ଓଡ଼ିଶାଲାଇଭ୍ ବ୍ୟୁରୋ
ନିଜର ସ୍ଵତନ୍ତ୍ର ଆବିଷ୍କାର ପାଇଁ ସାରା ବିଶ୍ଵରେ ନାଁ କମାଇଥିବା ଓଡ଼ିଆ ପୁଅ ସୁଶାନ୍ତ ପଟ୍ଟନାୟକ ପୁଣି ଏକ ଆବିଷ୍କାର ପାଇଁ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଶୋଲ୍-କା ନାମକ ଏହି ପାଓ୍ଵାର ବ୍ୟାଙ୍କ ଉଦ୍ଭାବନ କରିଛନ୍ତି। ଯାହା ବିନା ଚାର୍ଜରେ ଚାଲିବ।
ବୟସ ମାତ୍ର ୨୫ ବର୍ଷ। ଏତେ କମ ବୟସରେ ସଫଳତାର ଶିଖର ଛୁଇଁ ପାଇଛନ୍ତି ସେ। ଜଣେ ସଫଳ ଉଦ୍ଭାବକ, ଉଦ୍ୟୋଗୀ ଓ କମ୍ପାନି ସିଇଓ ଭାବେ ଖ୍ୟାତି ରହିଛି ତାଙ୍କର। ସେ ହେଉଛନ୍ତି ଓଡ଼ିଆ ପୁଅ ସୁଶାନ୍ତ ପଟ୍ଟନାୟକ।
ନିଜକୁ ଜଣେ ସଫଳ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିପାରିଛନ୍ତି ସୁଶାନ୍ତ ପଟ୍ଟନାୟକ। ‘ଆଇ ଥିଙ୍କ୍’ ନାମକ ସଂସ୍ଥାର ସେ ହେଉଛନ୍ତି ସହ ପ୍ରତିଷ୍ଠାତା। ଏହି ସଂସ୍ଥା ଅଧୀନରେ ଥିବା ଇନ୍ ଥିଙ୍କ୍ ଗ୍ୟାଜେଟ ପ୍ରାଇଭେଟ ଲିମିଟେଡ ଖୁବଶୀଘ୍ର ଓଡ଼ିଶା ବଜାରରେ ଏହାର ଦୁଇଟି ଅଭିନବ ଉତ୍ପାଦ ପାଓ୍ଵାର ବ୍ୟାଙ୍କ ଓ ଇନଭର୍ଟର ବଲବ ବିକ୍ରି କରିବାକୁ ପ୍ରସ୍ତୁତ ହେଉଛି।
ଉତ୍ତର ପୂର୍ବାଞ୍ଚଳରେ ଥିବା ସାତଟି ରାଜ୍ୟରେ ପାଓ୍ଵାର ବ୍ୟାଙ୍କ ବିକ୍ରି ହେଉଛି। ଶୋଲ୍-କା ନାମକ ଏହି ପାଓ୍ଵାର ବ୍ୟାଙ୍କର ବିଶେଷତ୍ୱ ହେଉଛି ଏହାକୁ ଚାର୍ଜ କରିବାକୁ ପଡ଼ିବନି। ଯେକୌଣସି ପ୍ରକାର ଆଲୋକରେ ଏହା ଚାର୍ଜ ହୋଇଯିବ। ଏଥିରେ ଏକ ଅତ୍ୟାଧୁନିକ ସୋଲାର୍ ପ୍ୟାନେଲ୍ ରହିଛି ଯାହା ଯେକୌଣସି ପ୍ରକାର ଆଲୋକ ଦ୍ୱାରା ଚାର୍ଜ ହୋଇପାରିବ। କମ୍ପାନି ୨୦୦୦ ଏମଏଏଚର ପାଓ୍ଵାର ବ୍ୟାଙ୍କ ଉତ୍ପାଦନ କରୁଛି।
ଇନଫୋସିଟିଠାରେ ଥିବା ୟୁନିଟରେ ସେଗୁଡ଼ିକୁ ଉତ୍ପାଦନ କରାଯାଉଛି। ପାଓ୍ଵାର ବ୍ୟାଙ୍କର ଦୁଇଟି ମଡେଲ୍ ରହିଛି। ଗୋଟିକର ମୂଲ୍ୟ ୩୫୦୦ ଟଙ୍କା ଓ ଅନ୍ୟଟିର ଦର ୭୦୦୦ ଟଙ୍କା ରହିଛି। ସାତ ହଜାର ଟଙ୍କିଆ ପାଓ୍ଵାର ବ୍ୟାଙ୍କରେ ମୋବାଇଲ ସିମ ଓ ଏସଡି କାର୍ଡ ବ୍ୟବହାର କରାଯାଇପାରିବ।
କମ୍ପାନିର ଅନ୍ୟ ଏକ ଅଭିନବ ଉତ୍ପାଦ ହେଉଛି ଇନଭର୍ଟର ବଲବ। ଜେନ-ଏକ୍ସ ନାମକ ଏହି ବଲବରେ ମାଇକ୍ରୋ ଇନଭର୍ଟର ବ୍ୟବହାର କରାଯାଇଛି। ସାଧାରଣ ଏଲଇଡି ବଲବ ଭଳି ଦେଖାଯାଉଥିବା ଏହି ବଲବଟି ବିଦ୍ୟୁତ କାଟ ସମୟରେ ୪ ଘଣ୍ଟା ପର୍ଯ୍ୟନ୍ତ ଘରକୁ ଆଲୋକିତ କରିପାରିବ। ଏହା ଭିତରେ ଥିବା ବ୍ୟାଟେରି ଅଧ ଘଣ୍ଟାରେ ଚାର୍ଜ ହୋଇଯିବ। ଏହି ବଲବକୁ ଲୋକମାନେ ଟର୍ଚ୍ଚ ଭାବେ ମଧ୍ୟ ବ୍ୟବହାର କରିପାରିବେ ବୋଲି ସୁଶାନ୍ତ କହିଛନ୍ତି। ଏହି ବଲବର ମୂଲ୍ୟ ୨୦୦-୩୦୦ ଟଙ୍କା ଭିତରେ ରହିଛି।
ଆଗାମୀ ଦିନରେ ସୁଶାନ୍ତ ସ୍ମାର୍ଟ ଓ୍ଵାଚ୍ ଆଣିବାକୁ ଯୋଜନା ରଖିଛନ୍ତି। ଏହା ହେଲଥ ବ୍ୟାଣ୍ଡ ଭଳି କାମ କରିବ। ଏହା ମହିଳାମାନଙ୍କୁ ମଧ୍ୟ ସୁରକ୍ଷା ପ୍ରଦାନ କରିବ। ସେଭଳି ବ୍ୟବସ୍ଥା ଏହି ସ୍ମାର୍ଟ ଓ୍ଵାଚରେ ରହିବ। ଏହାର ନାମ ସି-ଓ୍ଵାଚ୍ ରଖାଯାଇଛି। ବର୍ତ୍ତମାନ ଏହାର ପରୀକ୍ଷା ନିରୀକ୍ଷା ଚାଲିଛି।
ମାତ୍ର ୧୪ବର୍ଷ ବୟସରେ ସୁଶାନ୍ତ ଉଦ୍ଭାବନ କରିଥିଲେ ‘ବ୍ରିଥିଂ ସେନସର ଆପିଅରାନ୍ସ’। ପରେ ଏହା ‘ଏନାବୁଲାର୍’ ଭାବେ ନାମିତ ହୋଇଥିଲା। ଏହା ଏକ ହ୍ଵିଲ୍ ଚେୟାର୍ ଯାହା ସହାୟତାରେ ଶାରୀରିକ ଅକ୍ଷମ ବ୍ୟକ୍ତିମାନେ ବିନା ସହାୟତାରେ ନିଜ ଦୈନନ୍ଦିନ କାର୍ଯ୍ୟ କରିପାରିବାରେ ସକ୍ଷମ ହୋଇପାରିବେ।
ସୁଶାନ୍ତଙ୍କ ଘର ଆଚାର୍ଯ୍ୟ ବିହାରର। ୟୁନିଟ-୮ ଡିଏଭି ସ୍କୁଲରେ ପାଠ ପଢ଼ିଥିବା ସୁଶାନ୍ତ ଆଇସର ଭୋପାଳରେ ବିଏସସି ଓ ଓରିଏଣ୍ଟାଲ ବିଶ୍ୱବିଦ୍ୟାଳୟରେ ବି ଟେକ୍ ପାଠ ପଢ଼ିଛନ୍ତି।
ବିଶ୍ଵର କୋଟି କୋଟି ଲୋକଙ୍କ ପାଖରେ ତାଙ୍କ ନିର୍ମିତ ପ୍ରଡକ୍ଟ ପହଞ୍ଚାଇବାର ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛନ୍ତି ସୁଶାନ୍ତ। ଲଗାତାର ୬ଥର (୨୦୦୮ରୁ ୨୦୧୩ ମଧ୍ୟରେ) ରାଷ୍ଟ୍ରପତି ପୁରସ୍କାର ଜିଣିଥିବା ସୁଶାନ୍ତ ୨୦୧୨ରେ ନାସା ପକ୍ଷରୁ ମଧ୍ୟ ପୁରସ୍କୃତ ହୋଇସାରିଛନ୍ତି।








ନିଜର ସ୍ଵତନ୍ତ୍ର ଆବିଷ୍କାର ପାଇଁ ସାରା ବିଶ୍ଵରେ ନାଁ କମାଇଥିବା ଓଡ଼ିଆ ପୁଅ ସୁଶାନ୍ତ ପଟ୍ଟନାୟକ ପୁଣି ଏକ ଆବିଷ୍କାର ପାଇଁ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଶୋଲ୍-କା ନାମକ ଏହି ପାଓ୍ଵାର ବ୍ୟାଙ୍କ ଉଦ୍ଭାବନ କରିଛନ୍ତି। ଯାହା ବିନା ଚାର୍ଜରେ ଚାଲିବ।








