ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବିଜେପି ବିଧାୟକଙ୍କୁ କୋର୍ଟରେ ହାଜର କଲା ସିବିଆଇ
  • ପୀଡ଼ିତା-ବିଧାୟକଙ୍କ ଡାକ୍ତରୀ ମାଇନା
  • ମେଡିକାଲରେ ମୁଣ୍ଡ ବୁଲାଇ ତଳେ ପଡ଼ିଗଲେ
  • ବିଧାୟକଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ଉତ୍ତରପ୍ରଦେଶ ଉନ୍ନାଓ ଦୁଷ୍କର୍ମ ମାମଲାରେ ଗିରଫ ବିଧାୟକ କୁଲଦୀପ ସିଂ ସେଙ୍ଗର୍‌ଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ। ଅଭିଯୁକ୍ତ ବିଧାୟକଙ୍କୁ ଶନିବାର କୋର୍ଟରେ ହାଜର କରିଥିଲା ସିବିଆଇ। ବିଧାୟକଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ସିବିଆଇ କୋର୍ଟରେ ଆବେଦନ କରିଥିଲା। ସିବିଆର ଆବେଦନକୁ କୋର୍ଟ ଗ୍ରହଣ କରି ନେଇଛନ୍ତି।

କୋର୍ଟରେ ହାଜର ହେବା ପରେ ବିଧାୟକ କୁଲଦୀପ କହିଥିଲେ ଯେ ନ୍ୟାୟ ବ୍ୟବସ୍ଥା ଉପରେ ତାଙ୍କର ପୂର୍ଣ୍ଣ ଭରସା ଅଛି। ତାଙ୍କୁ ନ୍ୟାୟ ମିଳିବ।

ଶନିବାର ବିଧାୟକ ଏବଂ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଛି। ଡାକ୍ତରୀ ପରୀକ୍ଷା ପରେ ପୀଡ଼ିତାଙ୍କୁ ସୁରକ୍ଷିତ ଭାବେ ଉନ୍ନାଓରେ ପହଞ୍ଚା ଯାଇଛି। ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ପୀଡ଼ିତାଙ୍କ ମୁଣ୍ଡ ବୁଲାଇବାରୁ ସେ ପଡ଼ି ଯାଇଥିଲେ। ମାନସିକ ଚାପ ଯୋଗୁଁ ପୀଡ଼ିତା ଅସୁସ୍ଥ ହୋଇଯାଇଥିବା ଡାକ୍ତର ସୂଚନା ଦେଇଥିଲେ।

ଉତ୍ତରପ୍ରଦେଶ ଉନ୍ନାଓ ବଳାତ୍କାର ମାମଲାରେ ସିବିଆଇ କୁଲଦୀପଙ୍କୁ ଶୁକ୍ରବାର ରାତିରେ ଗିରଫ କରିଥିଲା। ଶୁକ୍ରବାର ଦିନ ସାରା କୁଲଦୀପଙ୍କୁ ମାରାଥନ ଜେରା କରିବା ପରେ ରାତିରେ ତାଙ୍କୁ ଗିରଫ କରାଯାଇଥିବା ସିବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା।

ଶୁକ୍ରବାର ସକାଳେ କୁଲଦୀପଙ୍କୁ ସିବିଆଇ ହେପାଜତକୁ ନେଇଥିଲା। ଲକ୍ଷ୍ନୌରେ ସିବିଆଇ ଅଧିକାରୀ କୁଲଦୀପଙ୍କୁ ପ୍ରାୟ ୧୫ ଘଣ୍ଟା ଧରି ଜେରା କରିଥିଲେ। ବଳାତ୍କାର ଅଭିଯୋଗ ସମ୍ପର୍କରେ ଖୋଳିତାଡ଼ି ପଚାରିଥିଲେ। ତେବେ ତାଙ୍କ ଗିରଫକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା।

ଆହ୍ଲାବାଦ ହାଇକୋର୍ଟ ମଧ୍ୟ କଡ଼ା ଟିପ୍ପଣୀ ଦେଇଥିଲେ। ଅଭିଯୁକ୍ତ ବିଧାୟକଙ୍କୁ ଅଟକ ନୁହେଁ ଗିରଫ କରିବାକୁ କହିଥିଲେ। ଶେଷରେ ବିଧାୟକଙ୍କୁ ଗିରଫ ମାମଲାରେ ସିବିଆଇ ଗିରଫ କରିଛି।

୨୦୧୭ ମସିହାରେ ଜଣେ ଯୁବତୀ ଚାକିରି ଆଶା ନେଇ ବାଙ୍ଗରମଉ ବିଧାୟକ କୁଲଦୀପ ସିଙ୍ଗରଙ୍କ ବାସଭବନକୁ ଯାଇଥିଲେ। ହେଲେ ସେଠାରେ ବିଧାୟକ ଏବଂ ତାଙ୍କ ଭାଇ ଯୁବତୀଙ୍କୁ ଜୋର୍ ଜବରଦସ୍ତ ବଳାତ୍କାର କରିଥିଲେ। ଏ ସମ୍ପର୍କରେ ମୁହଁ ଖୋଲିଲେ ମାରିଦେବା ପାଇଁ ଧମକ ଦିଆଯାଇଥିଲା।

ଏହାକୁ ନେଇ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଅଭିଯୁକ୍ତ ବିଧାୟକଙ୍କୁ ଗିରଫ କରିବା ପାଇଁ ଦାବି ହେଲା। ହେଲେ ଉତ୍ତରପ୍ରଦେଶ ସରକାର ପ୍ରମାଣ ନଥିବା କହି ଏଡ଼ାଇଗଲେ। ଜୋରଦାର ବିରୋଧ ହେବାକୁ ଉତ୍ତରପ୍ରଦେଶ ସରକାର ସିବିଆଇ ତଦନ୍ତ ଆଦେଶ ଦେଇଥିଲେ।

Comment