ଓଡ଼ିଶାଲାଇଭ୍‌ ବ୍ୟୁରୋ

SAI International School – 1st Position (Jr. Group) in Mettle Meet 2017
  • ଓଡ଼ିଶାପୋଷ୍ଟ ମେଟଲ ମିଟ୍‌ର ତୃତୀୟ ସଂସ୍କରଣ
  • ଜୁନିୟର ଏବଂ ସିନିୟର ବିଭାଗରେ ଭାଗ ନେଇଛନ୍ତି ୭୫ଟି ଦଳ
  • ଶନିବାର ହେବ ପ୍ରିଲିମ୍ସ ରାଉଣ୍ଡ, ରବିବାର ଗ୍ରାଣ୍ଡ ଫିନାଲେ
  • ପ୍ରତିଯୋଗୀଙ୍କୁ ଚାଲେଞ୍ଜ ଦେବେ ଜଣାଶୁଣା କୁଇଜ୍‌ ମାଷ୍ଟର ଭେଙ୍କି
  • ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍ ଚ୍ୟାନେଲ ଏବଂ ଓଡ଼ିଶାପୋଷ୍ଟ ଫେସ୍‌ବୁକ୍‌ ପେଜ୍‌ରେ ଲାଇଭ୍‌ ଷ୍ଟ୍ରିମିଂ

ଓଡ଼ିଶାରୁ ପ୍ରକାଶ ପାଉଥିବା ଦୈନିକ ଇଂରାଜୀ ଖବରକାଗଜ ଓଡ଼ିଶାପୋଷ୍ଟ ପକ୍ଷରୁ ମାର୍ଚ୍ଚ ୩୧ରୁ ଆରମ୍ଭ ହେଉଛି ମେଟଲ ମିଟ୍‌ର ତୃତୀୟ ସଂସ୍କରଣ। ଏହି ସଂସ୍କରଣକୁ ସଫଳ ଏବଂ ଏକ ଜାତୀୟ ସ୍ତରର ପ୍ରତିଯୋଗିତା ଭାବେ ମାନ୍ୟତା ଦେବା ପାଇଁ ଆୟୋଜକଙ୍କ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି। ଏହି ପ୍ରତିଯୋଗିତାରେ ଦମ୍‌ ଦେଖାଇବା ପାଇଁ ପ୍ରତିଯୋଗୀମାନେ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି। ଚଳିତ ବର୍ଷ ୭୫ଟି ଦଳ ଭାଗ ନେଉଥିବାରୁ ଉତ୍ସାହ ଦେଖିବାକୁ ମିଳିଛି।

ମେଟଲ ମିଟ୍‌ର ତୃତୀୟ ସଂସ୍କରଣରେ ଉଭୟ ଜୁନିୟର ଏବଂ ସିନିଅର ବିଭାଗରେ ୭୫ଟି ଦଳ ଭାଗ ନେଇଛନ୍ତି। ୭୫ଟି ଦଳକୁ ନେଇ ଶନିବାର ଅନୁଷ୍ଠିତ ହେବ ପ୍ରିଲିମ୍ସ ରାଉଣ୍ଡ। ଏହି ରାଉଣ୍ଡରେ ପ୍ରତିଯୋଗୀଙ୍କ ମଧ୍ୟରେ ହେବ ଦମଦାର ଲଢ଼େଇ।

ପ୍ରିଲିମ୍ସ ରାଉଣ୍ଡରେ ଉଭୟ ଜୁନିୟର ଏବଂ ସିନିୟର ବିଭାଗର ୮ଟି ଲେଖାଏଁ ଦଳକୁ ଗ୍ରାଣ୍ଡଫିନାଲେ ପାଇଁ ବଛାଯିବ। ରବିବାର ଦିନ ପ୍ରତ୍ୟେକ ବିଭାଗରେ ଫାଇନାଲିଷ୍ଟମାନଙ୍କୁ ନେଇ ଦମ୍‌ଦାର ଲଢ଼େଇ ହେବ। ଏହି ମୁକାବିଲାରେ ସିନିୟର ଦଳର ପ୍ରଥମ ତିନୋଟି ସ୍ଥାନ ପାଇଁ ବିଜେତାମାନଙ୍କୁ ବଛାଯିବ। ସେହିପରି ଜୁନିୟର ବର୍ଗରେ ମଧ୍ୟ ଶ୍ରେଷ୍ଠ ତିନୋଟି ଟିମ୍‌ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ମିଳିବ। ଏହି ବିଜୟୀ ଟିମ୍‌ଗୁଡ଼ିକୁ  ସେହିଦିନ ସନ୍ଧ୍ୟାରେ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯିବ।

୨୦୧୮ ମେଟଲ ମିଟ୍‌କୁ ନେଇ ଉତ୍ସାହ

ଓଡ଼ିଶାରେ କୁଇଜ୍‌ ପରମ୍ପରାକୁ ଉଜ୍ଜୀବୀତ କରି ରଖିବା ପାଇଁ ଓଡ଼ିଶାପୋଷ୍ଟ ପକ୍ଷରୁ ୨୦୧୬ରୁ ଆରମ୍ଭ ହୋଇଥିଲା ମେଟଲ ମିଟ୍। ପ୍ରଥମ ବର୍ଷ ୧୮ଟି ଟିମ୍‌ କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରତିଯୋଗିତାରେ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ସିଇଟି) ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କିଟ୍ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ଏବଂ ରେଭେନ୍ସା ଜୁନିଅର କଲେଜ ତୃତୀୟ ସ୍ଥାନ ଅଧିକାର କରିଥିଲା।

ପ୍ରଥମ ବର୍ଷର ସଫଳତା ପରେ ୨୦୧୭ରେ ଆରମ୍ଭ ହୋଇଥିଲା ମେଟଲ ମିଟ୍‌ର ଦ୍ୱିତୀୟ ସଂସ୍କରଣ। ଏହି ବର୍ଷ ଜୁନିଅର ବିଭାଗରେ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରେଭେନ୍ସା ଜୁନିଅର କଲେଜ ଦ୍ୱିତୀୟ ଏବଂ ସେଣ୍ଟ ଯୋଶେଫ୍ ହାଇସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଥିଲା। ସେହିପରି ସିନିଅର ବିଭାଗରେ ଏନ୍‌ଆଇଟି-ରାଉରକେଲା ପ୍ରଥମ, ଏମ୍‌ସ-ଭୁବନେଶ୍ୱର ଦ୍ୱିତୀୟ ଏବଂ କିଟ୍ ବିଶ୍ୱବିଦ୍ୟାଳୟ ତୃତୀୟ ସ୍ଥାନରେ ରହିଥିଲା।

ଲଗାତାର ଦୁଇବର୍ଷର ବିଶେଷ ସଫଳତା ପରେ ୨୦୧୮ ମେଟଲ ମିଟ୍‌ ପାଇଁ ଆୟୋଜକ ଏବଂ ପ୍ରତିଯୋଗୀଙ୍କ ମନରେ ଉତ୍ସାହ ଦେଖାଦେଇଛି। ତୃତୀୟ ସଂସ୍କରଣରେ ପ୍ରତିଯୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଫଳରେ ଓଡ଼ିଶାପୋଷ୍ଟର ମେଟଲ ମିଟ୍ କାର୍ଯ୍ୟକ୍ରମ ଏକ ଜାତୀୟ ସ୍ତରର ପ୍ରତିଯୋଗିତା ରୂପେ ପରିଚିତ ହେବାକୁ ଯାଉଛି।

NIT Rourkela – 1st Position (Sr. Group) in Mettle Meet 2017

ବିଜୟୀ ଟିମ୍‌ ପାଇଁ ପୁରସ୍କାର

ଚଳିତ ବର୍ଷ ମେଟଲ ମିଟ୍‌ରେ ଉଭୟ ସିନିଅର ଏବଂ ଜୁନିୟର ବିଭାଗରେ ୭୫ଟି ଦଳ ଭାଗ ନେଉଛନ୍ତି। ପ୍ରତି ଦଳରେ ୪ ଜଣ ଲେଖାଏଁ ପ୍ରତିଯୋଗୀ ରହିବେ। ମୋଟ ୩୦୦ ପିଲାଙ୍କୁ ନେଇ ପ୍ରିଲିମ୍ସ ରାଉଣ୍ଡର ପ୍ରତିଯୋଗିତା ଆଗେଇବ। ସେଥିମଧ୍ୟରୁ ୮ଟି ଲେଖାଏଁ ଦଳ ଗ୍ରାଣ୍ଡ ଫିନାଲେକୁ ଯିବେ। ଗ୍ରାଣ୍ଡ ଫିନାଲେରୁ ଜୁନିଅର ଏବଂ ସିନିଅର ବିଭାଗର ଶ୍ରେଷ୍ଠ ୩ଟି ଲେଖାଏଁ ଦଳକୁ ବିଜୟୀ ଘୋଷଣା କରାଯିବ।

ଉଭୟ ବିଭାଗରେ ଏହି ବିଜୟୀ ଟିମ୍‌ଗୁଡ଼ିକୁ ଖୁସି କରିବା ଭଳି ପୁରସ୍କାର ରଖାଯାଇଛି। ପ୍ରଥମ ସ୍ଥାନ ଅଧିକାର କରିଥିବା ଟିମ୍‌କୁ ଟ୍ରଫି ସହ ୧ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ। ସେହିପରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଟିମ୍‌କୁ ଟ୍ରଫି ଏବଂ ୫୦ ହଜାର ଟଙ୍କା, ତୃତୀୟ ସ୍ଥାନ ଅଧିକାର କରିଥିବା ଟିମ୍‌କୁ ଟ୍ରଫି ଏବଂ ୨୫ ହଜାର ଟଙ୍କା ପୁରସ୍କାର ଦିଆଯିବ। ଏହିପରି ମୋଟ ସାଢ଼େ ୩ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବା ଫଳରେ ମେଟଲ ମିଟ୍ ପ୍ରତିଯୋଗୀମାନଙ୍କ ପାଇଁ ଏକ ବିଶେଷ ଆକର୍ଷଣ ପାଲଟିଛି।

ଜୁନିୟର ବିଭାଗର ଗ୍ରାଣ୍ଡଫିନାଲେ ରବିବାର ଅପରାହ୍ଣ ୨ଟାରୁ ଆରମ୍ଭ ହେବ। ସନ୍ଧ୍ୟା ୬ଟାରେ ସିନିୟର ବିଭାଗର ଗ୍ରାଣ୍ଡଫିନାଲେ ହେବ। ବିଜୟୀ ଟିମ୍‌କୁ ସନ୍ଧ୍ୟା ୮ଟାରେ ପୁରସ୍କୃତ କରାଯିବ।

ପ୍ରତିଯୋଗୀଙ୍କୁ ଚାଲେଞ୍ଜ ଦେବେ କୁଇଜ୍ ମାଷ୍ଟର ଭେଙ୍କି

ମେଟଲ ମିଟ୍‌ର କୁଇଜ୍‌ ପ୍ରତିଯୋଗିତା ଯେତିକି ରୋଚକପୂର୍ଣ୍ଣ ତାଠୁ ଅଧିକ ରୋଚକ ହେଉଛନ୍ତି କୁଇଜ୍‌ ମାଷ୍ଟର ଭେଙ୍କେଟସ୍‌ ଶ୍ରୀନିବାସନ୍‌(ଭେଙ୍କି)। ବେଙ୍ଗଳୁରୁର ଜଣାଶୁଣା କୁଇଜ୍‌ ମାଷ୍ଟର ମେଟଲ ମିଟ୍‌ ସହ ଆରମ୍ଭରୁ ଜଡ଼ିତ ଅଛନ୍ତି। ବିଗତ ବର୍ଷରେ ସେ ନୂଆ ନୂଆ ଢଙ୍ଗରେ ପ୍ରତିଯୋଗୀମାନଙ୍କୁ ଚାଲେଞ୍ଜ ଦେଇଛନ୍ତି। ଚଳିତ ବର୍ଷ ମଧ୍ୟ ଭେଙ୍କି ପୁଣିଥରେ ପ୍ରତିଯୋଗୀମାନଙ୍କୁ ଚାଲେଞ୍ଜ ଦେବେ।

“ମେଟଲ ମିଟ୍‌ର ତୃତୀୟ ସଂସ୍କରଣରେ ଭାଗ ନେଉଥିବା ପ୍ରତିଯୋଗୀଙ୍କୁ ମୁଁ ସ୍ବାଗତ କରୁଛି। ଚଳିତ ବର୍ଷ ନୂଆ ଫର୍ମାଟରେ ପ୍ରତିଯୋଗିତା ହେବ। ପ୍ରତିଯୋଗୀଙ୍କ ପାଇଁ ଚାଲେଞ୍ଜିଂ ପ୍ରଶ୍ନ ତିଆରି କରାଯାଇଛି। ଆଶା କରେ ପ୍ରତିଯୋଗୀମାନେ ଚାଲେଞ୍ଜିଂ ମୁଡ୍‌ରେ ସବୁ ପ୍ରଶ୍ନର ଉତ୍ତର ଦେବେ”, କହିଛନ୍ତି କୁଇଜ୍ ମାଷ୍ଟର ଭେଙ୍କେଟସ୍‌ ଶ୍ରୀନିବାସନ୍‌।

ପ୍ରତିଯୋଗୀଙ୍କୁ ଶୁଭେଚ୍ଛା

ମେଟଲ ମିଟ୍‌ର ତୃତୀୟ ସଂସ୍କରଣରେ ଭାଗ ନେଉଥିବା ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶାପୋଷ୍ଟର ସମ୍ପାଦକ ତଥାଗତ ସତପଥି ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ଶତପଥୀ। ପ୍ରତିଯୋଗିତାକୁ ଚାଲେଞ୍ଜିଂ ଭାବେ ଗ୍ରହଣ କରି ପ୍ରତିଯୋଗୀମାନେ ସଫଳ ହେବାକୁ ପରାମର୍ଶ ଦେଇଛନ୍ତି।

ମେଟଲ ମିଟ୍‌ର ଲାଇଭ ଷ୍ଟ୍ରିମିଂ

ଓଡ଼ିଶାପୋଷ୍ଟ ମେଟଲ ମିଟ୍‌ ଦ୍ୱିତୀୟ ସଂସ୍କରଣରୁ ‘ଓଡ଼ିଶାଲାଇଭ୍‌’ ଏହାର ଡିଜିଟାଲ ମିଡିଆ ପାର୍ଟନର୍‌ ରହି ଆସିଛି। ଏହି ସମ୍ମାନଜନକ ପ୍ରତିଯୋଗିତାକୁ ବିଶ୍ୱବ୍ୟାପି ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ୱେବ୍ ଏବଂ ସୋସିଆଲ ମିଡିଆ ଚ୍ୟାନେଲ ମାଧ୍ୟମରେ ଓଡ଼ିଶାଲାଇଭ୍‌ ପ୍ରୟାସ କରି ଆସୁଛି। ଡିଜିଟାଲ ମିଡିଆର ଦର୍ଶକମାନଙ୍କୁ ମେଟଲ ମିଟ୍‌ର ସିଧା ପ୍ରସାରଣ ଦେଖାଇବା ପାଇଁ ଚଳିତ ବର୍ଷ ଓଡ଼ିଶାଲାଇଭ୍‌ ପକ୍ଷରୁ ଲାଇଭ୍‌ ଷ୍ଟ୍ରିମିଂ କରାଯାଉଛି।

ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍ ଚ୍ୟାନେଲ (www.youtube.com/odishalive) ଏବଂ ଓଡ଼ିଶାପୋଷ୍ଟ ଫେସ୍‌ବୁକ୍‌ ପେଜ୍‌ (www.facebook.com/orissapostbhubaneswar)ରେ ଲାଇଭ୍‌ ଷ୍ଟ୍ରିମିଂ କରାଯିବ। ଏହାସହ ଓଡ଼ିଶାଲାଇଭ୍‌ ୱେବ୍ ସାଇଟ୍ www.odisha.live, ଓଡ଼ିଶାପୋଷ୍ଟ ୱେବ୍ ସାଇଟ୍ www.orissapost.com ଏବଂ ଧରିତ୍ରୀ ୱେବ୍ ସାଇଟ୍ www.dharitri.com ରେ ମେଟଲ ମିଟ୍‌ର ଲାଇଭ୍‌ ଷ୍ଟ୍ରିମିଂ କରାଯିବ।

ଚଳିତବର୍ଷ ନବରତ୍ନ କମ୍ପାନି ‘ନାଲ୍‌କୋ’, କମ୍ପ୍ୟୁଟର କମ୍ପାନି ‘ଆସର୍‌’, ଆଉଟଡୋର ମିଡିଆ କମ୍ପାନି ‘ଟିମ୍‌’, ‘ଏକ୍ସପୋଜ୍’ ଆଡଭର୍ଟାଇଜିଂ ଏବଂ ଡିଜିଟାଲ ମିଡିଆ କମ୍ପାନି ‘ଓଡ଼ିଶାଲାଇଭ୍‌’ ମେଟଲ ମିଟ୍ କାର୍ଯ୍ୟକ୍ରମର ପାର୍ଟନର୍ ରହିଛନ୍ତି।

Comment