ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଦଳର ଜୟଯାତ୍ରା ଜାରି ରହିଛି। ଟେବୁଲ ଟେନିସ ପରେ ଏବେ ବ୍ୟାଡମିଣ୍ଟନ ଦଳ କମାଲ ଖେଳ ପ୍ରଦର୍ଶନ କରି ସ୍ଵର୍ଣ୍ଣ ପଦକ ହାତେଇଛି।

ଅଷ୍ଟ୍ରେଲିଆର ଗୋଲକୋଷ୍ଟରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସୋମବାରଦିନ ବ୍ୟାଡମିଣ୍ଟନର ମିକ୍ସଡ ଡବଲ୍ ଟିମ୍ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଭାରତ ମାଲେସିଆକୁ ୩-୧ସେଟରେ ହରାଇ ସ୍ଵର୍ଣ୍ଣ ପଦକ ବିଜେତା ହୋଇଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ବ୍ୟାଡମିଣ୍ଟନରେ ଭାରତ ପାଇଁ ଏହା ପ୍ରଥମ ସ୍ୱର୍ଣ୍ଣ।

ଭାରତର ନଂ ୱାନ୍ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କ ନେତୃତ୍ୱରେ ଭାରତୀୟ ଟିମ୍‌ ମିକ୍ସ ଡବଲରେ ମାଲେସିଆକୁ ୩-୧ରେ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛି।

ପ୍ରଥମ ମ୍ୟାଚ୍‌ର ମିକ୍ସ ଡବଲ ବର୍ଗରେ ସ୍ୱାତିକ ରାଙ୍କିରେଡୀ ଏବଂ ଅଶ୍ୱିନୀ ପୋନପ୍ପା ଯୋଡ଼ି ମାଲେସିଆର ପୋଙ୍ଗ ସୁନ ଚାନ୍‌ ଏବଂ ଲୁ ୟିଙ୍ଗ ଗୋହଙ୍କୁ ୨୧-୧୪, ୧୫-୨୧ ଓ ୨୧-୧୫ ସେଟ୍‌ରେ ପରାସ୍ତ କରି ଭାରତକୁ ୧-୦ର ଅଗ୍ରଣୀ ଦେଇଥିଲେ।

ଏହାପରେ ଶ୍ରୀକାନ୍ତ କାଦମ୍ବି ମାଲେସିଆର ଜୋଙ୍ଗ ୱେଇ ଲିଙ୍କୁ ସିଧା ସେଟ୍‌ ୨୧-୧୭, ୨୧-୧୪ରେ ପରାସ୍ତ କରି ଭାରତକୁ ୨-୦ର ଅଗ୍ରଣୀ କରାଇଥିଲେ।

ତୃତୀୟ ପୁରୁଷ ଡବଲ୍ସରେ ୱି ଶେମ ଗୋଙ୍ଗ ଏବଂ ୱି କିୟାଙ୍ଗ ଯୋଡ଼ି ଭାରତର ସ୍ୱାତିକ ରାଙ୍କିରେଡ୍ଡି ଏବଂ ଚିରାଙ୍ଗ ଚନ୍ଦ୍ରଶେଖର ସେଟ୍ଟିଙ୍କୁ ସିଧା ସଳଖ ୨୧-୧୫ ଓ ୨୨-୨୦ ସେଟ୍‌ରେ ପରାସ୍ତ କରି ସ୍ଥିତି ୨-୧ କରି ଦେଇଥିଲେ।

ଚତୁର୍ଥ ମ୍ୟାଚ୍‌ରେ ସାଇନା ମାଲେସିଆର ସୋନିୟା ଚେୟାହଙ୍କୁ ୨୧-୧୧, ୧୯-୨୧ ଓ ୨୧-୯ ସେଟ୍‌ରେ ପରାସ୍ତ କରିଥିଲେ। ଫଳରେ ଭାରତ ୩-୧ରେ ମାଲେସିଆକୁ ପରାସ୍ତ କରି ସ୍ଵର୍ଣ୍ଣ ପଦକ ହାତେଇଥିଲା।

ବର୍ତ୍ତମାନ ଭାରତର ପଦକ ସଂଖ୍ୟା ୧୦ଟି ସ୍ଵର୍ଣ୍ଣ, ୪ଟି ରୌପ୍ୟ ଓ ୫ଟି ବ୍ରୋଞ୍ଚ ସହ ମୋଟ ୧୯ରେ ପହଞ୍ଚିଛି।

Comment