ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ଦେଶରେ ଜଳିଛି ଦଳିତ ନିଆଁ। ଉତ୍ତରପ୍ରଦେଶରୁ ରାଜସ୍ଥାନ ଏବଂ ଓଡ଼ିଶାରୁ ମୁମ୍ବାଇ ସବୁଠି ପ୍ରତିବାଦର ସ୍ୱର ତୀବ୍ର ହୋଇଛି। ଏସ୍ସି-ଏସ୍ଟି ସୁରକ୍ଷା ଆଇନ୍ ଉପରେ ସୁପ୍ରିମକୋର୍ଟ ନେଇଥିବା ନିଷ୍ପତ୍ତିକୁ ବିରୋଧ କରି ବିଭିନ୍ନ ଦଳିତ ସଙ୍ଗଠନ ହିଂସାର ନିଆଁ ଜାଳିଛନ୍ତି।
୨୦ମାର୍ଚ୍ଚରେ ମହାରାଷ୍ଟ୍ରର ଏକ ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟ ଅନୁସୂଚିତ ଜାତି ଓ ଜନଜାତି ଆକ୍ଟର ନୂଆ ଗାଇଡ଼ ଲାଇନ ଜାରି କରିଥିଲେ। ଅନୁସୂଚିତ ଜାତି ଓ ଜନଜାତି ଅଧିନିୟମ-୧୯୮୯ର ଅପବ୍ୟବହାର ଉପରେ ଅଙ୍କୁଶ ଲଗାଇବାକୁ କୋର୍ଟ ଏହି ଆଇନରେ ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଥିଲେ।
ଏସ୍ସି-ଏସ୍ଟି ନିବାରଣ ଅଧିନିୟମ ୧୯୮୯ ଅନୁସାରେ ଅପରାଧିକ ମାମଲାରେ ତୁରନ୍ତ ଗିରଫ କରିବା, ମାମଲା ପଞ୍ଜିକରଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଦେଶର ଅଳ୍ପ ସଂଖ୍ୟକ ସମୁଦାୟଙ୍କ ପ୍ରତି ହେଉଥିବା ଭେଦଭାବ ରୋକିବାକୁ ଏକ ଆଇନ୍ ବ୍ୟବସ୍ଥା କରାଯାଇଥିଲା।
ଏସସି-ଏସଟିଙ୍କ ଦ୍ୱାରା ମାମଲା ପଞ୍ଜିକୃତ ହେବା ମାତ୍ରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାର ନିୟମ ରହିଥିଲା। କୋର୍ଟ ଏଭଳି ନିୟମକୁ କୋହଳ କରି ଏଫଆଇଆର ପରେ ଏହା ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯାଇ ତା’ପରେ ଗିରଫ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
ଗିରଫ କରିବା ପୂର୍ବରୁ ସମସ୍ତ ଘଟଣାବଳୀକୁ ଯାଞ୍ଚ୍ କରିବା ଏବଂ ଗିରଫ ପୂର୍ବରୁ ବେଲ୍ ଦିଆଯିବା ଭଳି ପ୍ରସ୍ତାବ ଦେଇଥିଲେ ସୁପ୍ରିମକୋର୍ଟ।
ଏହାକୁ ବିରୋଧ କରି ୧୧ଟି ଦଳିତ ସଙ୍ଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିଲା। ବିହାର, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ ଏବଂ ଓଡ଼ିଶା ପ୍ରଭୃତି ରାଜ୍ୟରେ ବନ୍ଦର ପ୍ରଭାବ ପଡ଼ିଥିଲା। ବନ୍ଦ ପାଳନ ବେଳେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ହିଂସା ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶରେ ହିଂସାକାଣ୍ଡ ଜୋରଦାର ହେବାରୁ ୫ ଜଣଙ୍କର ଜୀବନ ଯାଇଥିବା ବେଳେ ରାଜସ୍ଥାନରେ ଜଣକର ପ୍ରାଣ ଯାଇଛି। ବିକ୍ଷୋଭକାରୀମାନେ ବ୍ୟାପକ ପୋଡ଼ାଜଳା କରିଛନ୍ତି। ବିହାର ଏବଂ ଝାଡଖଣ୍ଡରେ ବି ବ୍ୟାପକ ହିଂସାକାଣ୍ଡ ଘଟିଛି।
ବନ୍ଦ ପାଳନ ବେଳେ ହୋଇଥିବା ହିଂସାକାଣ୍ଡକୁ ବିଏସ୍ପି ନେତ୍ରୀ ମାୟାବତୀ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ କିଛି ଲୋକ ହିଂସାକୁ ଉସ୍କାଇଛନ୍ତି। ଯେଉଁମାନେ ହିଂସାକାଣ୍ଡ ଘଟାଇଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ମଧ୍ୟପ୍ରଦେଶରେ ୬ ଜଣଙ୍କ ମୃତ୍ୟୁ
ବିକ୍ଷୋଭକାରୀଙ୍କ ହିଂସାକାଣ୍ଡରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ମଧ୍ୟପ୍ରଦେଶ। ଏହି ରାଜ୍ୟରେ ସର୍ବାଧିକ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୁରୈନାରେ ୩ ଜଣ ଏବଂ ଗ୍ୱାଲିୟରରେ ୨ ଜଣଙ୍କର ହିଂସାରେ ପ୍ରାଣ ଯାଇଛି। ସେହିପରି ଦେବରାରେ ଜଣଙ୍କର ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶର କିଛି ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି।
ଉତ୍ତରପ୍ରଦେଶରେ ୨ ଜଣ
ଉତ୍ତରପ୍ରଦେଶରେ ମଧ୍ୟ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ ଲୋକ ଆହତ ହୋଇଛନ୍ତି। ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ହିଂସାକାଣ୍ଡ କରିଥିବା ଅଭିଯୋଗରେ ୪୪୮ ଲୋକଙ୍କୁ ପୋଲିସ ଗିରଫ କରିଛି।
ରାଜସ୍ଥାନରେ ସ୍ଥିତି ଗମ୍ଭୀର
ଦଳିତ ସଙ୍ଗଠନର ବିକ୍ଷୋଭରେ ରାଜସ୍ଥାନର ସ୍ଥିତି ଗମ୍ଭୀର ହୋଇଯାଇଛି। ହିଂସାକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଲୋକ ଆହତ ହୋଇଛନ୍ତି। ରାଜସ୍ଥାନର ବାଡମେର, ଅଲୱର, ସିକର, ଝୁନ୍ଝୁନ୍, ଜାଲୌର, ବିକାନେର ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଅଲଓ୍ବର ଜିଲ୍ଲାରେ ଦାଉଦପୁରରେ ରେଳ ଧାରଣାକୁ ବିକ୍ଷୋଭକାରୀ ଭାଙ୍ଗି ଦେଇଥିବାରୁ ରେଳ ଚଳାଚଳରେ ବାଧା ଉପୁଜିଛି। ଖୈରଥଲ ଥାନାରେ ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଛନ୍ତି। ବାଡମେର ଜିଲ୍ଲାରେ ପୋଲିସ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହେବାରୁ ୨୫ ଜଣ ଆହତ ହୋଇଛନ୍ତି।
ଝାଡଖଣ୍ଡ, ଉତ୍ତରାଖଣ୍ଡ, ମହାରାଷ୍ଟ୍ରରେ ବି ହିଂସାକାଣ୍ଡ ବ୍ୟାପେକ ରୂପ ନେଇଛି।








ସାରା ଦେଶରେ ଜଳିଛି ଦଳିତ ନିଆଁ। ଉତ୍ତରପ୍ରଦେଶରୁ ରାଜସ୍ଥାନ ଏବଂ ଓଡ଼ିଶାରୁ ମୁମ୍ବାଇ ସବୁଠି ପ୍ରତିବାଦର ସ୍ୱର ତୀବ୍ର ହୋଇଛି। ଏସ୍ସି-ଏସ୍ଟି ସୁରକ୍ଷା ଆଇନ୍ ଉପରେ ସୁପ୍ରିମକୋର୍ଟ ନେଇଥିବା ନିଷ୍ପତ୍ତିକୁ ବିରୋଧ କରି ବିଭିନ୍ନ ଦଳିତ ସଙ୍ଗଠନ ହିଂସାର ନିଆଁ ଜାଳିଛନ୍ତି।







