ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାମଗ୍ରୀ ଓ ସେବା ଟିକସ(ଜିଏସଟି)କୁ ସରଳ କରିବା ପାଇଁ ଲାଗିପଡ଼ିଥିବା ମୋଦି ସରକାରଙ୍କୁ ଝଟକା ଲାଗିଛି। ଭାରତର ଜିଏସଟି ବିଶ୍ଵର ସବୁଠୁ ଜଟିଳ ଟ୍ୟାକ୍ସ ପ୍ରଣାଳୀ ବୋଲି କହିଛି ବିଶ୍ଵ ବ୍ୟାଙ୍କ୍।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୪ବର୍ଷର ଶାସନ କାଳ ମଧ୍ୟରେ ଦେଶରେ ଜିଏସଟି ଲାଗୁ କରିବା ଥିଲା ଏକ ବଡ଼ ନିଷ୍ପତ୍ତି। ଗତବର୍ଷ ଜୁଲାଇ ୧ରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଥିଲା ସାମଗ୍ରୀ ଓ ସେବା ଟିକସ।

“ବିଶ୍ଵର ୧୧୫ଟି ଦେଶରେ ପରୋକ୍ଷ କର ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଏସବୁ ଦେଶ ଗୁଡ଼ିକ ମଧ୍ୟରେ ଭାରତର ଜିଏସ୍‌ଟି ହାର ଦ୍ୱିତୀୟ ସର୍ବାଧିକ। ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବିଶ୍ଵର ଅନ୍ୟତମ ଜଟିଳ ଟିକସ ବ୍ୟବସ୍ଥା”, ବିଶ୍ୱବ୍ୟାଙ୍କ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ଏହା କୁହାଯାଇଛି।

ଭାରତରେ ଶୂନ ପ୍ରତିଶତ ଟିକସ ହାରକୁ ମିଶାଇଲେ ଜିଏସ୍‌ଟି ହାରକୁ ୫ଟି ସ୍ଲାବ୍ କରାଯାଇଛି। ସେଗୁଡ଼ିକ ହେଲା ୦%, ୫%, ୧୨%, ୧୮% ଏବଂ ୨୮%। ଏତଦ୍‌ବ୍ୟତୀତ ସୁନା ଉପରୁ ୩ ପ୍ରତିଶତ ହାରରେ ଜିଏସ୍‌ଟି ଆଦାୟ କରାଯାଉଥିବାବେଳେ ମୂଲ୍ୟବାନ ପ୍ରସ୍ତର ଉପରୁ ୦.୨୫% ହାରରେ ଜିଏସ୍‌ଟି ଆଦାୟ କରାଯାଉଛି।

ଆଲକହଲ, ପେଟ୍ରୋଲିୟମ ଉତ୍ପାଦ, ରିଅଲ ଇଷ୍ଟେଟ ଉପରେ ଷ୍ଟାମ୍ପ ଡ୍ୟୁଟି ଏବଂ ବିଦ୍ୟୁତ ଶୁଳ୍କକୁ ଜିଏସ୍‌ଟି ପରିସର ବାହାରେ ରଖାଯାଇଛି। ରାଜ୍ୟ ସରକାରମାନେ ଏସବୁ ସାମଗ୍ରୀ ଓ ସେବା ଉପରେ ବିଭିନ୍ନ ହାରରେ ଟିକସ ଆଦାୟ କରୁଛନ୍ତି।

ବିଶ୍ୱରେ ୪୯ଟି ଦେଶରେ ଗୋଟିଏ ହାରରେ ଜିଏସ୍‌ଟି ଆଦାୟ କରାଯାଉଛି। ୨୮ଟି ଦେଶରେ ଦୁଇଟି ହାରରେ ଜିଏସ୍‌ଟି ଆଦାୟ କରାଯାଉଛି। ଭାରତକୁ ମିଶାଇ ୫ଟି ଦେଶ ଶୂନ ପ୍ରତିଶତ ଜିଏସ୍‌ଟି ହାରକୁ ବାଦ ଦେଲେ ୪ ଟ୍ୟାକ୍ସ ସ୍ଲାବ ଜିଏସ୍‌ଟି ଆଦାୟ କରୁଛନ୍ତି। ଯେଉଁସବୁ ଦେଶ ୪ ଟ୍ୟାକ୍ସ କିମ୍ବା ତାହାଠାରୁ ଅଧିକ ହାରରେ ଜିଏସ୍‌ଟି ଆଦାୟ କରୁଛନ୍ତି ସେଗୁଡ଼ିକ ହେଲେ ଇଟାଲି, ଲକ୍ସେମବର୍ଗ, ପାକିସ୍ତାନ ଓ ଘାନା।

ଦୀର୍ଘମିଆଦୀ ଭିତ୍ତିରେ ଜିଏସ୍‌ଟି ବାବଦରେ ଯେଉଁ ମୂଲ୍ୟ ଦେବାକୁ ପଡ଼ୁଛି ତାହା ତୁଳନାରେ ଲାଭ ଅଧିକ ରହିବ। ଆଇନକୁ ପାଳନ ସଂକ୍ରାନ୍ତ ବୋଝ ହ୍ରାସ କରିବା, ଏକାଧିକ ଟିକସ ହାରକୁ କମାଇବା ଏବଂ ଟିକସ ଛାଡ଼କୁ ସର୍ବନିମ୍ନ କରିବା ଆଦି ଉପରେ ଜିଏସ୍‌ଟିର ସଫଳତା ନିର୍ଭର କରେ ବୋଲି ବିଶ୍ୱବ୍ୟାଙ୍କ କହିଛି।

ଜିଏସ୍‌ଟି ବ୍ୟବସ୍ଥାର ବିଭିନ୍ନ ଦିଗ ସମ୍ପର୍କରେ ବ୍ୟବସାୟୀ, ଖାଉଟି, ଟିକସ ପେସାରେ ଥିବା ବ୍ୟକ୍ତି, ଟିକସ ପ୍ରଶାସନର ଅଧିକାରୀ ଏବଂ ରାଜନେତାମାନଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି ବୋଲି ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଛି।

Comment