ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୈଜ୍ଞାନିକମାନେ ଏବେ ବଜ୍ରପାତର ସୃଷ୍ଟି ଏବଂ ଏହାର ପ୍ରଭାବ ସମ୍ପର୍କରେ ଅଧିକ ଅଧ୍ୟୟନ କରିବା ଉଦ୍ଦେଶ୍ୟରେ ମହାକାଶରୁ ଏହି ପ୍ରାକୃତିକ ଘଟଣା ଉପରେ ନଜର ରଖିବା ପାଇଁ ଯୋଜନା କରିଛନ୍ତି।

କିଛି ଉପକରଣ ଜରିଆରେ ମହାକାଶରୁ ବଜ୍ରପାତ ନିରୀକ୍ଷଣ କରାଯିବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ଏଥିପାଇଁ କେତେଗୁଡ଼ିଏ ଅପ୍ଟିକାଲ୍ କ୍ୟାମେରା, ଫାଷ୍ଟ ଲାଇଟ୍ କ୍ୟାମେରା, ଏକ୍ସରେ ଏବଂ ଗାମା-ରଶ୍ମୀ ଚିହ୍ନଟକାରୀ ଉପକରଣ ମହାକାଶରେ ସ୍ଥାପିତ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ପଠାଯିବ। ଏସବୁ ଉପକରଣକୁ ପରସ୍ପର ସହିତ ସଂଯୁକ୍ତ କରି ଯେଉଁ ଉପକରଣ ନିର୍ମାଣ କରାଯାଉଛି ତାହାକୁ ଆଟମୋସ୍ପିଅର-ସ୍ପେସ୍ ଇଣ୍ଟରାକସନ ମନିଟର (ଏଏସଆଇଏମ) ବୋଲି କୁହାଯାଇଛି ।

ପ୍ରାୟ ୩୧୪ କିଲୋ ଓଜନର ଏଏସଆଇଏମକୁ ଆନ୍ତର୍ଜାତିକ ସ୍ପେସ୍‌ ଷ୍ଟେସନର କଲମ୍ବସ ମଡ଼୍ୟୁଲରେ ସଂଯୁକ୍ତ କରାଯିବ। ପୃଥିବୀ ପୃଷ୍ଠରୁ ପ୍ରାୟ ୨୫୦ ମାଇଲ୍ ଉପରେ ରହି ଏହି ଉପକରଣ ପୃଥିବୀର ବାୟୁମଣ୍ଡଳରେ ସୃଷ୍ଟି ହେଉଥିବା ବଜ୍ରପାତ ସୃଷ୍ଟି ହେବା ସମୟରେ କ’ଣ ଘଟୁଛି ଏବଂ ତାହାର ବାୟୁମଣ୍ଡଳ ଉପରେ ଏଏସ୍ଆଇଏମ୍ ନଜର ରହିବ।

ସେହିପରି ବଜ୍ରପାତ ସମୟରେ ନିର୍ଗତ ହେଉଥିବା ଗାମା ରଶ୍ମି ଉପରେ ବି ଏହା ନଜର ରଖିବ। ବଜ୍ରପାତ ସମ୍ପର୍କିତ ସମସ୍ତ ତଥ୍ୟ ପୃଥବୀକୁ ପ୍ରେରଣ କରିବ। ସେସବୁ ତଥ୍ୟକୁ ପାଣିପାଗ ଉପଗ୍ରହ ଏବଂ ଭୂପୃଷ୍ଠରେ ଥିବା ପାଣିପାଗ ନିରୀକ୍ଷଣ କେନ୍ଦ୍ରଗୁଡ଼ିକ ଦ୍ଵାରା ସଂଗୃହୀତ  ତଥ୍ୟ ସହିତ ମେଳ କରାଯାଇ ତାହା ବିଶ୍ଲେଷଣ କରାଯିବ ।

ଏହି ଉପକରଣ ପ୍ରାୟ ଦୁଇବର୍ଷଯାଏ କାର୍ଯ୍ୟ କରିବ। ବ୍ରିଟେନ ସ୍ଥିତ ବାଥ୍ ୟୁନିଭରସିଟିର ଗବେଷକ ଡକ୍ଟର ମାର୍ଟିନ ଫୁଲେକରଗଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏଭଳି ଉପକରଣ ନିର୍ମାଣ କରାଯାଇଛି। ଡକ୍ଟର ଫୁଲେକରଗ ଗତ ୧୫ ବର୍ଷ ଧରି ବଜ୍ରପାତ ଉପରେ ଅଧ୍ୟୟନ କରିଆସୁଛନ୍ତି।

Comment