ଓଡ଼ିଶାଲାଇଭ୍ ବ୍ୟୁରୋ

-୨୮ରେ ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ। ୨୯ରେ ଛତିଶାନିଯୋଗର ବୈଠକ ବସିବ। ଏହି ବୈଠକରେ ରତ୍ନଭଣ୍ଡାର ଯାଞ୍ଚ କେବେ ଏବଂ କେଉଁଭଳି ଭାବେ ହେବ ତାହା ନିର୍ଦ୍ଧାରଣ କରାଯିବ। ୨୯ ତାରିଖ ପରେ ରତ୍ନଭଣ୍ଡାର ଯାଞ୍ଚ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଇତିମଧ୍ୟରେ ହାଇକୋର୍ଟଙ୍କ ଅବଧି ଶେଷ ହୋଇଛି।
-ସୋମବାର ପରି ମଙ୍ଗଳବାର ମଧ୍ୟ ଗୃହରେ ଲୋକାୟୁକ୍ତ ଝଡ଼ ଦେଖିବାକୁ ମିଳିଛି। ଓଡ଼ିଶାରେ କାହିଁକି ଲୋକାୟୁକ୍ତ ନିଯୁକ୍ତି କରାଯାଉ ନାହିଁ ପ୍ରଶ୍ନ କରି ବିରୋଧୀ ବିଜେପି ଏବଂ କଂଗ୍ରେସ ଗୃହ ଅଚଳ କରିଛନ୍ତି। ଫଳରେ ବାଚସ୍ପତି ପ୍ରଦୀପ କୁମାର ଅମାତ ବୁଧବାର ଯାଏଁ ଗୃହ ମୁଲତବି କରିଛନ୍ତି।
-କୋରାପୁଟ ପରେ କନ୍ଧମାଳ ଖଜୁରୀପଡା ଜଙ୍ଗଲରେ ମାଓ କ୍ୟାମ୍ପ ଛାରଖାର କରିଛି ପୋଲିସ। ପୋଲିସ ଏନ୍ କାଉଣ୍ଟରରେ କେହି ମୃତାହତ ହୋଇ ନଥିଲେ ମଧ୍ୟ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ। କମ୍ବିଂ ଅପରେସନ୍ ଜାରି ରହିଛି। କୁକୁଲାଝର ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ନେଇ ପୋଲିସକୁ ଖବର ମିଳିଥିଲା।
-୨୨୪ ସଦସ୍ୟ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ଆସନ୍ତା ମେ ୧୨ ତାରିଖରେ ଭୋଟ୍ ଗ୍ରହଣ। ମେ ୧୫ ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ।
-ଅନୁପ ସାହୁ ଭୁବନେଶ୍ଵରର ନୂଆ ଡିସିପି ଭାବେ ଦାୟିତ୍ଵ ନେଇଛନ୍ତି। ସତ୍ୟବ୍ରତ ଭୋଇଙ୍କ ପଦୋନ୍ନତି ପରେ ତାଙ୍କ ସ୍ଥାନ ନେଇଛନ୍ତି ଅନୁପ ସାହୁ। ପୂର୍ବରୁ ଭଦ୍ରକ ଏସପି ଭାବେ କାର୍ଯ୍ୟରତ ଥିଲେ ଅନୁପ।

















