ଓଡ଼ିଶାଲାଇଭ୍‌ ବ୍ୟୁରୋ

ତତଲା କଡ଼େଇ ପାଲଟି ଯାଇଛି ଓଡ଼ିଶାର ତିନି ସହର। ଟିଟିଲାଗଡ଼ରେ ତାପମାତ୍ରା ୪୧ ଡିଗ୍ରୀ ଟପିଥିବା ବେଳେ ସୋନପୁର, ମାଲକାନଗିରି ଏବଂ ବଲାଙ୍ଗିରରେ ପାରଦ ୪୦ ଡିଗ୍ରୀରେ ରହିଛି।

ମାର୍ଚ୍ଚ ମାସରେ ବହୁଛି ଝାଞ୍ଜି ପବନ। ଟାଣ ଖରାରେ ଅସ୍ତବ୍ୟସ୍ତ ହୋଇଯାଉଛି ଜନଜୀବନ। ଓଡ଼ିଶାର ତିନୋଟି ସହର ଏବେ ପାଲଟି ଯାଇଛି ତତଲା କଡ଼େଇ। ସୋନପୁର, ମାଲକାନଗିରି ଏବଂ ବଲାଙ୍ଗିରରେ ପାରଦ ୪୦ ଟପିଥିବା ବେଳେ ଭୁବନେଶ୍ୱର, କଟକରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ଛୁଇଁବ ହେଉଛି।

ମଙ୍ଗଳବାର ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡରେ ତାପମାତ୍ରା ୪୧.୫ ଥିବା ବେଳେ  ସୋନପୁରରେ ୪୦.୪ ଡିଗ୍ରୀ ରହିଥିଲା। ମାଲକାନଗିରିରେ ୪୦.୨ ଡିଗ୍ରୀ ସେଲ୍‌ସିୟସ ଏବଂ ବଲାଙ୍ଗିରରେ ୪୦.୧ ଡିଗ୍ରୀ ସେଲସିୟ ରହିଥିଲା ତାପମାତ୍ରା।

ଭୁବନେଶ୍ୱରରେ ତାପମାତ୍ରା ୩୮.୨ ଡିଗ୍ରୀ ସେଲସିୟସ୍ ରହିଥିବା ବେଳେ କଟକରେ ଥିଲା ୩୭.୮ ଡିଗ୍ରୀ ସେଲସିୟସ୍। ସମ୍ବଲପୁରରେ ତାପମାତ୍ରା ୩୯.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ରିପୋର୍ଟରୁ ସୂଚନା ମିଳିଛି। କିଛିଦିନ ପର୍ଯ୍ୟନ୍ତ ଭୀଷଣ ଗରମ ଲାଗି ରହିବ ବୋଲି ପାଣିପାଗ ବିଭାଗ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ମାର୍ଚ୍ଚ ୩୧ ବେଳକୁ କୋହଲା ପାଗ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ୫୦ରୁ ୬୦ କିମି ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି।

Comment