ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ‘କିଏ କାହାର’ ଏକ ମାଇଲଖୁଣ୍ଟ। ୧୯୬୮ମସିହାରେ ମାତ୍ର ଦୁଇଟି ଓଡ଼ିଆ ଚିତ୍ର ମୁକ୍ତିଲାଭ କରିଥିଲା। ଗୋଟିଏ ହେଉଛି ‘କିଏ କାହାର’ ଓ ଅନ୍ୟଟି ‘ସ୍ତ୍ରୀ’। ଜୁନ୍ ୧୨ ତାରିଖରେ ଏହି ଚିତ୍ରଟି ରୂପେଲି ପରଦାକୁ ଆସିଥିଲା। ରଜ ସମୟରେ ଫିଲ୍ମ ଗୁଡିକୁ ଶୁଭମୁକ୍ତି କରାଇବାର ତତ୍କାଳୀନ ପରମ୍ପରା ଓଲିଉଡରେ ଆଜି ବି ଚାଲିଛି।
ପଞ୍ଚସଖା ଫିଲ୍ମସ ବ୍ୟାନରରେ ‘କିଏ କାହାର’ ନିର୍ମିତ ହୋଇଥିଲା। ୧୭୮ ମିନିଟର ଏହି ଫିଲ୍ମଟି ସେତେବେଳେ ବକ୍ସ ଅଫିସରେ ଜବରଦସ୍ତ ହିଟ ହୋଇଥିଲା। ଧୀର ବିଶ୍ୱାଳ ଏହାର ପ୍ରଯୋଜକ ଥିଲେ ଓ ନିତାଇ ପାଲିତ ଚିତ୍ରର ନିର୍ଦେଶନା ଦେଇଥିଲେ। ଚିତ୍ରର କାହାଣୀ ଓ ସଂଳାପକୁ ତିନି ଜଣ ଲେଖିଥିଲେ – ନିତାଇ ପାଲିତ, ଗୋପାଳ ଛୋଟରାୟ ଓ ଭୀମ ସିଂହ। ଦିନେଶ ଗୁପ୍ତାଙ୍କ ସିନେମାଟୋଗ୍ରାଫି,ରମେଶ ଯୋଶୀଙ୍କ ସମ୍ପାଦନାରେ ନିର୍ମିତ ଏହି ଚଳଚିତ୍ରର ଅସଲ ପରିଚୟ ତାର ମନଛୁଆଁ ଗୀତ ପାଇଁ। ଅକ୍ଷୟ ମହାନ୍ତି ଯେହେତୁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୀତ ଗୁଡିକ ଲୋକପ୍ରିୟ ହେବା ଛଡା ଅନ୍ୟ ବାଟ ନଥିଲା।
‘କିଏ କାହାର’ ସେତେବେଳର ସାମାଜିକ-ଅର୍ଥନୈତିକ ସ୍ଥିତି ଉପରେ ଆଧାରିତ ଚଳଚିତ୍ର।ଗୋଟିଏ ଜମିଦାର ପରିବାର କିଭଳି ଅବକ୍ଷୟର ସମ୍ମୁଖୀନ ହୋଇଛି ଓ ପରିବାରର ସଦସ୍ୟ ମାନେ କିଭଳି ନିଜର ଆଭିଜାତ୍ୟକୁ ବଜାୟ ରଖିବା ପାଇଁ ଉଦ୍ୟମ କରୁଛନ୍ତି ତାହାହିଁ ଚିତ୍ରର ବିଷୟବସ୍ତୁ।
ଚମତ୍କାର କାହାଣୀ ,ବଳିଷ୍ଠ ନିର୍ଦେଶନା ଓ ସୁଲଳିତ ଗୀତ ଚିତ୍ରଟିକୁ ଏଭଳି ଲୋକପ୍ରିୟ କରିଥିଲା ଯେ କେବଳ କଟକରେ ବିଭିନ୍ନ ହଲରେ ଦୀର୍ଘ ୫ମାସ ଫିଲ୍ମଟି ଚାଲିଥିଲା ଓ ଦର୍ଶକଙ୍କୁ ଭରପୁର ଆନନ୍ଦ ଦେଇଥିଲା। ‘କିଏ କାହାର’ ଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଯାହା ଓଡ଼ିଶାର ଅନେକ ପ୍ରେକ୍ଷାଳୟରେ ଶହେରୁ ଅଧିକ ଦିନ ଚାଲିଥିଲା।
‘କିଏ କାହାର’ ଏକ ଅତି ସଫଳ ଚିତ୍ର ହେବାର ଅନ୍ୟ ଏକ କାରଣ ଥିଲା ଏହାର ଷ୍ଟାରକାଷ୍ଟ।ଏଭଳି କୌଣସି କଳାକାର ନ ଥିଲେ ଯିଏ ଏଥିରେ ଅଭିନୟ କରିନଥିଲେ। ଶରତ ପୂଜାରୀ, ସୌଦାମିନୀ ମିଶ୍ର,ସାମୁଏଲ ସାହୁ- ବାବି,ଲୀଳା ଦୁଲାଳି, ଧୀର ବିଶ୍ୱାଳ, ରାମଚନ୍ଦ୍ର ପ୍ରତିହାରୀ,ଭାନୁମତୀ ଦେବୀ, ସାଗର ଦାସ, ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ, ନିରଞ୍ଜନ ଶତପଥୀ, ନରେନ୍ଦ୍ର ବେହେରା, ବିମଳ ଚୌଧୁରୀ, ଗୀତାରାଣୀ,ସରସ୍ୱତୀ, ପୀର ମିଶ୍ର ଓ ଭୀମ ସିଂହ ପ୍ରମୁଖ ଏଥିରେ ନିଖୁଣ ଅଭିନୟ କରିଥିଲେ।
ଯାହାଫଳରେ କି ଚିତ୍ରଟି ଦର୍ଶକଙ୍କ ମନକୁ ବେଶ୍ ଛୁଇଁପାରିଥିଲା। ‘କିଏ କାହାର’ ଚିତ୍ରର ମହନୀୟତା କିନ୍ତୁ ତାର ସଙ୍ଗୀତ ପାଇଁ। ଆଠଟି ଗୀତର ସମାହାର କିଏ କାହାର ଚଳଚ୍ଚିତ୍ରର ପ୍ରତିଟି ଗୀତ ଆଜି ବି ଶ୍ରୋତାଙ୍କୁ ବିମୋହିତ କରିଥାଏ – ତାହା ଚକୋରି..ହେଉ କି ପରଦେଶୀ ବନ୍ଧୁ.. ହେଉ କି ହେମ ହରିଣୀ..ହେଉ। ‘ଚକୋରି ଝରାନା ଲୁହ’ର ବୋଲ ଲେଖିଥିଲେ ନିଜେ ଅକ୍ଷୟ ମହାନ୍ତି। ତାଙ୍କର ଆଉ ଏକ ଗୀତ ମଧ୍ୟ ରହିଛି – ‘ଉଡି ଉଡି ଉଡି ଯା ରେ ଗୁଡ଼ି’। ‘ହାଏ ମଦଭରି ଆଖି’ ଗୀତର ରଚୟିତା ଥିଲେ ପାର୍ଥସାରଥୀ ମହାପାତ୍ର। ‘ହେମ ହରିଣୀ ମଥାର ମଣି’ ଗୀତକୁ ଲେଖିଥିଲେ କାଳୀ ଚରଣ ପଟ୍ଟନାୟକ।’ଉଦାସୀ ଆଖି ଚାହିଁ ରହେ’ ଗୀତର ସ୍ରଷ୍ଟା ଥିଲେ ନାରାୟଣ ପ୍ରସାଦ ସିଂ।ବାକି ଦୁଇଟି ଚୁଲବୁଲି ଗୀତ – ଫୁଲେଇ ରାଣୀ ସଜ ଫୁଲ ଓ ପରଦେଶୀ ବନ୍ଧୁ ତୁମେ ଯିବ ଉଡି ଉଡିକି-ର ଗୀତିକାର ଥିଲେ ଦେବଦାସ ଛୋଟରାୟ।
ଏହି ଭଳି ଦେଖିଲେ ‘କିଏ କାହାର’ ଥିଲା ଏକ ଅପୂର୍ବ ସମାହାର। ଯେତେ ଭଲ ଅଭିନେତା,କାହାଣୀକାର,ଗୀତିକାର ଓ ଗାୟକ ଗାୟିକାଙ୍କୁ ନିଆ ଯାଇପାରେ ଧୀର ବିଶ୍ୱାଳ ନେବାକୁ ଚେଷ୍ଟା କରିଥିଲେ।ଏଣୁ ଚିତ୍ରଟି ସୁପରହିଟ ହୋଇଥିଲା। କିଏ କାହାର ଚିତ୍ରର ଗୀତ ଗୁଡିକ ଯଦି ଲୋକପ୍ରିୟ ହୋଇପାରିଥିଲା ତାର କାରଣ ପ୍ରଚ୍ଛଦପଟ ଗାୟକ ଓ ଗାୟିକାଙ୍କ ଜବରଦସ୍ତ ପରିବେଷଣ।ଅକ୍ଷୟ ମହାନ୍ତି ନିଜେ ତିନିଟି ଟି ଗୀତ ଗାଇଛନ୍ତି(ଚକୋରି,ଫୁଲେଇରାଣୀ ଓ ଉଡିଉଡି)।
ଶ୍ୟାମଲ ମିତ୍ରଙ୍କ କଣ୍ଠରେ ହାଏ ମଦଭରି ଗୀତଟି ଆଜି ବି ଆମେ ଗୁଣୁଗୁଣୁଥାଉ। ଗାୟିକାଙ୍କ ଭିତରେ ଥିଲେ ସେ ସମୟର ଆଗଧାଡ଼ିର କଳାକାର ନିର୍ମଳା ମିଶ୍ର ଓ ସିପ୍ରା ବୋଷ। କିଏ କାହାର ଥିଲା ସତୁରୀ ଦଶକର ଓଡ଼ିଆ ଚଳଚିତ୍ରର ମଉଡ଼ମଣି। ପରବର୍ତ୍ତୀ ସମୟରେ ଧୀର ବିଶ୍ୱାଳ ଏହି ଭଳି ଅନେକ ସାମାଜିକ ଚିତ୍ର ନିର୍ମାଣ କରିଥିଲେ ଯେଉଁ ଗୁଡିକ ସମ୍ପୂର୍ଣ୍ଣ ପାରିବାରିକ ହେବା ସହିତ ସେହି ସବୁ ଚଳଚିତ୍ରରେ ମନୋରଂଜନର ଭରପୁର ଉପାଦାନ ରହୁଥିଲା। ପଚାଶ ବର୍ଷ ତଳେ ‘କିଏ କାହାର’ ଯେଉଁ ଚାଂଚଲ୍ୟ ସୃଷ୍ଟି କରିଥିଲା ଆଜି ବି ତାର ଆବେଦନ ନଷ୍ଟ ହୋଇନାହିଁ।ଚଳଚିତ୍ରର ସବୁ ଦିଗ ପ୍ରତି ଯଦି ସମାନ ଧ୍ୟାନ ଦିଆଯାଏ ତାହା ଏକ ସଫଳ ଚିତ୍ର ହୋଇପାରିବ ‘କିଏ କାହାର’ ତାର ଜ୍ଵଳନ୍ତ ଉଦାହରଣ।

















