ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ଜେଲ୍ ଯିବା ପରେ ବି ସଂକଟ ଟଳୁନାହିଁ। ଚାରା ଘୋଟାଲାର ଚତୁର୍ଥ କେସରେ ବି ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଲାଲୁ।

ଚାରା ଘୋଟାଲାର ଚତୁର୍ଥ କେସ୍‌ର ଶୁଣାଣି ହୋଇଛି। ରାଞ୍ଚିସ୍ଥିତ ସିବିଆଇର ସ୍ୱତନ୍ତ୍ର କୋର୍ଟ ଲାଲୁଙ୍କ ସମେତ ଅନ୍ୟ ୧୯ଜଣ ଏଥିରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ର ଓ ଅନ୍ୟ ୧୨ଜଣ ଏଥିରେ ଦୋଷମୁକ୍ତ ହୋଇଛନ୍ତି।

ପୂର୍ବରୁ ଚାରା ଘୋଟାଲାର ୩ଟି କେସରେ ଦୋଷୀ ସାବ୍ୟସ୍ତ ହୋଇ ରାଞ୍ଚିର ବିର୍ସାମୁଣ୍ଡା ଜେଲରେ ସଜା କାଟୁଛନ୍ତି ଲାଲୁ।

ସୋମବାର ମାମଲାର ଶୁଣାଣି ପାଇଁ ଲାଲୁ ପ୍ରସାଦ ଯାଦବଙ୍କୁ କୋର୍ଟରେ ହାଜର ହେବାକୁ କୁହଯାଇଥିଲା। ଜେଲରୁ କୋର୍ଟ ରୁମକୁ ଆସିବା ପୂର୍ବରୁ ହିଁ କୋର୍ଟ ଫଇସଲା ଶୁଣାଇ ଦେଇଥିଲେ। ଏହି କେସରେ ଦୋଷୀ ହୋଇଥିବା ଲାଲୁଙ୍କ ଉପରେ ଦଣ୍ଡବିଧାନର ଶୁଣାଣି ଆସନ୍ତା ୨୩ ତାରିଖରେ ହେବ।

୧୯୯୨-୯୩ ମସିହାରେ ଚାଇବାସା କୋଷାଗାରରେ ନକଲି କାଗଜପତ୍ର ମାଧ୍ୟମରେ ବେଆଇନ ଭାବେ ୩୩.୬୭ କୋଟି ଟଙ୍କା ହଡ଼ପ କରାଯିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ୧୯୯୬ରେ ମାମଲା ରୁଜୁ ହୋଇଥିଲା। ଘଟଣାରେ ମୋଟ ୭୬ଜଣ ଅଭିଯୁକ୍ତ ରହିଥିଲେ। ଏମାନଙ୍କ ମଧ୍ୟରେ ଅଛନ୍ତି ଲାଲୁ ପ୍ରସାଦ ଯାଦବ ଓ ବିହାର ପୂର୍ବ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ର। ମାମଲାର ଶୁଣାଣି ଜାରି ରହିଥିବାବେଳେ ୧୪ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଛି। ଏବଂ ୨ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିଲେ।

ଡିସେମ୍ବର ମାସରେ ଦେଓଘର କୋଷାଗାର ଦୁର୍ନୀତି ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇ ବିର୍ସା ମୁଣ୍ଡା ଜେଲରେ ସଜା କାଟୁଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଚାରା ଦୁର୍ନିତି ମାମଲାର ତଦନ୍ତ ଚଳାଇଛି।

Comment