ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲିଙ୍ଗରାଜ ମନ୍ଦିର ଗର୍ଭଗୃହ ଫଟୋ ଉତ୍କଳ ଦିବସରେ ଟୁଇଟରରେ ପୋଷ୍ଟ କରି ବିବାଦ ଘେରରେ କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ୍‌।

ଗତକାଲି ସାରା ରାଜ୍ୟରେ ଉତ୍କଳ ଦିବସ ଖୁବ୍‌ ଧୁମଧାମରେ ପାଳନ କରାଯାଇଥିଲା। ନେତାଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଉତ୍କଳ ଦିବସରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ। ଏଥିରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବିଜୟ ଗୋଏଲ୍।

ଲିଙ୍ଗରାଜ ମନ୍ଦିରର ୩ଟି ଫଟୋ ସହ ଟୁଇଟ୍ କରି ଶୁଭେଚ୍ଛା ଜଣାଇଥିଲେ ସେ। ଗତବର୍ଷ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସମୟର ଏହି ଫଟୋ ବୋଲି ଉଲ୍ଲେଖ ବି କରିଥିଲେ।

ଏହି ତିନୋଟି ଫଟୋ ଭିତରୁ ଗୋଟିଏ ମନ୍ଦିର ପ୍ରାଙ୍ଗଣରେ ଏବଂ ଆଉ ଦୁଇଟି ମନ୍ଦିର ଗର୍ଭଗୃହରେ ପୂଜାର୍ଚ୍ଚନା କରିବା ସମୟର। ମନ୍ଦିରକୁ ମୋବାଇଲ୍ ଏବଂ କ୍ୟାମେରା ନିଷିଦ୍ଧ ଥିବା ବେଳେ କେନ୍ଦ୍ରମନ୍ତ୍ରୀ କିଭଳି ଗର୍ଭଗୃହ ଭିତରୁ ଏ ଫଟୋ ଉଠାଇଲେ ତାକୁ ନେଇ ପ୍ରଶ୍ନ ଉଠିଛି।

”ଏହି ଘଟଣା ପାଇଁ କ୍ଷମା ପ୍ରାର୍ଥନା କରୁଛୁ। ଲିଙ୍ଗରାଜ ମନ୍ଦିରରେ ଫଟୋ ଉଠାଯାଏନି ବୋଲି ମନ୍ତ୍ରୀଙ୍କୁ କେହି କହିନଥିଲେ। ଭାରତର ଅନେକ ପ୍ରାଚୀନ ମନ୍ଦିରରେ ଫଟୋ ଉଠାଯାଇଥାଏ। ଏଠି ଫଟୋ ଉଠାଯାଏନି ବୋଲି ମନ୍ଦିର ପ୍ରଶାସନ ମନ୍ତ୍ରୀଙ୍କୁ କହିବା କଥା। ଅଜାଣତରେ ଏମିତି ଘଟିଛି”, କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ

“ବିଜୟ ଗୋଏଲ୍‌ଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରିଦେବା ଦରକାର। ବିଜୟ ଗୋଏଲ୍‌ ମନ୍ତ୍ରିମଣ୍ଡଳରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ବହିଷ୍କାର କରନ୍ତୁ”, କହିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ।

ଗତ କିଛି ଦିନ ତଳେ ଲିଙ୍ଗରାଜ ପରିସରରେ ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ବିଜ୍ଞାପନ ସୁଟିଂକୁ ନେଇ ମଧ୍ୟ ବିବାଦ ଉଠିଥିଲା।

Comment