ଏନଡିଏ ହାତ ଛାଡ଼ିଦେଇଛି। ଏହି ମଉକାରେ ଟିଡିପିର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ୱାଇଏସ୍ଆର୍ କଂଗ୍ରେସ ବିଜେପିକୁ ଅଡ଼ୁଆରେ ପକାଇବା ପାଇଁ ଉଦ୍ୟମ କରିଛି। ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପରେ ହଲ୍ଚଲ୍ ହୋଇଯାଇଛି ଜାତୀୟ ରାଜନୀତି।
୨୦୧୪ ଲୋକସଭା ନିର୍ବାଚନରେ ଏନଡିଏ ମେଣ୍ଟରେ ସାମିଲ ହୋଇଥିଲା ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି। ଆନ୍ଧ୍ରପ୍ରଦେଶରେ ଏହି ଦଳ ୧୬ଟି ଲୋକସଭା ଆସନ ପାଇଥିବା ବେଳେ ୱାଇଏସ୍ ଆର୍ କଂଗ୍ରେସ ପାଇଥିଲା ୯ଟି। ସାରା ଦେଶରେ କେବଳ ବିଜେପି ପାଇଥିଲା ୨୭୫ଟି ଆସନ। ଏନଡିଏର ୫୬ ଜଣ ସାଂସଦଙ୍କ ସମର୍ଥନରେ ବିଜେଡି ନେତୃତ୍ୱାଧୀନ ଏନଡିଏ ସରକାର ଗଠନ କରିଥିଲା।
୪ ବର୍ଷ ପରେ ସ୍ଥିତି ବଦଳି ଯାଇଛି। ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ଟିଡିପି ଦାବି କରିବାରୁ ଏଥିରେ ରାଜି ହୋଇ ନଥିଲେ କେନ୍ଦ୍ର ସରକାର। ଏହାକୁ ନେଇ ଟିଡିପି ସାଂସଦ ସଂସଦରେ କରିଥିଲେ ହଙ୍ଗାମା। ସଂସଦ ଭିତରେ ଏବଂ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆନ୍ଧ୍ର ପ୍ରଦେଶରେ ବି ପ୍ରତିବାଦ କରିଥିଲେ। ଦୁଇ ସପ୍ତାହ ତଳେ ଏନଡିଏ ସରକାରରେ ଥିବା ଟିଡିପିର ଦୁଇ ଜଣ ସାଂସଦ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ହେଲେ ଆଜି ଟିଡିପି ସମ୍ପୂର୍ଣ୍ଣ ଭାବେ ଏନଡିଏ ମେଣ୍ଟରୁ ଓହରି ଯାଇଛି।
ଟିଡିପିର ୧୬ ଜଣ ସାଂସଦ ଏନଡିଏ ସରକାରରୁ ଓହରିଯିବା ପରେ ୱାଇଏସ୍ଆର୍ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଗତ କରିଛି। ଅନାସ୍ଥା ପ୍ରସ୍ତାବ ଗ୍ରହଣ ପାଇଁ ୫୦ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ। ଟିଡିପି ଏବଂ ୱାଇଏସ୍ଆର୍ କଂଗ୍ରେସର ସାଂସଦ ସଂଖ୍ୟା ହେଉଛି ୨୫। ଆଉ ୧୫ ଜଣ ସାଂସଦଙ୍କ ସମର୍ଥନ ଆବଶ୍ରକ ପଡ଼ୁଥିବାରୁ ବାମ ଦଳ, କଂଗ୍ରେସ ଭଳି ବିଜେପି ବିରୋଧୀ ଦଳ ଏଥିରେ ହାତ ମିଳାଇବା ପାଇଁ ଇସାରା ଦେଇଛନ୍ତି।
ବିଜେପି ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଅକ୍ତିଆର କରି ଚାଲିଛି। ୨୯ଟି ରାଜ୍ୟରୁ ବିଜେପି ବର୍ତ୍ତମାନ ୨୧ଟି ରାଜ୍ୟରେ ଶାସନ କରୁଛି। ଏଭଳି ଏକ ସମୟରେ ଟିଡିପି ଏନଡିଏରୁ ଓହରିଯିବା ପ୍ରସଙ୍ଗ ଜାତୀୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି। ଆଗକୁ ୨୦୧୯ ନିର୍ବାଚନ ଆସୁଥିବାରୁ ଟିଡିପିର ସମର୍ଥନ ପ୍ରତ୍ୟାହାର ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ରାଜନୀତି କରିଡରେ ଚର୍ଚ୍ଚା ହେଉଛି।


















