ଓଡ଼ିଶାଲାଇଭ୍ ବ୍ୟୁରୋ

corona test

କରୋନା ସଂକ୍ରମଣରେ ଭାରତ ବିଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି। ଏହି ହାରରେ ସଂକ୍ରମଣ ବଢ଼ିବା ଜାରି ରହିଥିଲେ, ଶୀଘ୍ର ଆମେରିକାକୁ ମଧ୍ୟ ପଛରେ ପକାଇବାର ଆଶଙ୍କା ରହିଛି। ଏ ପରିସ୍ଥିତିରେ ଆଜି ବି କରୋନା ପରୀକ୍ଷଣ ଦେଶ ପାଇଁ ଗୋଟେ ବଡ଼ ସମସ୍ୟା ରହିଛି। ଆରଟିପିସିଆର ଟେଷ୍ଟ ପାଇଁ ଅଧିକ ସମୟ ଲାଗୁଥିବା ବେଳେ ଆଣ୍ଟିଜେନ ଟେଷ୍ଟର ରିପୋର୍ଟକୁ ନେଇ ବହୁତ ସନ୍ଦେହ ରହୁଛି।

Coronavirus blood test

ଏ ପରିସ୍ଥିତିରେ ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ଫେଲୁଦା କିଟ୍ ପୂରା ଖେଳ ଓଲଟାଇବାର କ୍ଷମତା ରଖିଥିବା ଦାବି କରାଯାଉଛି। ମାତ୍ର ଘଣ୍ଟାକରେ ମିଳିବ ରିପୋର୍ଟ, ଆଉ ଗୋଟେ ଟେଷ୍ଟ ପାଇଁ ଖର୍ଚ୍ଚ ହେବ ମାତ୍ର ୫ଶହ ଟଙ୍କା। ଯେଉଁଠି ଆରଟିପିସିଆର ଟେଷ୍ଟ ପାଇଁ ୨୪ଶହ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଥିବା ବେଳେ, କରୋନା ମୁକାବିଲା କ୍ଷେତ୍ରରେ ଆର୍ଥିକ ଚାପ ପ୍ରବଳ ରହୁଛି। ଏ ଟେଷ୍ଟିଂ କିଟର ବ୍ୟବାସାୟିକ ଉତ୍ପାଦନ ପାଇଁ ଟାଟା କମ୍ପାନି ଆଗେଇ ଆସିଛି। ଆଉ ଉତ୍ପାଦନ ପାଇଁ ସରକାରଙ୍କ ଅନୁମତି ମଧ୍ୟ ମିଳିସାରିଛି। ଏହାର ପରୀକ୍ଷଣ ବେଶ ସରଳ, ବିଶ୍ୱସନୀୟ ବୋଲି କହିଛନ୍ତି କେନ୍ଦ୍ର ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତା କେ ବିଜୟ ରାଘବନ।

ଆଜିଆଇବି ଦ୍ୱାରା ବିକଶିତ ଏହି ଟେଷ୍ଟିଂ କିଟର ପରୀକ୍ଷଣରୁ ବେଶ ଭଲ ଫଳାଫଳ ସହ ସଠିକ ରିପୋର୍ଟ ଆସୁଥିବାରୁ ଆଗାମୀ ଦିନରେ କରୋନା ମୁକାବିଲା କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି। ଗବେଷକଙ୍କ ମତରେ ୯୬ ପ୍ରତିଶତ ପର୍ଯ୍ୟନ୍ତ ସଠିକ ରିପୋର୍ଟ ଆସୁଛି। ୨ହଜାରରୁ ଅଧିକ ରୋଗୀଙ୍କ ନମୁନା ଏହି ଫେଲୁଦା କିଟରେ କରାଯାଇଥିଲା।  ସେମାନଙ୍କ ମଧ୍ୟରୁ ବହୁ କରୋନା ପଜିଟିଭ୍ ଚିହ୍ନଟ ରୋଗୀ ମଧ୍ୟ ଥିଲେ। ସେମାନଙ୍କ ରିପୋର୍ଟ ଏଥିରେ ସମାନ ଆସିଲା। ତେଣୁ ଏହାକୁ ସମ୍ପୂର୍ଣ୍ଣ ରୂପେ ବିଶ୍ୱାସ କରାଯାଇପାରିବାର ବିଶ୍ୱାସ ସୃଷ୍ଟି ହେଲା ପରେ କେନ୍ଦ୍ର ସରକାର ଏହାର ଉତ୍ପାଦନ ପାଇଁ ଅନୁମତି ଦେଇସାରିଛନ୍ତି।

corona test

ପ୍ରଥମେ ଦେଶରେ ବହୁତ କମ ପରୀକ୍ଷଣ ହେଉଥିବା ବେଳେ ଏବେ ଦିନକୁ ୧୦ଲକ୍ଷରୁ ଅଧିକ ପରୀକ୍ଷଣ କରାଯାଉଛି। ଏ ଭିତରେ ଲକ୍ଷରେ ଅଧିକ ଲୋକ କରୋନାରେ ପ୍ରାଣ ହରାଇଲେଣି। ତେବେ ଦେଶରେ ମୁଖ୍ୟତଃ ୨ ପ୍ରକାର ପରୀକ୍ଷଣ ହେଉଛି। ଗୋଟେ ହେଉଛି ଆରଟିପିସିଆର। ଯେଉଁଥିରେ ସ୍ୱାବ ପରୀକ୍ଷଣ ହେଉଛି। ଆଉ ଗୋଟେ ହେଉଛି ରାପିଡ ଆଣ୍ଟିଜେନ ଟେଷ୍ଟ। କିନ୍ତୁ ଆରଟିପିସିଆର ଟେଷ୍ଟରେ ଅଧିକ ସଠିକ ରିପୋର୍ଟ ଆସୁଥିବାରୁ ଏହାକୁ ବିଶ୍ୱାସକୁ ନିଆଯାଉଛି। ଗୋଟିଏ ଟେଷ୍ଟରେ ୨୪ଶହ ଟଙ୍କା ପାଖାପାଖି ଖର୍ଚ୍ଚ ହେଉଥିବାରୁ ଏହା ବ୍ୟୟବହୁଳ ହେଉଛି। କିନ୍ତୁ ଫେଲୁଦା ଆସିଲେ ଏହା ପ୍ରଥମ ପେପର ବେସ୍ଡ଼ ଟେଷ୍ଟ ହେବ। ଏହାକୁ ସ୍ୱାବ ନମୁନାରେ ବୁଡ଼ାଇଲେ ମାତ୍ର ଘଣ୍ଟାକ ମଧ୍ୟରେ ସଠିକ ରିପୋର୍ଟ ଦେଖାଇବ। ଏହାଛଡ଼ା ଛୋଟ ଛୋଟ ଲାବୋରେଟୋରିରେ ମଧ୍ୟ ଏହାର ପରୀକ୍ଷଣ କରାଯାଇପାରିବ। ଅବଶ୍ୟ ନମୁନା ସଂଗ୍ରହ କରିବାର ଶୈଳୀ ଏକାପ୍ରକାର ରହିବ। କରୋନା ପାଇଁ ଔଷଧ ଓ ଟିକାର ଯେମିତି ଆବଶ୍ୟକତା ରହିଛି, ସେମିତି କମ ସମୟ ମଧ୍ୟରେ ସଠିକ ଟେଷ୍ଟ ରିପୋର୍ଟ ମିଳିବା ମଧ୍ୟ ଜରୁରୀ। ଏ ପରିସ୍ଥିତିରେ ଫେଲୁଦା ସମୟ ଓ ଅର୍ଥ ଉଭୟ ବଞ୍ଚାଇବାର ଯଥେଷ୍ଟ ସମ୍ଭାବନା ଥିବାରୁ, ଆଗାମୀ ଦିନରେ ସମଗ୍ର ବିଶ୍ୱରେ ମଧ୍ୟ ଏହା ଗ୍ରହଣୀୟ ହେବ ବୋଲି ଗବେଷକମାନଙ୍କ ମତ।

LEAVE A REPLY

Please enter your comment!
Please enter your name here