ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵର ସର୍ବାଧିକ ଲୋକପ୍ରିୟ ସୋସିଆଲ ସାଇଟ ଫେସବୁକକୁ ନେଇ ଏବେ ସବୁଠି ଚର୍ଚ୍ଚା। ଡାଟା ଲିକ୍ ଘଟଣାରେ ଛନ୍ଦି ହୋଇପଡ଼ିଛି ଫେସବୁକ୍। ଏଥିପାଇଁ ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କୁ କାଠଗଡାରେ ଛିଡ଼ା ହେବାକୁ ପଡ଼ିଛି। ଦୁଇ ଦୁଇଥର ସର୍ବସାଧାରଣରେ କ୍ଷମା ବି ମାଗିସାରିଲେଣି ବିଶ୍ଵର ଅନ୍ୟତମ ପ୍ରଭାବଶାଳୀ ବ୍ୟକ୍ତି ଭାବେ ପରିଚିତ ମାର୍କ ଜୁକରବର୍ଗ।
ଆସନ୍ତୁ ଜାଣିବା କେମିତି ଥିଲା ଫେସବୁକ ନିର୍ମାତାଙ୍କ ଜୀବନଯାତ୍ରା…
ବହୁଳ ବ୍ୟବହୃତ ସୋସିଆଲ ମିଡିଆ ଫେସବୁକ୍ର ନିର୍ମାତା ହେଉଛନ୍ତି ମାର୍କ ଇଲିଅଟ ଜୁକରବର୍ଗ। ୧୯୮୪, ମେ ୧୪ରେ ଆମେରିକାର ନ୍ୟୁୟର୍କ ସହରର ହ୍ୱାଇଟ୍ ପ୍ଲେନରେ ଜନ୍ମଗ୍ରହଣ କରିଥିଲେ ଜୁକରବର୍ଗ। ପିତା କ୍ୟାରେନ ଜଣେ ମନୋସ୍ତତ୍ଵବିଜ୍ଞାନୀ ହୋଇଥିବାବେଳେ ମା’ ଜଣେ ଦନ୍ତ ଚିକିତ୍ସକ ଭାବେ ଖ୍ୟାତି ଅର୍ଜନ କରିଥିଲେ।
ପ୍ରାରମ୍ଭିକ ପର୍ଯ୍ୟାୟ
ମାର୍କ ଜୁକରବର୍ଗ ଜଣେ ମେଧାବୀ ଛାତ୍ର ଥିଲେ । ମାତ୍ର ୧୨ବର୍ଷ ବୟସରେ କମ୍ପ୍ୟୁଟର ବିଷୟରେ ଅନେକ ଜ୍ଞାନ ହାସଲ କରିସାରିଥିଲେ ମାର୍କ। ଏହି ସମୟରେ ତାଙ୍କ ପିତା ସି++ ନାମକ ଏକ ପୁସ୍ତକ ତାଙ୍କୁ ଉପହାରସ୍ଵରୂପ ଦେଇଥିଲେ। ଏହାକୁ ପଢ଼ି ସେ ପ୍ରୋଗ୍ରାମିଙ୍ଗ୍ ଡେଭ୍ଲୋପିଙ୍ଗ୍ ବିଷୟରେ ଅନେକ ତଥ୍ୟ ଜାଣିବାକୁ ପାଇଲେ।
ଫେସବୁକ୍ ନିର୍ମାଣ ପୂର୍ବରୁ
ମାତ୍ର ୧୭ବର୍ଷ ବୟସରେ ନିଜ ସାଙ୍ଗ ମାନଙ୍କ ସହ ମିଶି ‘ସିନେପ୍ସ ମିଡିଆ ପ୍ଲେୟାର୍’ ନିର୍ମାଣ କରିଥିଲେ। ନିଜ ମନ ପସନ୍ଦର ଗୀତକୁ ଷ୍ଟୋର୍ କରି ରଖିବାରେ ଏହା ବେଶ୍ ସହାୟକ ହୋଇପାରିଥିଲା।
ଜୁକରବର୍ଗଙ୍କ ମଧ୍ୟରେ ଶିଖିବାର ଇଚ୍ଛା ଏତେ ମାତ୍ରାରେ ଥିଲା ଫେସବୁକ୍ ନିର୍ମାଣ କରିବା ପୂର୍ବରୁ ଫେସମାସ ନାମକ ଏକ ୱେବସାଇଟ୍ ନିର୍ମାଣ କରିଥିଲେ। ଏହା ଏକ ମଜାଦାର ସାଇଟ୍ ଥିଲା। ଏହି ସାଇଟରେ ଦୁଇଜଣଙ୍କ ଫଟୋ ଅପଲୋଡ୍ କଲେ ଜାଣିହେବ କି କିଏ ସବୁଠୁ ହଟ୍। ଏହି ସାଇଟକୁ ନେଇ ବହୁ ବିବାଦ ଦେଖାଯାଇଥିଲା। ଏହା ବ୍ୟକ୍ତିଗତ ଜୀବନରେ ପ୍ରଭାବ ପକାଉଛି ବୋଲି ଅଭିଯୋଗ କରି ଅନେକ ଛାତ୍ର ଏହାର ବିରୋଧ କରିଥିଲେ। କିନ୍ତୁ ମାର୍କ ଆଶା ଛାଡ଼ି ନଥିଲେ। ବିବାଦ ସତ୍ତ୍ଵେ ଫେସମାସ ବହୁ ଲୋକପ୍ରିୟତା ହାସଲ କରିଥିଲା। ଏହାର ବ୍ୟବହାରକାରୀଙ୍କ ସଂଖ୍ୟା ୧୦ଲକ୍ଷ ଟପିଥିଲା।
ଫେସବୁକ୍
ଫେସମାସ ଦ୍ଵାରା ଅନୁପ୍ରାଣୀତ ହେଇ ମାର୍କ ଜୁକରବର୍ଗ ହାବାର୍ଡ ବିଶ୍ଵବିଦ୍ୟାଳୟସ୍ଥିତ ନିଜ ରୁମମେଟ ହଷ୍ଟିନ ମୋସ୍କୋଭିଜଙ୍କ ସହିତ ମିଶି ଫେସବୁକ ନିର୍ମାଣ କଲେ। ପରେ ଜୁକରବର୍ଗ ଏବଂ ମୋସ୍କୋଭିଜ ସେମାନଙ୍କର ଅନ୍ୟ କେତେ ବନ୍ଧୁଙ୍କୁ ନେଇ କାଲିଫର୍ଣ୍ଣିଆର ପାଲୋ ଅଲ୍ଟୋ ଚାଲିଆସିଥିଲେ। ଏକ ଘର ଭଡ଼ା ନେଇ ସେଠାରେ ଫେସବୁକର କାର୍ଯ୍ୟାଳୟ ଖୋଲିଥିଲେ। ଜୁକରବର୍ଗଙ୍କ ଉଦ୍ୟମ କ୍ରମେ ପିଟର ଥିଏଲ ଫେସବୁକରେ ପୁଞ୍ଜି ନିବେଶ କରିଥିଲେ।୨୦୦୪ର ମଧ୍ୟ ଭାଗରେ ଫେସବୁକର ପ୍ରଥମ କାର୍ଯ୍ୟାଳୟ ଉଦଘାଟନ ହେଇଥିଲା।
ଫେସବୁକ ଦ୍ଵାରା ବ୍ୟବହାରକାରୀ ନିଜର ଏକ ପ୍ରୋଫାଇଲ୍ ପ୍ରସ୍ତୁତ କରିବା ସହ ଫଟୋ ମଧ୍ୟ ଅପଲୋଡ୍ କରିପାରିବେ।
ଏହାପରେ ଜୁକରବର୍ଗ କଲେଜ୍ ଛାଡ଼ିଦେଇଥିଲେ। ଫେସବୁକକୁ ଅଧିକ ବିକଶିତ କରିବା ପାଇଁ ଲାଗିପଡ଼ିଲେ। ଏହାର ଫଳ ଖୁବଶିଘ୍ର ଦେଖବାକୁ ମଧ୍ୟ ମିଳିଥିଲା। ୨୦୦୪ ଶେଷ ଆଡ଼କୁ ଫେସବୁକ୍ ବ୍ୟବହାରକାରୀଙ୍କ ସଂଖ୍ୟା ୧ ମିଲିୟନରେ ପହଞ୍ଚିଥିଲା।
୨୦୦୫ରେ ଭେନଚର୍ କ୍ୟାପିଟାଲ୍ ଏକ୍ସେଲ୍ ପାର୍ଟନର୍ ୧୨.୭ ମିଲିୟନ୍ ଡଲାର ଫେସବୁକ୍ ନେଟୱାର୍କରେ ନିବେଶ କରିଥିଲା। ସର୍ବପ୍ରଥମେ ଫେସବୁକ୍ ଆଇୱେ ଲିଗ୍ର ଛାତ୍ରଛାତ୍ରୀଙ୍କ ପାଇଁ ଖୋଲା ଯାଇଥିଲା। ଏହାପରେ ଅନ୍ୟ କଲେଜ୍, ସ୍କୁଲ, ଇଣ୍ଟରନାସନାଲ ସ୍କୁଲରେ ଯୋଡ଼ି ହେବାକୁ ଲାଗିଥିଲା। ୨୦୦୫ ଡିସେମ୍ବର ଶେଷ ପର୍ଯ୍ୟନ୍ତ ଫେସବୁକ୍ ବ୍ୟବହାରକାରୀଙ୍କ ସଂଖ୍ୟା ୫.୫ମିଲିୟନ୍ ପାର୍ ହୋଇଥିଲା।
ହ୍ଵାଟସଆପ୍ ଓ ଇନ୍ଷ୍ଟାଗ୍ରାମ ଉପରେ କବ୍ଜା
୧୯ ଫେବ୍ରୁଆରୀ ୨୦୧୪ରେ ଫେସବୁକ୍ ଅନ୍ୟତମ ଲୋକପ୍ରିୟ ସୋସିଆଲ ସାଇଟ୍ ହ୍ଵାଟସଆପକୁ କିଣିଥିଲା। ୧୯ ବିଲିୟନ୍ ଡଲାରରେ ଫେସବୁକ୍ ହ୍ଵାଟସଆପକୁ କିଣିଥିଲା। ଏଥିମଧ୍ୟରୁ ୪ ବିଲିୟନ୍ ଡଲାର୍ କ୍ୟାସ୍ ମାଧ୍ୟମରେ ଦିଆଯାଇଥିଲା। ବାକି ଟଙ୍କା ସେୟାର୍ ଆକାରରେ ଦିଆଯାଇଥିଲା। ଫେସବୁକ୍ ହ୍ଵାଟସଆପକୁ କିଣିବାବେଳେ କିଛି ସର୍ତ୍ତ ରଖାଯାଇଥିଲା। ହ୍ଵାଟସଆପ ସ୍ଵାଧୀନ ଭାବେ କାମ କରିବ। ପୁରୁଣା ସବୁ କର୍ମଚାରୀଙ୍କ ପଦବୀ ବଜାୟ ରହିବ। ଏତେ ସବୁ ସର୍ତ୍ତ ଜାଣିବା ପରେ ବି ଜୁକରବର୍ଗ ହ୍ଵାଟସଆପକୁ କିଣିଥିଲେ।
ପରେ ଅନ୍ୟତମ ସୋସିଆଲ ମିଡ଼ିଆ ୨୦୧୭ରେ ଇନ୍ଷ୍ଟାଗ୍ରାମକୁ ମଧ୍ୟ ନିଜ କବ୍ଜାକୁ ଆଣିଥିଲା ଫେସବୁକ୍।
ବିବାଦ ଓ ଜୁକରବର୍ଗ
ବହୁତ ଶିଘ୍ର ଉଚ୍ଚଶିଖରରେ ପହଞ୍ଚିବା ପରେ ଜୁକରବର୍ଗଙ୍କ ନାଁ ବିବାଦରେ ଯୋଡି ହୋଇଥିଲା। ଥରେ ହାବାର୍ଡ କନେକସନର କ୍ରିଏଟର୍ସ ତାଙ୍କ ଉପରେ ଅଭିଯୋଗ କରିଥିଲେ କି ଜୁକରବର୍ଗ ତାଙ୍କ ଆଇଡିଆ ଚୋରାଇଛନ୍ତି।
୨୦୧୮ ଫେସବୁକ୍ର ତଥ୍ୟକୁ ବ୍ରିଟେନର କେମ୍ବ୍ରିଜ ଆନାଲିଟିକା (ସିଏ) ନାମକ କମ୍ପାନୀ ଚୋରି କରି ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ପ୍ରଭାବିତ କରିଥିଲା। ଏପରିକି ନାଇଜେରିଆ, କେନିଆ, ବ୍ରାଜିଲ ନିର୍ବାଚନ ଓ ବ୍ରେକଜିଟ୍ ଗଣଭୋଟକୁ ପ୍ରଭାବିତ କରିଥିବା ଅଭିଯୋଗ ହୋଇଥିଲା।
ଜୁକରବର୍ଗଙ୍କ କ୍ଷମା ପ୍ରାର୍ଥନା
“ଫେସବୁକ୍ରୁ ତଥ୍ୟ ଚୋରି ହେବା ଏକ ଭୁଲ୍। ଏହି ଭୁଲ୍ ପାଇଁ ସେ ଦାୟୀ। କେବଳ ତଥ୍ୟ ଚୋରି ନୁହେଁ; ଫେସବୁକ୍ରେ ଯାହା କିଛି ଅସୁବିଧା ସୃଷ୍ଟି ହେଉଛି ସେଥିପାଇଁ ସେ ଦାୟୀ। ତେଣୁ ଆଗାମୀ ଦିନରେ ଫେସବୁକ୍ ୟୁସର୍ଜଙ୍କ ତଥ୍ୟ ସୁରକ୍ଷିତ ରଖିବା ଦିଗରେ ସେ ଯତ୍ନବାନ ହେବେ। ଯଦି ୟୁଜର୍ସଙ୍କ ତଥ୍ୟକୁ ସୁରକ୍ଷିତ ରଖି ନ ପାରିବୁ ତେବେ ଆମେ ସେବା ଯୋଗାଇ ଦେବାକୁ ଅଯୋଗ୍ୟ ମନେ କରିବୁ”, କହିଛନ୍ତି ଜୁକରବର୍ଗ।
“ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ ଏହି ସାମାଜିକ ଗଣମାଧ୍ୟମକୁ ଆରମ୍ଭ କରିଥିଲି। ମୁଁ ବୈଷୟିକ ତ୍ରୁଟି ଓ ବ୍ୟାବସାୟିକ ତ୍ରୁଟି କରିଛି। ମୁଁ ଭୁଲ ଲୋକଙ୍କୁ ସାଥିରେ ନେଇ କାମ କରିଥିଲି। ସେମାନଙ୍କୁ ବିଶ୍ୱାସ କରିଥିଲି। ସେମନେ ମୋ ସହ ବିଶ୍ଵାସଘାତକତା କରିଛନ୍ତି। କେଉଁ ଆପ୍ସକୁ ଅଧିକ ତଥ୍ୟ ଟ୍ରାନ୍ସଫର ହୋଇଛି ତାକୁ ଆଗ ଯାଞ୍ଚ କରାଯିବ”, କହିଛନ୍ତି ଜୁକରବର୍ଗ।
ସଫଳତାର ରାଜ୍
ନିଜ ସଫଳତାର ରାଜ୍ ବଖାଣିବାକୁ ଯାଇ ମାର୍କ ଜୁକରବର୍ଗ କୁହନ୍ତି ଜୀବନରେ ରିସ୍କ ନେବା ହେଉଛି ସଫଳତାର ଗ୍ୟାରେଣ୍ଟି। ଜୁକରବର୍ଗ କେବେ ବି ଚାକିରୀ ପଛରେ ଦୌଡ଼ିନଥିଲେ। ସବୁବେଳେ ନିଜ କର୍ମ ଉପରେ ବିଶ୍ଵାସ ରଖିଥିଲେ। ଯାହା ତାଙ୍କୁ ସଫଳତାର ଉଚ୍ଚଶିଖରରେ ପହଞ୍ଚାଇ ଦେଇଥିଲା।








ବିଶ୍ଵର ସର୍ବାଧିକ ଲୋକପ୍ରିୟ ସୋସିଆଲ ସାଇଟ ଫେସବୁକକୁ ନେଇ ଏବେ ସବୁଠି ଚର୍ଚ୍ଚା। ଡାଟା ଲିକ୍ ଘଟଣାରେ ଛନ୍ଦି ହୋଇପଡ଼ିଛି ଫେସବୁକ୍। ଏଥିପାଇଁ ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କୁ କାଠଗଡାରେ ଛିଡ଼ା ହେବାକୁ ପଡ଼ିଛି। ଦୁଇ ଦୁଇଥର ସର୍ବସାଧାରଣରେ କ୍ଷମା ବି ମାଗିସାରିଲେଣି ବିଶ୍ଵର ଅନ୍ୟତମ ପ୍ରଭାବଶାଳୀ ବ୍ୟକ୍ତି ଭାବେ ପରିଚିତ ମାର୍କ ଜୁକରବର୍ଗ।








