ଗୀତା ଦାସ

ଆଧୁନିକ ଜୀବନରେ ମଦର ବ୍ୟବହାର ଓ ଅପବ୍ୟବହାର ପ୍ରସଙ୍ଗରେ ମନୋବିଜ୍ଞାନୀଙ୍କ ପରାମର୍ଶ

ମଦର ଗୁଣ ଦୁଇ ପ୍ରକାର। ଅଳ୍ପ ମଦ ପିଇଲେ ମସ୍ତିଷ୍କର ସ୍ନାୟୁକୋଷ ଉଦ୍ଦୀପିତ ହେଉଥିବାରୁ ପିଇଲା ବେଳକୁ ଉତ୍‌ଫୁଲ୍ଲ ଲାଗେ, ଦେହରେ ନୂଆ ବଳ ଆସିଲା ପରି ଲାଗେ। ମନରେ ଆମୋଦିତ ଭାବ ଦେଖାଦେବାରୁ ଲୋକ ମେଳରେ କଥାବାର୍ତ୍ତା କରି ହସଖୁସି ହେବାକୁ ଭଲ ଲାଗେ। ବିଶେଷକରି ଯେଉଁମାନେ ସ୍ୱଭାବତଃ ଲାଜକୁଳା, ଚୁପ୍‌ଚାପ୍, ନିଜ ବିଷୟରେ ଅନିଶ୍ଚିତ ଭାବ ପୋଷଣ କରନ୍ତି, ସେମାନଙ୍କ ମନରୁ ସଙ୍କୋଚ ଓ କୁଣ୍ଠିତ ଭାବ କମିଯିବାରୁ ସେମାନେ ସ୍ୱାଭାବିକ ଲୋକଙ୍କ ପରି ବ୍ୟବହାର କରିପାରନ୍ତି।

ରକ୍ତରେ ଆଲକୋହଲ୍ ବଢ଼ିଲେ ମସ୍ତିଷ୍କରେ ମଧ୍ୟ ଆଲକୋହଲର ପରିମାଣ ବଢ଼େ ଓ ମସ୍ତିଷ୍କର କ୍ରିୟା ପ୍ରକ୍ରିୟାରେ ବ୍ୟାଘାତ ଘଟାଏ। ଅଳ୍ପ ମାତ୍ରାରେ ମଦ ଉତ୍ତେଜକ ହୋଇଥିଲେ ହେଁ ମଦର ପରିମାଣ ଶରୀରରେ ବଢ଼ିଲେ ଏହା ସମ୍ମୋହକ ଔଷଧ ପରି କାର୍ଯ୍ୟ କରେ। ମସ୍ତିଷ୍କ ଓ ମେରୁଦଣ୍ଡର ମଧ୍ୟବର୍ତ୍ତୀ ନାଡିର କ୍ରିୟା ପ୍ରକ୍ରିୟା କ୍ରମଶଃ ଅବଶ କରିଦେଉଥିବାରୁ ମଦର ମାତ୍ରା ବଢ଼ିଲେ ବିଭିନ୍ନ ଇନ୍ଦ୍ରିୟର ଶକ୍ତି କମିଯାଏ। ଏଥିପାଇଁ ହାତ ଓ ପାଦର ନିପୁଣ କର୍ମଦକ୍ଷତା ନଷ୍ଟ ହୁଏ। କଥାବାର୍ତ୍ତା ଏକାଗ୍ରତା, ଚିନ୍ତାଶକ୍ତି, ସ୍ମୃତି, କଳ୍ପନା, ଆବେଗ ଇତ୍ୟାଦି ପ୍ରତିଟି କ୍ଷେତ୍ରରେ ବିଭ୍ରାଟ ଘଟେ। ମନର ଉତଫୁଲ୍ଲତା, ଦେହର ସତେଜ ଭାବ କ୍ରମଶଃ ମତ୍ତତାରେ ପରିଣତ ହୁଏ ଓ ଶେଷରେ ଅଚେତ ହୋଇ ନିଦରେ ଶୋଇ ରୁହେ।

ଅଧିକାଂଶ ଲୋକ ପ୍ରଥମ ଅବସ୍ଥାରେ ହିଁ ରୁହନ୍ତି, କାରଣ ପେଟ ପୂରିଆସିଲେ ଯେମିତି ଭୋକ ଚାଲିଯାଏ ସେହିପରି ମାତାଲ ହେବା ପୂର୍ବରୁ କେତେକ ଦୈହିକ ଲକ୍ଷଣ ଅଧିକ ପିଇବାକୁ ମଣିଷକୁ ମଦ ପିଇବାରୁ ନିବୃତ୍ତ କରିଥାଏ। ଯିଏ ନିଜର କାନ ଗରମ ହୋଇଯିବା, ମୁଣ୍ଡ ବୁଲେଇବା, ନିଜେ ବେଶି କଥାବାର୍ତ୍ତା କରୁଥିବା ଇତ୍ୟାଦି ଲକ୍ଷଣକୁ ଅଗ୍ରାହ୍ୟ କରି ବେଶି ପିଏ ସିଏ ଟିକେ ମାତାଲ ହୋଇଯାଏ ସତ ମାତ୍ର ସେ ନିଜକୁ ନିବୃତ୍ତ ନ କଲେ ଅନ୍ୟମାନେ ତାକୁ ଆଉ ପିଇବାକୁ ମନା କରନ୍ତି। ସେଥିପାଇଁ ଯେଉଁ ସମାଜରେ ମଦ ପିଇବା ସାମାଜିକତାର ଅଙ୍ଗ, ସେଠି ମାତଲାମିର ଘଟଣା ଅପେକ୍ଷାକୃତ କମ୍।

ମାତଲାମି ଅବସ୍ଥା ଓ ମଦର ନିଶା ଏଇ ଦିଓଟି ଅବସ୍ଥା କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ଜିନିଷ, ବେଶି ମଦ ପିଇ ନିଶା ଘାରିଲେ ଲୋକେ ମାତାଲ ହୁଅନ୍ତି। ମାତ୍ର ଥରେ ଏପରି ଅଭିଜ୍ଞତା ହେଲେ ସେମାନେ ସାବଧାନ ହୋଇ କ୍ଵଚିତ୍ କେବେ ପିଆପିଇ କରନ୍ତି କିମ୍ବା ଅତି ଅଳ୍ପମାତ୍ରାରେ ପିଅନ୍ତି। ଯିଏ ପ୍ରାୟ ମାତାଲ ହୁଏ ତା’ର ନିଶାଖୋର ହେବାର ସମ୍ଭାବନା ବହୁତ ବେଶି କିମ୍ବା ସେ ହୁଏତ ନିଶାଖୋର ହୋଇଥିବାରୁ ବହୁତ ମଦ ନ ପିଇ ରହିପାରେ ନାହିଁ। ମଣିଷର ନିଶାଖୋର ଅବସ୍ଥା ହେଲେ ଏହା ଏକ ରୋଗରେ ରୂପାନ୍ତରିତ ହୁଏ।

ମଦ ପିଇବା ବନ୍ଦ କଲେ ତା’ର ମୁଣ୍ଡ ବିନ୍ଧେ, ହାତଗୋଡ ଥରେ, ଉତ୍କଣ୍ଠା ବଢ଼େ। ମନ ଏମିତି ଚିଡ଼ିଚିଡ଼ି ଅବସ୍ଥାରେ ଥାଏ ଯେ ଟେଲିଫୋନ୍ ବାଜିଲେ କି କିଏ ଜୋରରେ କଥାବାର୍ତ୍ତା କଲେ ଶବ୍ଦ ସହିନପାରି ସେ ରାଗରେ ଫାଟିପଡେ। ଏଇ ଅବସ୍ଥାରେ କେବଳ ଆଉ ଟିକେ ମଦ ପିଇଲେ ତାକୁ ଶାନ୍ତି ଲାଗେ। ତେଣୁ ସେ ଆଉ ଟିକେ ମଦ ପିଇ ପ୍ରକୃତିସ୍ଥ ହୁଏ ଓ ନିଜର ସ୍ଵାଭାବିକ ଅବସ୍ଥାକୁ ଫେରିଆସେ। ଅଧିକାଂଶ ଲୋକ ନିଜର ‘ମଦ ନ ପିଇଲେ ଚଳିପାରୁ ନାହିଁ’ ଅବସ୍ଥାଟିକୁ ଅଗ୍ରାହ୍ୟ ଓ ଅସ୍ଵୀକାର କରନ୍ତି। ଯାହାଙ୍କର ମଦ ପିଇବା ଅଭ୍ୟାସ ଅଛି, ସେମାନେ କୁହନ୍ତି- ‘ମୋତେ କାହିଁକି ସର୍ଦ୍ଦିଜ୍ଵର ହେଲା ପରି ଲାଗୁଛି, ବିନ୍ଧୁଛି, ଦେହଟା ଶୀତେଇ ଉଠୁଛି, ଟିକେ କମ୍ପ ଲାଗିଲା ପରି ଲାଗୁଛି।’ ତେଣୁ ପ୍ରଥମେ ମୁଣ୍ଡବିନ୍ଧା ଔଷଧ, ତା’ ପରେ ଚାହା ବା କଫି ପିଇ କାହାକୁ କିଛି ନ କହି ଅଳ୍ପ ଟିକେ ପିଇ ଦିଅନ୍ତି। ତା’ପରେ ସବୁ ଭଲ ଲାଗେ।
ଏଭଳି ପିଇବାଟା ବର୍ତ୍ତମାନ ଆତ୍ମସଂଯତର ଅଭାବ ଯୋଗୁଁ ହେଉ ନାହିଁ, ଦେହରେ ମଦର ପରିମାଣ କମିଗଲାରୁ ଦେହର ଏପରି ଅସ୍ଵାଭାବିକ ତୃଷା ବଢ଼ୁଛି। ସେଥିପାଇଁ ମୁଣ୍ଡବିନ୍ଧା, ହାତଥରା ବା କମ୍ପ ପରି ଲାଗେ ଓ ମନର ଟେନସନ୍ ବଢ଼େ, ଉତ୍କଣ୍ଠା ବଢ଼େ, ମିଜାଜ୍ ଖରାପ ହୋଇଯାଏ। ଏସବୁ ଅନୁଭୂତି ଅନ୍ୟ କାରଣରୁ ଦେହ ଖରାପ ହେବାରୁ ହେଉଛି ନା ମଦ ପିଇ ନଥିବା ହେତୁ ଦେହ ଖରାପ ଲାଗୁଛି, ଏକଥା ବୁଝିବା ବେଶ୍ କଷ୍ଟ। ସେଥିପାଇଁ ମଦ ଅନେକ ଦିନ ଧରି ପିଇଲା ପରେ ଯେତେବେଳେ ହୃଦରୋଗ, ଲିଭର ରୋଗ, ଉଚ୍ଚ ରକ୍ତଚାପ, ପେଟ, ଖାଦ୍ୟନଳୀ, ଲିଭର, ମୁଣ୍ଡ ଓ ବେକର କ୍ୟାନସର ହେଲେ ରୋଗୀ ଡାକ୍ତରପାଖକୁ ଏସବୁ ରୋଗର ଚିକିତ୍ସା ପାଇଁ ଆସେ, ସେତେବେଳେ ଡାକ୍ତର ଦେଖନ୍ତି ଯେ ରୋଗୀର ଏସବୁ ରୋଗର ମୁଖ୍ୟ କାରଣ ହେଉଛି ତା’ର ମଦ ପିଇବାର ଅଭ୍ୟାସ।

ଡାକ୍ତର ତାକୁ ମଦ ଛାଡ଼ିବାକୁ ଉପଦେଶ ଦିଅନ୍ତି, ମାତ୍ର ଏଇ ଅବସ୍ଥାରେ ମଦ ଛଡ଼ାଇବା ପାଇଁ ଡାକ୍ତରୀ ଚିକିତ୍ସା ନ ହେଲେ, ପୁଣି ମଦ ଛାଡ଼ିଲା ପରେ ଆଉ ଥରେ ମଦ ପିଇବା ଆରମ୍ଭ ନ କରିବା ପାଇଁ ମନୋବୈଜ୍ଞାନିକ ଚିକିତ୍ସା ନ ହେଲେ ରୋଗୀ ମଦ ପିଇବା ଛାଡ଼ିପାରେ ନାହିଁ, ନିଜ ଚେଷ୍ଟାରେ ଛାଡ଼ିଦିଏ।

ପୁଣି କିଛିଦିନ ପରେ ପିଇବା ଆରମ୍ଭ କରେ। ଯେତେବେଳେ ଛାଡ଼ିଦିଏ, ସେତେବେଳେ ସେ ନିଜକୁ କୁହେ, ‘ମୋର ପ୍ରକୃତରେ ମଦ ଅଭ୍ୟାସ ହୋଇନାହିଁ। ନହେଲେ ପଦେ କଥାରେ କେମିତି ଛାଡ଼ିଦେଲି?’ ତା’ର ଏ ବିଷୟରେ ଏମିତି ଅବାସ୍ତବ ଆତ୍ମବିଶ୍ଵାସ ଜନ୍ମେ ଯେ ସେ ପୁଣି ଆଉ ଥରେ ପିଇବା ଆରମ୍ଭ କରେ। କାରଣ ସେ ଭାବେ ଯେ ଇଚ୍ଛା କଲେ ପରିମିତ ଭାବରେ ମଦ ପିଇ ରହିପାରିବ। ପିଇବାର ମାତ୍ରା ବଢ଼େଇବା ଓ କମେଇବା ତା’ର ନିଜ ହାତରେ ଅଛି। ଅଥଚ ନିଜର ଅନ୍ୟାନ୍ୟ ରୋଗ ଯେ ମଦ ପିଇବା ଯୋଗୁଁ ହୋଇଛି ଏକଥା କେବେ ମାନେ ନାହିଁ। ସେମାନେ କହିବେ-‘ଡାକ୍ତର କ’ଣ ସବୁ ଜାଣନ୍ତି? ସେ ସେମିତି କହିବା କଥା ବୋଲି କହୁଛନ୍ତି।’

ନିଜର ମାନସିକ ସମସ୍ୟା ଯଥା: ଉତ୍କଣ୍ଠା, ମନର ବିରାଗ ଓ ବିଷାଦ ଭାବ ଯେ ମଦ ଖାଇବାର ଫଳ, ସେ କଥା ଯେ ଜାଣିନଥାନ୍ତି। ନିଜର ଚାକିରି ଜାଗାର ସମସ୍ୟା କିମ୍ବା ସ୍ତ୍ରୀ ସହିତ ଅଶାନ୍ତି, ପିଲାଙ୍କର ଅବାଧ୍ୟତା ଇତ୍ୟାଦି ଅନ୍ୟ କାରଣରୁ ଏସବୁ ହେଉଛି ବୋଲି ସେ ଭାବିଥାଏ। ସେହିପରି ରାତିରେ ନିଦ ନ ହେଲେ ଓ ନିଜର ଯୌନ ଜୀବନରେ ଗୋଳମାଳ ହେଲେ (ପୁରୁଷଙ୍କର ଏସବୁ ଗୋଳମାଳ ବେଶି ହୁଏ), ସ୍ତ୍ରୀ ଉପରେ ଦୋଷ ଦିଏ। ମଦ ପିଇବାର ଅଭ୍ୟାସ ଥିଲେ ପ୍ରଥମେ ଯୌନ କାମନା ବହୁତ କମିଯାଏ। ଲିଙ୍ଗର ଉତ୍ଥାନ ଶକ୍ତି କମିଯାଏ, ଅକାଳରେ ବୀର୍ଯ୍ୟସ୍ଖଳନ ଓ ପୁରୁଷତ୍ଵହାନି ଦେଖାଯାଏ।

ଶତକଡ଼ା ପଞ୍ଚାବନରୁ ଷାଠିଏ ଜଣ  ମଦ୍ୟାସକ୍ତ ପୁରୁଷ ଲୋକଙ୍କଠାରେ ଏହିପରି ଯୌନ ସମସ୍ୟା ଦେଖାଯିବାର ଘଟଣା ୟୁରୋପ ଓ ଆମେରିକାର ବିଭିନ୍ନ ଗବେଷଣାରୁ ଜଣାଯାଇଛି। ଯେଉଁମାନେ ମଦ ପିଇବା ଯୋଗୁଁ ଲିଭର ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି, ସେପରି ରୋଗୀଙ୍କୁ ପରୀକ୍ଷା କରି ତାଙ୍କର ଅଣ୍ଡକୋଷର କ୍ରିୟାରେ ଗୋଳମାଳ ହେବାର ଦେଖାଯାଉଛି। ଏଠି ଏ ବିଷୟଟି ଲେଖିବାର କାରଣ ମଦ ବଳବର୍ଦ୍ଧକ, ତେଜବର୍ଦ୍ଧକ ଓ କାମବର୍ଦ୍ଧକ ବୋଲି ବହୁତ ଲୋକଙ୍କ ମନରେ ଭୁଲ୍ ଧାରଣା ରହିଛି। (ମଦ ଓ ବେଶ୍ୟା ଉଭୟ ଏକାଠି ଦେଖାଯାଏ ବୋଲି ଲୋକଙ୍କ ଲୋକଙ୍କର ଧାରଣା ଯେ ମଦ କାମଲାଳସା ବଢ଼ାଏ ଓ ରମଣ କ୍ଷମତା ବଢ଼ାଏ) ବେଶି ମଦ ପିଇଲେ ବା ମଦର ଅଭ୍ୟାସ ଥିଲେ ମଣିଷର ବଳ, ତେଜ କାମନା ସବୁ ଭୁଲିଯାଏ। ଲୁଣ ମାଟିହାଣ୍ଡିକୁ ଖାଇଗଲା ପରି ମଦ ଦେହକୁ ଖାଇଯାଏ।

(ସୌଜନ୍ୟ: ମନର ଅନ୍ଧାର, ମାନସିକ ସମସ୍ୟା)

Comment