ଓଡ଼ିଶାଲାଇଭ୍ ବ୍ୟୁରୋ
ଅନୁସୂଚିତ ଜାତି-ଜନଜାତି ନିର୍ଯାତନା ନିବାରଣ ଆଇନରେ ସଂଶୋଧନ ଆଣି ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ବିଭିନ୍ନ ଦଳିତ ସଂଗଠନ ଓ ‘ସମ୍ବିଧାନ ବଚାଓ ସଂଘର୍ଷ କମିଟି’ ସୋମବାର ଭାରତ ବନ୍ଦ ଡାକରା ଦେଇଛନ୍ତି।
ଜାତି-ଜନଜାତି ଆକ୍ଟରେ ସୁପ୍ରିମକୋର୍ଟ ଦ୍ୱାରା ହୋଇଥିବା ପରିବର୍ତ୍ତନକୁ ବିରୋଧ କରି ସମଗ୍ର ଦେଶରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଇତିମଧ୍ୟରେ ସୁପ୍ରିମକୋର୍ଟଙ୍କ ଆଦେଶକୁ ନେଇ କେନ୍ଦ୍ର ସରକାର ପୁନଃବିଚାର ଯାଚିକା ଦାଖଲ କରିବ ବୋଲି ନିଷ୍ପତ୍ତି ନେଇଛନ୍ତି।
ଗତ ୨୦ମାର୍ଚ୍ଚରେ ମହାରାଷ୍ଟ୍ରର ଏକ ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟ ଏସସି ଏସଟି ଆକ୍ଟର ନୂଆ ଗାଇଡ଼ ଲାଇନ ଜାରି କରିଥିଲେ। ଅନୁସୂଚିତ ଜାତି ଓ ଜନଜାତି ଅଧିନିୟମ-୧୯୮୯ର ଅପବ୍ୟବହାର ଉପରେ ଅଙ୍କୁଶ ଲଗାଇବାକୁ ମାନ୍ୟବର କୋର୍ଟ ଏହି ଆଇନରେ ପରିବର୍ତ୍ତନ ଆଣିଥିଲେ।
ଏସସି-ଏସଟିଙ୍କ ଦ୍ୱାରା ମାମଲା ପଞ୍ଜିକୃତ ହେବା ମାତ୍ରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାର ନିୟମ ରହିଥିଲା। କୋର୍ଟ ଏଭଳି ନିୟମକୁ କୋହଳ କରି ଏଫଆଇଆର ପରେ ଏହା ଜଣେ ଡିଏସପି ରାଙ୍କ୍ର ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯାଇ ତା’ପରେ ଗିରଫ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
ଏହି ଆଇନ ଗଠନ ସମୟରେ ଏହାର ଅପବ୍ୟବହାର ସମ୍ପର୍କରେ ଦୃଷ୍ଟି ଦିଆଯାଇ ନଥିଲା। ଫଳରେ ଦେଶରେ ଏହି ଆଇନକୁ ଅପବ୍ୟବହାର କରାଯାଇ ବହୁ ନିରୀହ ବ୍ୟକ୍ତିଙ୍କୁ ଜେଲ ହାଜତରେ ରହିବାକୁ ପଡ଼ୁଛି।
ସୁପ୍ରିମକୋର୍ଟର ଗାଇଡ଼ ଲାଇନରେ ସରକାରୀ କର୍ମଚାରୀଙ୍କୁ ମଧ୍ୟ ସାମିଲ କରାଯାଇଛି। ସରକାରୀ କର୍ମଚାରୀ ଏହି ଆଇନର ଅପବ୍ୟବହାର କଲେ ତାଙ୍କୁ ମଧ୍ୟ ବିଭାଗୀୟ ତଦନ୍ତ ସମେତ କୋର୍ଟ ଅବମାନନାର ଶିକାର ହେବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ ଗାଇଡ଼ ଲାଇନରେ ସ୍ପଷ୍ଟ କରାଯାଇଛି। ଏହା ବ୍ୟତିତ ଏହି ମାମଲାର ଶିକାର ବ୍ୟକ୍ତିଙ୍କୁ ଜାମିନ ପ୍ରଦାନକୁ କୋହଳ କରିଛନ୍ତି ସୁପ୍ରିମ କୋର୍ଟ।
ପୂର୍ବରୁ ଏପରି ମାମଲା ସାମ୍ନାକୁ ଆସିବା ପରେ କୋର୍ଟ ଆଗୁଆ ଜାମିନ ଦେଉନଥିଲା। ଏଥିରେ ଜାମିନ କେବଳ ହାଇକୋର୍ଟ ଦ୍ଵାରା ହିଁ ଦିଆଯାଉଥିଲା। କିନ୍ତୁ ଏବେ କୋର୍ଟରେ ଶୁଣାଣି ହେବା ପରେ ଫଇସଲା ନିଆଯିବ ବୋଲି ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ।
ଏନସିଆରବି ୨୦୧୬ ରିପୋର୍ଟ ମୁତାବକ ସାରା ଦେଶରେ ଜାସତିସୂଚକ ଗାଳି-ଗୁଲଜ ୧୧,୦୬୦ ମାମଲା ଋଜ୍ଜୁ ହୋଇଛି। ଏଥିରୁ ୯୩୫ଟି ମାମଲା ମିଥ୍ୟା ଭାବେ ପ୍ରମାଣିତ ହୋଇଛି।
ଭାରତ ବନ୍ଦ ଡାକରା ସେତେଟା ପ୍ରଭାବ ପଡ଼ିନଥିଲେ ମଧ୍ୟ ସାରା ଦେଶରେ କିଛି ସ୍ଥାନରେ ବିଭିନ୍ନ ଦଳିତ ସଙ୍ଗଠନ ପକ୍ଷରୁ ଟାୟାର ଜାଳି ରାସ୍ତା ଅବରୋଧ କରି ଅନୁସୂଚିତ ଜାତି-ଜନଜାତି ନିର୍ଯାତନା ନିବାରଣ ଆଇନରେ ସଂଶୋଧନ ଆଣି ସୁପ୍ରିମକୋର୍ଟ ଦେଇଥିବା ରାୟର ପୁର୍ନବିଚାର ପାଇଁ ଦାବି କରିଛନ୍ତି।