ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ତଥା କ୍ରିକେଟ୍‌ର ଭଗବାନ କୁହାଯାଉଥିବା ମାଷ୍ଟରବ୍ଲାଷ୍ଟର୍ ସଚିନ୍‌ ତେନ୍ଦୁଲକରଙ୍କ ବଦାନତା। ସାଂସଦ ଭାବେ କମାଇଥିବା ଅର୍ଥକୁ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଦାନ କରିଛନ୍ତି।

ରାଜ୍ୟସଭା ସାଂସଦ ଭାବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ କାର୍ଯ୍ୟକାଳ କିଛିଦିନ ତଳେ ଶେଷ ହୋଇଛି। ଗତ ୬ ବର୍ଷ ମଧ୍ୟରେ ସାଂସଦ ଭାବେ ବେତନ ଓ ଭତ୍ତା ବାବଦକୁ ପାଇଥିବା ୯୦ ଲକ୍ଷ ଟଙ୍କା ତେନ୍ଦୁଲକର ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ପ୍ରଦାନ କରି ଦେଇଛନ୍ତି।

ସମସ୍ତ ବେତନ ଓ ଭତ୍ତାକୁ ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଦାନ କରି ଦେଇଥିବାରୁ ସଚିନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଧୁବାଦ ଜଣାଇଥିବା ପିଏମ୍‌ଓ ତରଫରୁ ସୂଚନା ଦିଆଯାଇଛି। ଜନସାଧାରଣଙ୍କ ସେବା ନିମନ୍ତେ ଏହି ଅର୍ଥ ବେଶ୍‌ ସହାୟକ ହେବ ବୋଲି ପିଏମ୍‌ଓ ତରଫରୁ ଦର୍ଶାଯାଇଛି।

ତେନ୍ଦୁଲକର ସାଂସଦ ପାଣ୍ଠିର ବେଶ୍‌ ଭଲ ଭାବେ ଉପଯୋଗ କରିଥିବା ଜଣାପଡ଼ିଛି। ୧୮୫ ପ୍ରକଳ୍ପ ନିମନ୍ତେ ତେନ୍ଦୁଲକର ୭.୪ କୋଟି ଟଙ୍କା ସାଂସଦ ପାଣ୍ଠିରୁ ପ୍ରଦାନ କରିଛନ୍ତି। ବିଶେଷ କରି ଶିକ୍ଷା କ୍ଷେତ୍ରରେ ଏହି ଅର୍ଥ ବ୍ୟୟ ହୋଇଛି। ଏହାବାଦ୍‌ ତେନ୍ଦୁଲକର ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ଆନ୍ଧ୍ରପ୍ରଦେଶର ପୁଟାମ୍‌ ରାଜୁ କାନ୍ଦ୍ରିଗା ଓ ମହାରାଷ୍ଟ୍ରର ଧୋନଜାକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଛନ୍ତି।

ସାଂସଦ ଭାବେ ତେନ୍ଦୁଲକର ଓ ବରିଷ୍ଠ ଅଭିନେତ୍ରୀ ରେଖା ରାଜ୍ୟସଭାରେ ଖୁବକମ୍‌ ସମୟ ଉପସ୍ଥିତ ରହୁଥିବାରୁ ବେଶ୍‌ ସମାଲୋଚିତ ହୋଇଥିଲେ।

Comment