ଓଡ଼ିଶାଲାଇଭ୍ ବ୍ୟୁରୋ 

ଟ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଆଉ ମାତ୍ର ୧୨ ଦିନ ବାକି ଅଛି।

କ୍ୟାପିଟାଲ ହିଲ୍ ଉପରେ ଟ୍ରମ୍ପ ସମର୍ଥକଙ୍କ ହିଂସାକାଣ୍ଡକୁ ନେଇ ଏବେ ଆମେରିକାର ରାଜନୀତି ସରଗରମ। ବିଶ୍ୱର ତମାମ ନେତାଗଣ ଏହାକୁ ଆମେରିକା ଇତିହାସରେ କଳାଦିନ ବୋଲି କହିଥିବାବେଳେ ଟ୍ରମ୍ପଙ୍କୁ ଚାରିଆଡୁ ସମାଲୋଚନା ଶୁଣିବାକୁ ପଡ଼ିଛି। ଏହାରି ଭିତରେ ବର୍ତ୍ତମାନର ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ଆମେରିକା ସଂସଦରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଆଉ ମାତ୍ର ୧୨ ଦିନ ବାକି ଅଛି। ଏପରି ସ୍ଥିତିରେ ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ଚିନ୍ତା କରୁଥିବା ଆମେରିକା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏପରି ହେଲେ ଆମେରିକାର ପ୍ରଥମ ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ ବିରୋଧରେ ଦୁଇ ଦୁଇ ଥର ମହାଭିଯୋଗ ପ୍ରସ୍ତାବ ଆଗତ ହେବ।କାହିଁକି ହେବ ମହାଭିଯୋଗ?

ଗତ ବୁଧବାର ଟ୍ରମ୍ପଙ୍କ ସମର୍ଥକମାନେ ଆମେରିକାର ସଂସଦରେ ହିଂସାକାଣ୍ଡ କରିଥିଲେ। ସଂସଦ ଭିତରେ ଇଲେକ୍ଟୋରାଲ୍ କଲେଜ ନିଜ ଭୋଟ୍ ଦେଉଥିବାବେଳେ ସମର୍ଥକମାନେ ଏହା ଭିତରକୁ ପଶିଯାଇଥିଲେ। ଯାହା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଘଟଣା ପଛରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ହାତ ଥିବା ବୋଲି ମଧ୍ୟ ଅଭିଯୋଗ ହୋଇଥିଲା। ଏହାପରେ ଟ୍ରମ୍ପ ନୈତିକତା ଦୃଷ୍ଟିରୁ ରାଷ୍ଟ୍ରପତି ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି କହିଛନ୍ତି। ଯଦି ସେ ଏପରି କରୁନାହାନ୍ତି ତେବେ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରିବାକୁ ସେ କହିଛନ୍ତି।

ଯଦି ଟ୍ରମ୍ପଙ୍କ ବିରୋଧରେ ଏହି ମହାଭିଯୋଗ ପ୍ରସ୍ତାବ ପାସ୍ ହୁଏ ତେବେ ନିୟମ ଅନୁସାରେ ସେ ୨୦୨୪ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାକୁ ଯୋଗ୍ୟ ହୋଇପାରିବେ ନାହିଁ। ଯାହା ଟ୍ରମ୍ପଙ୍କ ପାଇଁ ଏକ ବଡ଼ ଝଟକା ହୋଇପାରେ।ପୂର୍ବରୁ ଥରେ ଆଗତ ହୋଇଛି ମହାଭିଯୋଗ ପ୍ରସ୍ତାବ

୨୦୧୯ରେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ପ୍ରଥମ କରି ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଥିଲା। ଏଥିରେ କୁହାଯାଇଥିଲା ଯେ, ୨୦୨୦ ରାଷ୍ଟ୍ରପତି ନିର୍ବାଚନ ପାଇଁ ଟ୍ରମ୍ପ ବେନିୟମ ଭାବେ ୟୁକ୍ରେନର ସାହାଯ୍ୟ ନେଉଛନ୍ତି। ଏହି ପ୍ରସ୍ତାବକୁ ଆମେରିକା କଂଗ୍ରେସରେ ଆଗତ ହୋଇଥିଲା। ଟ୍ରମ୍ପଙ୍କ ବିରୋଧରେ କିନ୍ତୁ ଏହି ମହାଭିଯୋଗ ପ୍ରସ୍ତାବ ପାସ୍ ହୋଇପାରିନଥିଲା।

ମହାଭିଯୋଗ ପ୍ରସ୍ତାବ କ?

ଆମେରିକା ସମ୍ବିଧାନ ମୁତାବକ ରାଷ୍ଟ୍ରପତିଙ୍କ ବିରୋଧରେ ଦେଶଦ୍ରୋହ, ଲାଞ୍ଚ କିମ୍ବା ସଙ୍ଗୀନ ଅପରାଧର ଅଭିଯୋଗ ଆସିଲେ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହୁଏ। ପ୍ରଥମେ ଏହାକୁ ସଂସଦର ନ୍ୟାୟ ସମିତିକୁ ପଠାଯାଏ। ସେଠାରେ ସମିତି ଏହାର ଯାଞ୍ଚ କରିବା ପରେ ଏହାକୁ ଆମେରିକା ସଂସଦରେ ଉପସ୍ଥାପିତ କରାଯାଏ। ସଂସଦରେ ଯଦି ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାସ୍ ହୁଏ ତେବେ ରାଷ୍ଟ୍ରପତି ନିଜ ପଦରୁ ଇସ୍ତଫା ଦିଅନ୍ତି। ରାଷ୍ଟ୍ରପତି ଇସ୍ତଫା ଦେବା ପରେ ଉପ-ରାଷ୍ଟ୍ରପତି ତାଙ୍କର ଦାୟିତ୍ୱ ତୁଲାଇଥାନ୍ତି।

ସଂସଦ ଉପରେ କାହିଁକି ହେଇଥିଲା ଆକ୍ରମଣ?

ଏଥର ଆମେରିକା ନିର୍ବାଚନରେ ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଜୋ ବାଇଡେନ ୩୦୬ ଇଲେକ୍ଟାରାଲ୍ ଭୋଟ ପାଇଥିଲେ। ଜବାବରେ ବର୍ତ୍ତମାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାତ୍ର ୨୩୨ ଇଲେକ୍ଟାରାଲଙ୍କ ସମର୍ଥନ ହାସଲ କରିଥିଲେ। ଫଳରେ ବାଇଡେନ ରାଷ୍ଟ୍ରପତି ହେବା ଏକପ୍ରକାର ପକ୍କା ହୋଇଯାଇଥିଲା। ଟ୍ରମ୍ପ କିନ୍ତୁ ତାଙ୍କର ଏହି ପରାଜୟକୁ ସ୍ୱୀକାର କରିବାକୁ ନାରାଜ ଥିଲେ। ଭୋଟ୍ ଗଣତିରେ ଘୋଟାଲା ହୋଇଥିବା ନେଇ ଟ୍ରମ୍ପ ଅଭିଯୋଗ କରିବା ସହିତ ପୁଣିଥରେ ଭୋଟ ଗଣତି କରିବାକୁ ଦାବି କରିଥିଲେ। ଯାହାକୁ କେନ୍ଦ୍ର କରି ଏହି ହିଂସାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।

ଏଥିସହ ଏହି ହିଂସାକାଣ୍ଡ ପାଇଁ ଟ୍ରମ୍ପ ନିଜର ସମର୍ଥକଙ୍କୁ ମଧ୍ୟ ଉସୁକାଇଥିବା କୁହାଯାଉଛି। ଏହାଫଳରେ ସଂସଦର କାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ବାଇଡେନ ରାଷ୍ଟ୍ରପତି ହେବା ପ୍ରକ୍ରିୟା ବନ୍ଦ ହୋଇଯିବ ବୋଲି ଭାବି ଟ୍ରମ୍ପ ଏପରି କରିଥିବା ଅନୁମାନ କରାଯାଉଛି।ଜାନୁଆରି ୨୦ରେ ଶପଥ ନେବେ ବାଇଡେନ୍

ଆମେରିକା ସଂସଦ ଉପରେ ଟ୍ରମ୍ପ ସମର୍ଥକଙ୍କ ଏପରି ଆକ୍ରମଣ ପରେ ମଧ୍ୟ ଗୁରୁବାର ବାଇଡେନଙ୍କୁ ନିର୍ବାଚନରେ ବିଜୟୀ ଘୋଷିତ କରାଯାଇଛି। ଜାନୁଆରି ୨୦ ତାରିଖରେ ଆମେରିକାର ରାଷ୍ଟ୍ରପତି ଭାବେ ଡେମୋକ୍ରାଟିକ ଦଳର ନେତା ଜୋ ବାଇଡେନ ଶପଥ ଗ୍ରହଣ କରିବେ। ସେ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ।

Comment