ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିର ଦିନରେ ଯୁବ ପିଢ଼ି ରାଜନୀତିରେ ପଶିବା ପାଇଁ ଚାହୁଁନାହାନ୍ତି। ସେମାନେ ରାଜନୀତିକୁ ଏକ କ୍ୟାରିଅର କରିବାକୁ ନାରାଜ। ଏହି ଅଭାବକୁ ପ୍ରସ୍ତାବିତ ଲିଡ଼ରଶିପ୍ ସ୍କୁଲ ଦୂର କରିପାରିବ।
ଓଡ଼ିଶାରେ ଏକ ଲିଡ଼ରଶିପ୍ ସ୍କୁଲ ଖୋଲିବା ପାଇଁ ପ୍ରସ୍ତାବ ଆସିଛି। ପୁନେର ଏମଆଇଟି ୱାରଲଡ଼ ପିସ ୟୁନିଭରସିଟି ପକ୍ଷରୁ ଏହି ସ୍କୁଲ ପ୍ରତିଷ୍ଠା କରାଯିବ। ଏହି ୟୁନିଭରସିଟିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ରାହୁଲ ବିଶ୍ୱନାଥ କରୋଡ଼ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।
ଏହି ସାକ୍ଷାତବେଳେ ଶ୍ରୀ କରୋଡ଼ କହିଥିଲେ ଯେ ଆଜିର ଦିନରେ ଯୁବ ପିଢ଼ି ରାଜନୀତିରେ ପଶିବା ପାଇଁ ଚାହୁଁନାହାନ୍ତି। ସେମାନେ ରାଜନୀତିକୁ ଏକ କ୍ୟାରିଅର କରିବାକୁ ନାରାଜ। ଏହି ଅଭାବକୁ ପ୍ରସ୍ତାବିତ ସ୍କୁଲ ଦୂର କରିପାରିବ ବୋଲି ସେ କହିଛନ୍ତି। ଏହି ସ୍କୁଲରେ ଯୁବକମାନଙ୍କ ବ୍ୟତୀତ ନିର୍ବାଚିତ ପ୍ରତିନିଧିମାନଙ୍କୁ ମଧ୍ୟ ତାଲିମ ଦିଆଯିବ ଯାହା ଫଳରେ କି ସେମାନେ ରାଜନୀତିରେ ନୈତିକ ଓ ବୃତ୍ତିଗତ ପ୍ରଶିକ୍ଷଣ ପାଇପାରିବେ। ଏହା ଗଣତନ୍ତ୍ରକୁ ମଧ୍ୟ ସୁଦୃଢ କରିବ ବୋଲି ଶ୍ରୀ କରୋଡ଼ ମତ ପ୍ରକାଶ କରିଛନ୍ତି।
ଓଡିଶା ବିଧାନସଭା ଅଧୀନରେ ଏହି ଅନୁଷ୍ଠାନଟି ରହିବ ଓ ଏହାର ନାମ ଆପାତତଃ ‘ଓଡିଶା ଇନଷ୍ଟିଚ୍ୟୁଟ ଅଫ ପଲିଟିକାଲ ଲିଡ଼ରଶିପ୍’ ରଖା ଯିବ। ସେ କହିଛନ୍ତି ଯେ ପୁନେରେ ଥିବା ତାଙ୍କ ଅନୁଷ୍ଠାନ ନେତୃତ୍ୱ ପ୍ରଶିକ୍ଷଣ ଦେବାରେ ପ୍ରଥମ ଭାରତୀୟ ଅନୁଷ୍ଠାନ ଓ ଏସିଆରେ ମଧ୍ୟ ଅଗ୍ରଣୀ ଭୂମିକା ଗ୍ରହଣ କରି ଆସିଛି।
ଏହି ପ୍ରସ୍ତାବକୁ ସକାରାତ୍ମକ ଭାବରେ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶୃତି ଦେଇଛନ୍ତି।