ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହଙ୍ଗା ପଡ଼ିଲା ଫେସବୁକରେ ବିଦେଶିନୀଙ୍କ ସହ ସରକାରୀ ବାବୁଙ୍କ ବନ୍ଧୁତା। ବିଦେଶୀନି ଜଣକଙ୍କ ମୋଟା ଅଙ୍କ ଅର୍ଥ ନେଇ ହର୍ବାଲ୍ ଗୁଣ୍ଡ ଯୋଗାଇଦେବା ନାଁ କହି ଅଦରକାରୀ ଗୁଣ୍ଡ ଦେଇ ଓଡ଼ିଶା ରେଲୱେ ସରକାରୀ ବାବୁଙ୍କୁ ଠକିଲେ। କଷ୍ଟମ୍ ଅଧିକାରୀ କହି ବି ଲୁଟିଲେ। ଠକେଇର ଶିକାର ହେବା ପରେ ରାଜଧାନୀର ଏହି ବ୍ୟକ୍ତିଜଣକ ସାଇବର ସେଲର ଦ୍ୱାରସ୍ଥ ହୋଇଛନ୍ତି।

ପ୍ରଥମେ ଫେସବୁକ୍‌ରେ ଭାବ ଆଦାନପ୍ରଦାନ। ତା’ପରେ ଆରମ୍ଭ ହୁଏ ବନ୍ଧୁତା। ଧିରେଧିରେ ଏହି ବନ୍ଧୁତା ବ୍ୟବସାୟ ଆଡ଼କୁ ଗତି କରେ। ଏଥିପାଇଁ ଆରମ୍ଭ ହୁଏ ପ୍ଲାନ। ଆଉ ଶେଷରେ ଲକ୍ଷାଧିକ ଟଙ୍କାର ଠକେଇ।

ଓଡ଼ିଶା ରେଲୱେ ଚାକିରୀ କରୁଥିବା ଜଣେ ବ୍ୟକ୍ତି ଏହି ଠକେଇର ଶିକାର ହୋଇଛନ୍ତି। ଇଂଲଣ୍ଡର କ୍ଲିଫଡ୍ ଜୋଫିଆ ନାମରେ ଜଣେ ବିଦେଶିନୀ ଓଡ଼ିଆ ବାବୁଙ୍କୁ ହର୍ବାଲ୍ ପାଉଡର ବ୍ୟବସାୟ ପାଇଁ ପ୍ରବର୍ତ୍ତାଇଲେ।

କ୍ୟାନସର ଓ ଡାଇବେଟିସ୍‌ ରୋଗୀଙ୍କ ପାଇଁ ହର୍ବାଲ୍ ପାଉଡ଼ର ଯୋଗାଦେବା ପାଇଁ କହି ଅଧିକ ଟଙ୍କା ଦେବାକୁ ଜୋଫିଆ କହିଥିଲେ। ଆଉ ଏଥିପାଇଁ ପ୍ରଥମେ ୩ ଲକ୍ଷ ୬୯ ହଜାର ଟଙ୍କା ଦେଇଥିଲେ ସରକାରୀ ବାବୁ, ହେଲେ ହର୍ବାଲ ପାଉଡର୍ ବଦଳରେ କୋରିଅରରେ ଆସିଥିଲା ଅଦରକାରୀ ଗୁଣ୍ଡ।

ବିଦେଶୀ ମହିଳାଙ୍କ ଚାଲ୍ ଏତିକିରେ ସରିନଥିଲା। ହର୍ବାଲ୍ ପାଉଡର୍ ବାବଦ ଟଙ୍କା ଫେରାଇବା ନାଁରେ ବିଦେଶିନୀ ଖେଳିଥିଲେ ଆଉ ଏକ ଚାଲ୍। ଏକ ଫେକ୍ ପାର୍ସଲ୍ ଓ ଫେକ୍ କଷ୍ଟମ୍ ଅଫିସର୍ ନାଁରେ ସରକାରୀ ବାବୁଙ୍କୁ ପୁଣି ଫୋନ୍ କରିଥିଲେ।

ପାର୍ସଲରେ ଡଲାର ଓ ସୁନା ଥିବା କହି ପାର୍ସଲ ନନେଲେ ମାମଲା ହେବ ବୋଲି ଧମକ ଦେଇଥିଲେ। ଡରରେ ସରକାରୀ ବାବୁ ପୁଣି ଲକ୍ଷାଧିକ ଟଙ୍କା ପଇଠ କରିବା ପରେ ଏସବୁ ଜାଲ୍ ବୋଲି ଜାଣିବାକୁ ପାଇଥିଲେ।

ଠକେଇର ଶିକାର ହେବା ପରେ ସାଇବର ସେଲର୍ ଦ୍ୱାରସ୍ଥ ହୋଇଛନ୍ତି ସରକାରୀ ବାବୁ।

“ହର୍ବାଲ୍ ପାଉଡ଼ର ବ୍ୟବସାୟ କରିବା ନାଁରେ ମୋ’ଠାରୁ ଜଣେ ବିଦେଶିନୀ ଟଙ୍କା ଠକି ନେଇଛନ୍ତି। ବିଦେଶିନୀଙ୍କ୍ ଚାଲ୍‌ ଜାଣିବା ପରେ ମୁଁ ସାଇବର୍ ସେଲର ଦ୍ୱାରସ୍ଥ ହୋଇଛି। ଆଶା କରୁଛି ମୋ ଟଙ୍କା ଖୁବ୍‌ଶିଘ୍ର ଫେରି ପାଇବି”, କହିଛନ୍ତି ଠକେଇର ଶିକାର ହୋଇଥିବା ବ୍ୟକ୍ତି।

ଏଭଳି ଘଟଣା ପଛରେ ବଡ଼ ଧରଣର ଇଣ୍ଟରନ୍ୟାସନାଲ୍ ରାକେଟ୍ କାମ କରୁଥିବା ସନ୍ଦେହ କରାଯାଉଛି।

Comment