ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡାଟା ଚୋରିକୁ ନେଇ ଝଡ଼ ବହିବା ପରେ ନିଜକୁ ଦାୟୀ କରିଛନ୍ତି ଫେସ୍‌ବୁକ୍‌ ସିଇଓ ମାର୍କ ଜୁକରବର୍ଗ। ଫେସ୍‌ବୁକ୍‌ ପ୍ଲାଟଫର୍ମରେ ଯାହା ବି ଘଟୁଛି ସେଥିପାଇଁ ମୁଁ ଦାୟୀ ବୋଲି କହିଛନ୍ତି ଜୁକରବର୍ଗ।

ଫେସ୍‌ବୁକ୍‌କୁ ଥମୁନି ଚର୍ଚ୍ଚା। ସବୁଠୁ ଅଧିକ ୟୁଜର୍ସ ବ୍ୟବହାର କରୁଥିବା ସୋସିଆଲ ମିଡିଆ ଫେସ୍‌ବୁକ୍‌କୁ ନେଇ କିଛିଦିନ ହେଲା ଲାଗି ରହିଛି ଚର୍ଚ୍ଚା। କେତେବେଳେ ଭାଇରାଲ ଭିଡିଓ ପୋଷ୍ଟକୁ ନେଇ ତ ପୁଣି କେତେବେଳେ ନକରାତ୍ମକ ଟିପ୍ପଣୀ ପୋଷ୍ଟକୁ ନେଇ ଫେସବୁକ୍‌ ରହିଛି ଚର୍ଚ୍ଚାରେ। ଏବେ ଫେସ୍‌ବୁକ୍‌ ଉପରେ ଲାଗିଛି ଆଉ ଏକ ଅଭିଯୋଗ।

ଫେସ୍‌ବୁକ୍‌ରୁ ଡାଟା ଚୋରି ହେଉଥିବା ଅଭିଯୋଗ ଆସିବା ପରେ ଫେସ୍‌ବୁକ୍‌ ସିଇଓ ମାର୍କ ଜୁକର ବର୍ଗ ମନ୍ତବ୍ୟ ଦେଇଛନ୍ତି। ଏଥିପାଇଁ ସେ ନିଜକୁ ଦାୟୀ କରିଛନ୍ତି।

ଫେସ୍‌ବୁକ୍‌ରେ ଜୁକରବର୍ଗ ଲେଖିଛନ୍ତି, “ମୁଁ ଫେସ୍‌ବୁକ୍‌ର ଶୁଭାରମ୍ଭ କରିଥିଲି। ଏହି ପ୍ଲାଟଫର୍ମରେ ଯାହା ବି ହେଉଛି ଏଥିପାଇଁ ମୁଁ ସମ୍ପୂର୍ଣ୍ଣ ଭାବେ ଦାୟୀ। ଫେସ୍‌ବୁକ୍‌ରୁ ଡାଟା ଚୋରି ରୋକିବାକୁ ନେଇ ମୁଁ ଚିନ୍ତାରେ ପଡ଼ିଛି। ଆମ ୟୁଜର୍ସମାନଙ୍କ ଡାଟା ସୁରକ୍ଷିତ ରଖିବାରେ ଫେସ୍‌ବୁକ୍ ବିଫଳ ହୋଇଥିବାରୁ ମୁଁ ଏହାକୁ ସ୍ବୀକାର କରୁଛି। ଏହା ଆମର ବଡ଼ ବିଫଳତା। ଏବେ ଆମ କମ୍ପାନିକୁ ବହୁତ କିଛି କରିବାକୁ ବାକି ରହିଛି। ଆମେ ଭୁଲ୍ କରିଛୁ ଏବଂ ଏହାର ପ୍ରତିକାର ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛୁ।”

ଜୁକରବର୍ଗ ଆଉ କ’ଣ କହିଲେ?

-୨୦୧୪ ପୂର୍ବରୁ ଲୋକମାନଙ୍କଠାରୁ ଅଧିକ ଡାଟା ନେଇ ଯାଉଥିବା ଆପ୍‌ ଗୁଡ଼ିକୁ ଫେସ୍‌ବୁକ୍‌ ପ୍ରଥମେ ଯାଞ୍ଚ କରିବ। କାରଣ ୨୦୧୪ରେ ଫେସ୍‌ବୁକ୍ ଆପ୍‌ ମାଧ୍ୟମରେ ନିଆଯାଉଥିବା ଡାଟାକୁ କମ୍ କରିଥିଲା। ଏଥିପାଇଁ ଫେସ୍‌ବୁକ୍‌ ପକ୍ଷରୁ କୁହାଯାଇଥିଲା କୌଣସି ଆପ୍‌ ଉପରେ ସନ୍ଦେହ ହେଲେ ସେଗୁଡ଼ିକୁ ଯାଞ୍ଚ କରାଯିବ।

-ଯେଉଁମାନେ ଡାଟା ଭୁଲ୍ ବ୍ୟବହାର କରୁଛନ୍ତି ସେମାନଙ୍କୁ ସଚେତନ କରାଯିବ। ଯେଉଁ ଆପ୍‌କୁ ୟୁଜର୍ସମାନେ ବ୍ୟବହାର କରୁ ନାହାନ୍ତି ସେହି ଆପ୍‌କୁ ୟୁଜର୍ସମାନେ ରଖିପାରିବେ ନାହିଁ। ଏଦିଗରେ ଫେସବୁକ୍ ଉଦ୍ୟମ ଆରମ୍ଭ କରିଛି। ଯଦି ୩ ମାସ ପର୍ଯ୍ୟନ୍ତ ୟୁଜର୍ସମାନେ ଫେସ୍‌ବୁକ୍‌ର କୌଣସି ଆପ୍‌କୁ ବ୍ୟବହାର କରୁ ନାହାନ୍ତି ତାହାଲେ ଫେସ୍‌ବୁକ୍‌ ସେ ଆପ୍‌କୁ ବନ୍ଦ କରିଦେବ।

-ଫେସ୍‌ବୁକ୍‌ ଆକାଉଣ୍ଟରେ କେତୋଟି ଆପ୍‌ ରହିଛି ଓ ସେଗୁଡ଼ିକୁ କିପରି ବ୍ୟବହାର କରାଯିବ ସେ ସମ୍ପର୍କରେ ଫେସ୍‌ବୁକ୍ ପକ୍ଷରୁ ସୂଚନା ଦିଆଯାଇଥାଏ। ଏବେ ଏହି ପ୍ରକ୍ରିୟାକୁ ଆହୁରି ସହଜ କରାଯିବ। ଫଳରେ ଲୋକଙ୍କୁ ବୁଝିବାକୁ ସହଜ ହେବ।

Comment