ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦୁଝରରେ ଭାଲୁ ପାଲଟିଲା ରକ୍ତମୁଖା। ଜଣେ ନୁହଁ, ନେଲା ତିନି ତିନିଟି ମୁଣ୍ଡ। ଜଣକ ପରେ ଜଣେ ହିଂସ୍ର ଭାଲୁର ମୁହଁରୁ ମୁକୁଳିପାରିଲେ ନାହିଁ। ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସବୁ ଉଦ୍ୟମ ଫେଲ୍ ମାରିଲା। ବାଣ ଫୁଟା ଏପରିକି ଫାଙ୍କା ଗୁଳିଚାଳନାର କୌଣସି ପ୍ରଭାବ ପଡ଼ିଲା ନାହିଁ ମଣିଷଖିଆ ଭାଲୁ ଉପରେ।
କେନ୍ଦୁଝର ସହରରୁ ମାତ୍ର ୧୫ କିଲୋମିଟର ଦୂର ରଘୁନାଥପୁର ପଞ୍ଚାୟତ ଖରିଆଡ଼ିହା ଗାଁରେ ସୋମବାରେ ଘଟିଥିଲା ଏହି ରୋମଟାଙ୍କୁରା ଘଟଣା। ସକାଳୁ ସକାଳୁ ଚାରି ଜଣ ଲୋକ ପୋଇପାଣି ସଂରକ୍ଷିତ ଜଙ୍ଗଲ ନିକଟରେ ଥିବା କ୍ଷେତକୁ ଯିବା ବାଟରେ ହଠାତ୍ ଭାଲୁ ମୁହଁରେ ପଡ଼ିଥିଲେ। ଜଣକ ପରେ ଭାଲୁର ଆକ୍ରମଣର ଶିକାର ହୋଇଥିଲେ। ଏହି ଲୋକମାନେ ହେଲେ ନବକିଶୋର ନାଏକ ତାଙ୍କ ପୁଅ ଚନ୍ଦ୍ରଭାନୁ ନାଏକ ଏବଂ ସେହି ଗାଁର ନୀଳାଦ୍ରି ନାଏକ ଓ ପିଅନ ନାଏକ। ପରବର୍ତ୍ତୀ ସମୟରେ ହିଂସ୍ର ଭାଲୁକୁ ଆୟତ କରିବା ପାଇଁ ଆସିଥିବା ବନବିଭାଗ କର୍ମଚାରୀଙ୍କ ମଧ୍ୟରେ ବିଦେଶୀ ମହାକୁଡ଼ ମଧ୍ୟ ଭାଲୁ ମୁହଁରୁ ମୁକୁଳି ପାରିନଥିଲେ।
ଏହି ଘଟଣାରେ ତିନି ଜଣ ମୃତ୍ୟୁବରଣ କରିଥିବା ବେଳେ ପାଞ୍ଚ ଜଣ ଗୁରୁତର ହୋଇ ଚିକିତ୍ସାଧିନ ଅଛନ୍ତି। ମୃତ୍ୟୁବରଣ କରିଥିବା ଲୋକମାନେ ହେଲେ ନବକିଶୋର, ନିଳାଦ୍ରି ଏବଂ ବିଦେଶୀ।
ଏହି ଘଟଣା ପ୍ରଚାର ହୋଇଯିବା ପରେ ସମ୍ପୃକ୍ତ ଗାଁ ଏବଂ ଆଖପାଖ ଗାଁର ଶହ ଶହ ଲୋକ ଘଟଣାସ୍ଥଳେ ପହଞ୍ଚିଥିଲେ। ଲୋକଙ୍କ ହାତରେ ଥିଲା ଠେଙ୍ଗା ବାଡ଼ି ଓ କୁରାଢ଼ୀ। ଲୋକଙ୍କ ଚିତ୍କାର ଏବଂ ଭିଡ଼ ଦେଖି ଭାଲୁ ଆହୁରି ଉନ୍ମତ୍ତ ହୋଇଥିଲା। ପରବର୍ତ୍ତୀ ସମୟରେ ଜଙ୍ଗଲ ବିଭାଗ କର୍ମଚାରୀ ଆସି ପ୍ରଥମେ ଭାଲୁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ। ସେମାନେ ବାଣ ଫୁଟାଇ ତା’କୁ ଘଉଡାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା। ସେହିପରି ଜଙ୍ଗଲ କର୍ମଚାରୀ ଫାଙ୍କା ଗୁଳିଚାଳନା କରିଥିଲେ ମଧ୍ୟ ଭାଲୁ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା।
ଭାଲୁକୁ ବନବିଭାଗ କର୍ମଚାରୀ ଆୟତ କରିବା ପାଇଁ ଚେଷ୍ଟା କଲା ବେଳେ ଏହି ଜଙ୍ଗଲୀ ପଶୁ ବିଦେଶୀ ମହାକୁଡ଼ଙ୍କ ଉପରକୁ ଝାମ୍ପି ପଡ଼ିଥିଲା। ଭାଲୁ ତାଙ୍କୁ କିଛି ବାଟ ଘୋଷାଡି ନେଇଥିଲା। ଭାଲୁ ନଖରେ ରାମ୍ପି ବିଦାରି ଦେବା ଫଳରେ ବିଦେଶୀ ଗୁରୁତର ଆହତ ହୋଇଥିଲେ। ସେଠାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ସ୍ଥାନୀୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଜଙ୍ଗଲ ବିଭାଗର ଠିକାକର୍ମଚାରୀ ବିଦେଶୀ ମହାକୁଡ଼ଙ୍କୁ ଭାଲୁ ଆକ୍ରମଣ କରିବା ସମୟରେ ଉପସ୍ଥିତ ଲୋକମାନେ ଠେଙ୍ଗାବାଡ଼ି ଧରି ଭାଲୁକୁ ଘେରିଯାଇଥିଲେ। ସେମାନେ ସେଇଠି ପିଟି ପିଟି ଭାଲୁକୁ ମାରିଦେଇଥିଲେ।
ଭାଲୁ ଆକ୍ରମଣରେ ଆହତ ହେବା ବା କେହି ମୃତ୍ୟୁବରଣ କରିବା ଘଟଣା ଓଡ଼ିଶାରେ ନୂଆ ନୁହେଁ। ତେବେ କେନ୍ଦୁଝରରେ ଏହି ଘଟଣା ନିଶ୍ଚିତ ଭାବରେ ଲୋମଟାଙ୍କୁରା ଏବଂ ଦୁର୍ଭାଗ୍ୟଜନକ। ଦିନକୁ ଦିନ ଜଙ୍ଗଲ ପରିମାଣ କମୁଥିବାରୁ ଜଙ୍ଗଲୀ ପଶୁମାନଙ୍କ ପାଇଁ ରହିବା ଏବଂ ଖାଦ୍ୟ ସଂଗ୍ରହ କରିବାରେ ଅସୁବିଧା ହେଉଛି। ତା’ ସହିତ ଜନସଂଖ୍ୟା ବିସ୍ଫୋରଣ ଏବଂ ଲୋକଙ୍କ ଜୀବନଧାରଣ ଢାଞ୍ଚାରେ ପରିବର୍ତ୍ତନ ଫଳରେ ଆମ ପରିବେଶରେ ଅନେକ ପରିବର୍ତ୍ତନ ଆସୁଛି। ଫଳରେ ମଣିଷ ଓ ପଶୁ ମୁହାଁମୁହିଁ ହେବା ଘଟଣା ବୃଦ୍ଧି ପାଇବାରେ ଲାଗିଛି।


















