ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ଛୋଟ ମୋର ଗାଁ’ଟି ଗୀତଟି ପ୍ରଖ୍ୟାତ କବି ସଚ୍ଚି ରାଉତରାୟଙ୍କର ଏକ ଅନବଦ୍ୟ ଏବଂ ଅଭୁଲା ସୃଷ୍ଟି । ଦେଶବିଦେଶରେ ଥିବା ଓଡ଼ିଆଙ୍କ ପ୍ରାଣରେ ଆଜିବି ଏହା ବେଶ୍ ଆବେଗ ଆଣିଦିଏ। ଏହି ଗୀତଟିକୁ କଣ୍ଠଶିଳ୍ପୀ ଯେତେବେଳେ ଆମେରିକାରେ ଗାଇଥିଲେ ସେତେବେଳେ ପ୍ରବାସୀ ଓଡ଼ିଆଙ୍କ ଆଖିରେ ଆସିଯାଇଥିଲା ଲୁହ।

ଛୋଟ ମୋର ଗାଁଟି, ଭୂଗୋଳ ପୋଥି ପତରେ ପଛେ ନ ଥାଉ ତାର ନାଁ ଟି…ଏହି ଗୀତର ମର୍ମ ଥିଲା ବେଶ୍ ଆବେଗପ୍ରବଣ। ଭୁଗୋଳରେ ମୋ ଗାଁ ନାଁ ନଥାଉ ପଛେ ମୋ ଗାଁ ମାଟିର ବାସ୍ନାରେ ଯେଉଁ ମହକ ଅଛି ତାହା ମୋ ହୃଦୟକୁ ଆନ୍ଦୋଳିତ କରୁଛି। ସେଠି ମୋର ସଠି ଘର ସେହି ମାଟିରେ ମୋ ଚିତା ଜଳିବ।

ଗାଁ ମାଟିକୁ ପ୍ରାଣଭରି ଭଲ ପାଉଥିବା ମଣିଷଟିଏ ଥିଲେ ସଚ୍ଚି ରାଉତରାୟ। ଆଧୁନିକ ଓଡ଼ିଆ ସାହିତ୍ୟିର ପ୍ରବାଦ ପୁରୁଷ, ମାଟି ଓ ମେହେନତି ମଣିଷର କବି ଭାବେ ପରିଚିତ ଥିଲେ ସେ। ଯେଉଁ ସମୟରେ ଗାଁରେ ସହରୀ ଛାପ ପଡ଼ିବାକୁ ଯାଉଥିଲା ସେ ସମୟରେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ କବି ସଚ୍ଚି ରାଉତରାୟ ରଚନା କରିଥିଲେ ‘ଛୋଟ ମୋର ଗାଁଟି’ କବିତା। ଯାହା ଦେଶବିଦେଶରେ ବାସ କରୁଥିବା ଓଡ଼ିଆଙ୍କୁ ଆକୃଷ୍ଟ କରିଥିଲା।

କବି ସଚ୍ଚି ରାଉତରାୟଙ୍କ ମତରେ ଓଡ଼ିଶାର ଚାଲିଚଳଣି, ଆପଣାପଣିଆ ତଥା ଓଡ଼ିଆ ପରମ୍ପରାର ନିରୁତା ଛବିଟିଏ ଏବେବି ଲୁଚିରହିଛି ଗାଁରେ । ଗାଁଟିଏ ବଡ଼ ହେଉ କିମ୍ବା ଛୋଟ, ଜଣାଶୁଣା ହେଉ କିମ୍ବା ବିଛିନ୍ନାଞ୍ଚଳର ଦୂର କେଉଁ ଏକ ଗାଁ । ସବୁ ଗାଁର ରହିଛି ଅନେକ କାହାଣୀ ବୁଢ଼ୀମାର ଗପ ପରି । ନିରୋଳାରେ କେବେ ବସିଥିଲେ ଏଇ କାହାଣୀ ହାତଠାରି ଡାକେ ତାରି କୋଳକୁ । ଆଉ ଏମିତି ଏକ ବିଷୟବସ୍ତୁକୁ ନେଇ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ କବି ସଚ୍ଚି ରାଉତରାୟଙ୍କ କାଳଜୟୀ କବିତା ‘ଛୋଟ ମୋର ଗାଁଟି’।

ଅସୀମ ଓଡ଼ିଶା ପକ୍ଷରୁ ଆୟୋଜିତ ବିଶ୍ଵ ଓଡ଼ିଆଙ୍କ ମହାସମ୍ମିଳନୀରେ ଏହି ଗୀତଟି ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ସୁବାସ ଦାସଙ୍କ କଣ୍ଠରେ ଆବୃତି କରାଯାଇଥିଲା। ଗୀତଟି ବେଶ୍ ଭାବବିହ୍ଵଳ ଢଙ୍ଗରେ ଗାଇଥିଲେ ସୁବାସ ଦାସ।

ଏହି ଗୀତଟିକୁ ଗାଇବା ସମୟରେ ସୁବାସ ଦାସ ଅତୀତର ଘଟଣାକୁ ମନେପକାଇ କହିଥିଲେ ଆମେରିକାରେ ହୋଇଥିବା ଏକ ପ୍ରବାସୀ ଓଡ଼ିଆ ସମ୍ମିଳନୀରେ ମୋତେ ଏହି ଗୀତଟି ଗାଇବାର ସୁଯୋଗ ମିଳିଥିଲା। ଗୀତଟି ଗାଉଥିବା ସମୟରେ ଉପସ୍ଥିତ ଜନତାଙ୍କ ଆଖିରେ ଲୁହ ଆସିଯାଇଥିଲା। ଗୀତଟି ଶେଷ ପର୍ଯ୍ୟନ୍ତ ଗାଇପାରି ନଥିଲି। ଏଥିରୁ ସେହି ଗୀତଟିର ପ୍ରାସଙ୍ଗିକତା ସହଜରେ ଅନୁମେୟ।

ଡିଜିଟାଲ ମିଡିଆ ଓଡ଼ିଶାଲାଇଭ୍ ଏମିତି ସବୁ କାଳଜୟୀ ଗୀତଗୁଡିକୁ ପୁନରୁଦ୍ଧାର କରି ଦେଶବିଦେଶରେ ବାସ କରୁଥିବା ଓଡ଼ିଆଙ୍କ ପାଖରେ ପହଞ୍ଚାଇବାର ପ୍ରୟାସ କରୁଛି।

Comment