ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ସନ୍ତୋଷ ପଣ୍ଡାଙ୍କ ହିନ୍ଦୀ ଫିଲ୍ମ ‘ଦ ଆର୍ଟ ଅଫ୍‌ ଲାଇଫ’ର ଓ୍ୱାର୍ଲ୍ଡ ପ୍ରିମିୟର ଆମେରିକାର ‘ଆର୍ଟ ଇଜ୍‌ ଆଲାଇଭ୍‌’ ଫିଲ୍ମ ଫେଷ୍ଟିଭାଲରେ ଅନୁଷ୍ଠିତ ହୋଇଛି। ଫିଲ୍ମ ପ୍ରଦର୍ଶନ ପୂର୍ବରୁ ‘ଆର୍ଟ ଅଫ୍‌ ଲାଇଫ୍’ର ବିଭିନ୍ନ କଳାକାର, ନିର୍ଦ୍ଦେଶକ ଏବଂ ପ୍ରଯୋଜକ, ଆମେରିକା ଫିଲ୍ମ ଫେଷ୍ଟିଭାଲର ନିର୍ଦ୍ଦେଶକ ଭର୍ଚୁଆଲ ଜରିଆରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର ଅନୁଭୂତି ବାଣ୍ଟିଥିଲେ।

ବାଲୁକା କଳା ଉପରେ ଆଧାରିତ ୪୩ ମିନିଟ ଅବଧିର ଏହି ଫିଲ୍ମଟିରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ନିର୍ଦ୍ଦେଶକ ସୁଶାନ୍ତ ମିଶ୍ର, ବରିଷ୍ଠ ଅଭିନେତା ଜୁବଲି ସୁନ୍ଦରରାୟ, ବେଦୁଲା ରାମଲକ୍ଷ୍ମୀ ଏବଂ କଳିଙ୍ଗ ଦାସଙ୍କ ଭଳି ପ୍ରମୁଖ କଳାକାରମାନେ ଅଭିନୟ କରିଛନ୍ତି।

ସେହିପରି ଏହି ଫିଲ୍ମରେ ପ୍ରଥମ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସନ୍ତୋଷ ପଣ୍ଡା ଏକ ଇଂରାଜୀ ଗୀତର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ପ୍ରଫେସର ରମାକାନ୍ତ ମିଶ୍ର ଗୀତଟିକୁ ରଚନା କରିଥିବା ବେଳେ ଇଣ୍ଡିଆନ ଆଇଡଲ ଫେ୍ମ୍‌ ଚେଲସି ବେହୁରା ଏଥିରେ କଣ୍ଠଦାନ କରିଛନ୍ତି।

ଓଡ଼ିଶାର କଳା, ସଂସ୍କୃତି, ପର୍ଯ୍ୟଟନ ଏବଂ ବିଶେଷକରି ବାଲୁକା କଳାକୁ ପ୍ରୋତ୍ସାହିତ କରୁଥିବା ଏହି ଫିଲ୍ମରେ ପ୍ରସନ୍ନ ପୃଷ୍ଟି ଓ ସନ୍ତୋଷ ପଣ୍ଡା ଯୁଗ୍ମ ପ୍ରଯୋଜକ ଭାବେ ଦାୟିତ୍ୱ ନେଇଛନ୍ତି।

Comment