ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ମହାଭିଯୋଗ ପ୍ରସ୍ତାବକୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଛି ତାହା ଦିନକୁ ଦିନ ଘନେଇବାରେ ଲାଗିଛି। ସୋମବାର ଦିନ ରାଜ୍ୟସଭାରେ କଂଗ୍ରେସ ଦ୍ୱାରା ଏହି ମହାଭିଯୋଗ ପ୍ରସ୍ତାବ  ଆସିବାର ସମ୍ଭାବନା ରହିଛି। ଖବର ଆସୁଛି ଯେ ଯଦି ଉପରାଷ୍ଟ୍ରପତି ଏହି ପ୍ରସ୍ତାବକୁ ଗୃହରେ ଉପସ୍ଥାପିତ କରିବା ପାଇଁ ଅନୁମତି ନଦିଅନ୍ତି ତେବେ କଂଗ୍ରେସ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବ।

କୁହାଯାଉଛି ଏହି ପ୍ରସ୍ତାବ ଆଗତ କରିବା ପାଇଁ ଯେତେଜଣ ସାଂସଦଙ୍କ ଦସ୍ତଖତ ଦରକାର ତାହା ସଂଗ୍ରହ କରାଯାଇପାରିଛି। ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଯଦି ଏଥିପାଇଁ ଅନୁମତି ପ୍ରଦାନ ନକରନ୍ତି ତେବେ ପରବର୍ତ୍ତୀ ପଦକ୍ଷେପ କଣ ହେବ ତାକୁ ନେଇ ଚର୍ଚ୍ଚା ଚାଲିଛି।

ଇତି ମଧ୍ୟରେ ଭାରତୀୟ ବାର କାଉନସିଲ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଯାଇଛି। ନିଷ୍ପତ୍ତିଟି ହେଉଛି ଯେଉଁ ସାଂସଦମାନେ ଓକିଲାତି ପେଶା ସହିତ ଯୋଡ଼ି ହୋଇ ରହିଛନ୍ତି ସେମାନେ ଅଭିଯୋଗ ଆଣିଥିବା ବିଚାରପତିଙ୍କ କୋର୍ଟରେ ମାମଲା ଲଢ଼ିବା ସକାଶେ ହାଜର ହୋଇପାରିବେ ନାହିଁ।

ରାଜ୍ୟସଭା ଅଧ୍ୟକ୍ଷଙ୍କ କ୍ଷମତା

ଦେଶର ସମ୍ବିଧାନ ଅନୁସାରେ ରାଜ୍ୟସଭାର ଅଧ୍ୟକ୍ଷ ଏଭଳି ଅଭିଯୋଗ ପ୍ରସ୍ତାବକୁ ଗ୍ରହଣ କରିପାରନ୍ତି କିମ୍ବା ଖାରଜ କରିଦେଇପାରନ୍ତି। ଏହି ଉଭୟ  ଅଧିକାର ଉପରାଷ୍ଟ୍ରପତିଙ୍କର ରହିଛି। କ୍ଷମତାସୀନ ବିଜେପିର ହାବଭାବକୁ ଲକ୍ଷ୍ୟ କଲେ ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସୁଥିବା ମହାଭିଯୋଗ ପ୍ରସ୍ତାବକୁ ଉପରାଷ୍ଟ୍ରପତି ଗ୍ରହଣ ନ କରିବାର ବହୁ ସମ୍ଭାବନା ରହିଛି। ଯଦି ତାହା ହୁଏ କଂଗ୍ରେସ ଏ ନେଇ ସୁପ୍ରିମକୋର୍ଟରେ ଫେରାଦ ହେବା ପାଇଁ ବିଚାର କରୁଥିବା ଶୁଣାଯାଉଛି। ସୁପ୍ରିମକୋର୍ଟରେ କଂଗ୍ରେସ ପକ୍ଷରୁ ଏହି ଯୁକ୍ତି କରାଯିବ ଯେ ରାଜ୍ୟସଭା ଅଧ୍ୟକ୍ଷଙ୍କ ନିଷ୍ପତ୍ତି ଭୁଲ ଓ ଏହାର ପରିବର୍ତ୍ତନ ହେବା ଜରୁରୀ।

ଧାରା ୧୦୫ କ’ଣ କହୁଛି?

ସମ୍ବିଧାନର ଧାରା ୧୦୫ରେ କୁହାଯାଇଛି ଯେ ନ୍ୟାୟପାଳିକାର କାର୍ଯ୍ୟ ସମ୍ପାଦନରେ ବିଧାୟିକା ବା ଲେଜିସଲେଚ‌ର ଦଖଲ ଦେଇପାରିବ ନାହିଁ। ହେଲେ ଆଇନ ବିଶେଷଜ୍ଞମାନଙ୍କ କହିବା କଥା ଯେ ଗୃହରେ କୌଣସି ପ୍ରସ୍ତାବକୁ ମଞ୍ଜୁରୀ ଦେବା ଅଥବା ନଦେବା ସଦନର କାର୍ଯ୍ୟଧାରାର ଅଂଶବିଶେଷ ନୁହେଁ। ଏହା ସଦନର ପ୍ରଶାସନିକ କାର୍ଯ୍ୟର ପରିସରଭୁକ୍ତ। ଏଣୁ ଏହିଭଳି  ପ୍ରସ୍ତାବକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବାରେ କୌଣସି ଅସୁବିଧା ନାହିଁ।

Comment