ଓଡ଼ିଶାଲାଇଭ୍‌ ବ୍ୟୁରୋ

ତୈଳଦର ବୃଦ୍ଧି ପ୍ରତିବାଦରେ ଶନିବାରଦିନ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ନିକଟରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରାଯାଇଛି। ଅନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ପାଇଥିଲେ ମଧ୍ୟ କେନ୍ଦ୍ର ସରକାର ଦେଶରେ ତୈଳ ଦର ବୃଦ୍ଧି କରିବା ଅଭିଯୋଗରେ ବିଜୁ ଯୁବ ଓ ଛାତ୍ର ସଙ୍ଗଠନ ପକ୍ଷରୁ ବିକ୍ଷୋଭ କରାଯାଉଛି। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏ ବିଜେଡି ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଧାରଣା ଦିଆଯାଇଥିଲା। ଲୋକଙ୍କୁ ଏବିଷୟରେ ସଚେତନ କରିବାକୁ ଲିଫଲେଟ ମଧ୍ୟ ବଣ୍ଟାଯାଇଥିଲା।

ତୈଳଦର ବୃଦ୍ଧିକୁ ବିରୋଧ କରି ଶନିବାର ଦିନ ବିଜୁ ଜନତା ଦଳ ପକ୍ଷରୁ ସାରା ରାଜ୍ୟରେ ପ୍ରାୟ ସମସ୍ତ ପେଟ୍ରୋଲ ପମ୍ପ ନିକଟରେ ବିଜୁ ଯୁବ ଓ ଛାତ୍ର ସଙ୍ଗଠନ ପକ୍ଷରୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଶନିବାର ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ବିଭିନ୍ନ ପେଟ୍ରୋଲ ଟାଙ୍କି ସମ୍ମୁଖରେ ଛାତ୍ର ଓ ଯୁବ ବିଜେଡି କର୍ମୀ ଲୋକଙ୍କୁ ଲିପ୍‌ଲେଟ୍ ବଣ୍ଟନ କରିବା ସହ ଆର୍ନ୍ତଜାତୀୟ ବଜାରରେ ତୈଳ ଦର କମିଥିଲେ ମଧ୍ୟ ରାଜ୍ୟବାସୀ କେନ୍ଦ୍ରର ଉଦାସୀନତା ପାଇଁ ଏହାର ସୁଫଳ ପାଇ ପାରୁନାହାଁନ୍ତି ବୋଲି ଲୋକମାନଙ୍କୁ ସଚେତନ କରିଥିଲେ।

ଭୁବନେଶ୍ୱର ରାମମନ୍ଦିର, ରାଜଭବନ ଛକ, କଳିଙ୍ଗ ଷ୍ଟାଡିୟମ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ବାଣୀବିହାର ଛକ ନିକଟରେ ଥିବା ପେଟ୍ରୋଲ ପମ୍ପରେ ବିଜୁ ଯୁବ ଓ ଛାତ୍ର ସଙ୍ଗଠନର କର୍ମୀମାନେ ଲୋକମାନଙ୍କୁ ସଚେତନ କରିଥିଲେ।

“କେନ୍ଦ୍ରର ମୋଦି ସରକାର ସବୁବେଳେ ଅଚ୍ଛେ ଦିନର କଥା କହି ଲୋକଙ୍କୁ ମିଛ କହୁଛନ୍ତି। ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦର ଯେଉଁଭଳି ଭାବେ ବଢ଼ିଚାଲିଛି ତାହା  ନ କହିବା ଭଲ। ଗତ ୪ ବର୍ଷ ଭିତରେ ଉତ୍ପାଦ ଶୁଳ୍କକୁ ୯ଥର ବଢ଼ାଇଲେଣି କେନ୍ଦ୍ର ସରକାର। ତେଣୁ ଆମେ ଜନସାଧାରଣଙ୍କୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଛିଡ଼ା ହୋଇ ଲିଫଲେଟ୍ ମାଧ୍ୟମରେ ସଚେତନ କରୁଛୁ”, କହିଛନ୍ତି ରାଜ୍ୟ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ।

“ନିଜ ମନକି ବାତ୍ କହୁଥିବା ପ୍ରଧାନମନ୍ତ୍ରୀ ମୋଦିଜୀ କିନ୍ତୁ ଲୋକଙ୍କର ମନର କଥାକୁ ବୁଝୁନାହାନ୍ତି। ସେଣ୍ଟ୍ରାଲ ଏକ୍ସାଇଜରେ କେନ୍ଦ୍ର ସରକାର ୨୦୦ ଓ ୫୦୦ ପ୍ରତିଶତ ତେଲ ଉପରେ ଟିକସ ବଢ଼ାଇଛନ୍ତି ତାହା ଲୋକମାନଙ୍କୁ ସଚେତନ କରାଉଛୁ”,କହିଛନ୍ତି ରାଜ୍ୟ ଛାତ୍ର ବିଜେଡିର ଉପଦେଷ୍ଟା ଚିନ୍ମୟ ସାହୁ।

Comment