ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକାରେ ୫କୋଟି ଫେସବୁକ ବ୍ୟବହାକାରୀଙ୍କ ଡାଟା ଚୋରି କରି ନିର୍ବାଚନରେ ବ୍ୟବହାର କରୁଥିବା ଖୁଲାସା ହେବା ପରେ ଭାରତୀୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି।
- ସୁରକ୍ଷା ଦୃଷ୍ଟିକୋଣରୁ ପୁଣି ଥରେ ବିବାଦରେ ଫେସବୁକ୍
- ୫କୋଟି ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି
- ଫେସବୁକ୍ ସିଇଓଙ୍କୁ ସମନ
ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ଫେସବୁକ୍ ଏବଂ ରାଜନୈତିକ ତଥ୍ୟ (ଡାଟା) ବିଶ୍ଲେଷଣକାରୀ ସଂସ୍ଥା କେମ୍ବ୍ରିଜ୍ ଆନାଲିଟିକା ସଂସ୍ଥାର ସହାୟତା ନିଆଯାଉଛି ବୋଲି ଉଭୟ ବିଜେପି ଏବଂ କଂଗ୍ରେସ ପରସ୍ପର ଉପରେ ଦୋଷାରୋପ କରିଛନ୍ତି।
୨୦୧୯ ନିର୍ବାଚନରେ କଂଗ୍ରେସ ଏହି ସଂସ୍ଥାର ସହାୟତା ନେଉଛି ବୋଲି ବିଜେପି ଅଭିଯୋଗ କରିଥିବା ବେଳେ କଂଗ୍ରେସ ଏହାକୁ ଖଣ୍ଡନ କରିଛି। ଅନ୍ୟପକ୍ଷରେ କଂଗ୍ରେସ ପାଲଟା ଅଭିଯୋଗ କରିଛି ଯେ ୨୦୧୦ ନିର୍ବାଚନରେ ବିଜେପି ଏହାର ସହାୟତା ନେଇଥିଲା।
ନିର୍ବାଚନରେ ଫେସବୁକର ପ୍ରଭାବ କେମିତି ରହିଥାଏ ଆସନ୍ତୁ ଜାଣିବା…
ଆଜିକାଲି ଭାରତରେ ସୋସିଆଲ ମିଡିଆର ଚାହିଦା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାର ପ୍ରଭାବ ମଧ୍ୟ ରାଜନୀତି ପ୍ରଚାରରେ ପଡ଼ିଛି। ସୋସିଆଲ ମିଡ଼ିଆକୁ ବ୍ୟବହାର କରି ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ପ୍ରଚାରରେ ଲାଗିପଡ଼ନ୍ତି। ସେଥିରେ ପ୍ରଭାବିତ ହୁଅନ୍ତି ଭୋଟର।ଏହାଦ୍ଵାରା ପୁରା ଜନମତ ବଦଳିଯାଇଥାଏ। ଭୁଲ ସୂଚନା ପାଇ ଲୋକମାନେ ନିଜ ମତ ବଦଳାଇ ଦେଇଥାନ୍ତି।
ଭାରତରେ ଫେସବୁକ ବ୍ୟବହାରକାରୀଙ୍କ ସଂଖ୍ୟା ୨୦କୋଟିରୁ ଅଧିକ। ଏଥିରୁ ଅଧିକରୁ ଅଧିକ ଲୋକ ୧୮ରୁ ୩୫ବର୍ଷ ବୟସ ଭିତରେ। ରାଜନୈତିକ ଦଳଙ୍କ ବିଷୟରେ ଭୁଲ୍ ସୂଚନାକୁ ସତ୍ୟ ଭାବେ ନେଇ ନିଜ ମତ ବଦଳାଇ ଦେଇଥାନ୍ତି।
ଏହାର ପ୍ରଭାବ ଫେସବୁକ୍ର ବଜାର ମୂଲ୍ୟ ଉପରେ ଦୃଶ୍ୟମାନ ହେଇଛି। ଫେସବୁକ୍ର ବଜାର ସେୟାର ମୂଲ୍ୟ ୪୦ବିଲିୟନ ଡଲାର ତଳକୁ ଖସି ଯାଇଥିବା ରେକର୍ଡ଼ କରାଯାଇଛି। ବିଶ୍ୱର ବଡ଼ବଡ଼ ଧନୀଙ୍କ ଅର୍ଥନୀତି ଓ କାରବାର ଉପରେ ନଜର ରଖୁଥିବା ସଂସ୍ଥାନ ଫେସବୁକ୍ ଲାଇଭ ଟେକରଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ମାର୍କ ଜୁକରବର୍ଗଙ୍କ ମୂଳ ସମ୍ପତ୍ତିରେ ୫.୫ବିଲିୟନରୁ ୬.୫ ବିଲିୟନ ଡଲାର ତଳକୁ ଖସିଛି।
ବର୍ତ୍ତମାନ ‘ଡିଲିଟ୍ ଫେସବୁକ୍’ କ୍ୟାମ୍ପେନ ଆରମ୍ଭ ହୋଇଛି। ୫କୋଟି ୟୁଜର୍ସ ଡାଟାକୁ ଚୋରି କରି ଏହାକୁ ନିଜ ସ୍ୱାର୍ଥରେ ବ୍ୟବହାର କରିବା ଅଭିଯୋଗରେ ଫେସବୁକକୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ମାର୍କ ଜୁକରବର୍ଗ ମଧ୍ୟ ଏଭଳି ତଥ୍ୟ ଚୋରି ଘଟଣାରେ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ କରିଛନ୍ତି।
କେମ୍ବ୍ରିଜ୍ ଏନାଲିଟିକା ନାମକ କମ୍ପାନି ଏହି ଚୋରା ତଥ୍ୟକୁ ବ୍ୟବହାର କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ଏହି କମ୍ପାନୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଚାର ଅଭିଯାନରେ ସହଯୋଗୀ ଭାବରେ କାର୍ଯ୍ୟ କରୁଥିଲା। ଏ ସମ୍ପର୍କରେ କମ୍ପାନିକୁ ପ୍ରଶ୍ନ କରାଯିବା ପରେ ସେ ଏହି ତଥ୍ୟକୁ ଡିଲିଟ୍ କରିଦେଇଛି ବୋଲି ପ୍ରକାଶ କରିଛି।

















