ଓଡ଼ିଶାଲାଇଭ୍ ବ୍ୟୁରୋ

୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସପ୍ତମ ଦିନରେ ଭାରତ ଖାତାକୁ ଆସିଛି ଆଉ ଏକ ସ୍ୱର୍ଣ୍ଣ ପଦକ। ସୁଟର ଶ୍ରେୟସୀ ସିଂହ ଡବଲ ଟ୍ରାପ୍ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଛିନ୍ତି। ଭାରତର ମୋଟ ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୨ରେ ପହଞ୍ଚିଛି।
ଅଷ୍ଟ୍ରେଲିଆର ଗୋଲକୋଷ୍ଟରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡାର ସୁଟିଂ ବିଭାଗରେ ଭାରତକୁ ମିଳିଛି ଆଉ ଏକ ସ୍ୱର୍ଣ୍ଣ ପଦକ। ଭାରତୀୟ ମହିଳା ସୁଟର ଶ୍ରେୟସୀ ସିଂହ ଫାଇନାଲରେ ମୋଟ ୯୬ ଅଙ୍କ ସ୍କୋର କରି ପ୍ରଥମ ସ୍ଥାନ ହାସଲ କରିଥିଲେ। ଦ୍ଵିତୀୟ ସ୍ଥାନରେ ରହିଥିଲେ ଅଷ୍ଟ୍ରେଲିଆର ଏମା କକ୍ସ। ଭାରତର ଆଉ ଜଣେ ସୁଟର ବର୍ଷା ବର୍ମନ ୮୬ଅଙ୍କ ସ୍କୋର କରି ଚତୁର୍ଥ ସ୍ଥାନରେ ରହି ପଦକ ଜିତିବାଠାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।
ଏହାପୂର୍ବରୁ ବୁଧବାରଦିନ ସକାଳୁ ୫୦ ମିଟର ପୁରୁଷ ଏୟାର ପିସ୍ତଲରେ ପ୍ରକାଶ ମିଥରୱାଲ ତୃତୀୟ ସ୍ଥାନ ହାସଲ କରିବା ସହ ବ୍ରୋଞ୍ଜ ପଦକ ଜିତିଛନ୍ତି। ମିଥରୱାଲ ମୋଟ ୨୦୧ ପଏଣ୍ଟ ସ୍କୋର କରିଥିଲେ। ଏହି ବିଭାଗରେ ଅଷ୍ଟ୍ରେଲିଆ ସୁଟର ଡେନିୟଲ ରେପାଚୋଲି ୨୨୭.୨ ପଏଣ୍ଟ ସ୍କୋର କରି ସ୍ୱର୍ଣ୍ଣ ଜିତିଥିବା ବେଳେ ବାଂଲାଦେଶର ଶକିଲ ଅହମ୍ମଦ ୨୨୦.୫ ପଏଣ୍ଟ ସହ ରୌପ୍ୟ ପଦକ ଜିତିଛନ୍ତି।
୧୦ ମିଟର ଏୟାର ପିସ୍ତଲ ବର୍ଗରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିବା ଜିତୁ ରାୟ ମଧ୍ୟ ଏହି ଇଭେଣ୍ଟରେ ଭାଗ ନେଇଥିଲେ। ପୂରା ଦେଶର ନଜର ତାଙ୍କ ଉପରେ ଥିଲା। ହେଲେ ସେ କିଛି ଖାସ୍ କରିପାରି ନଥିଲେ। ଜିତୁ ୧୦୫ ପଏଣ୍ଟ ସ୍କୋର କରି ଅଷ୍ଟମ ସ୍ଥାନରେ ରହିଥିଲେ। ଏହି ଇଭେଣ୍ଟରେ ମିଥରାୱାଲଙ୍କୁ ବ୍ରୋଞ୍ଜ ପଦକ ଜିତିଥିଲେ।
ବର୍ତ୍ତମାନ ସୁଦ୍ଧା ଭାରତର ପଦକ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି। ଏଥିରେ ୧୨ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୭ଟି ବ୍ରୋଞ୍ଜ ରହିଛି।

















