ଓଡ଼ିଶାଲାଇଭ୍‌ ବ୍ୟୁରୋ

କାଳବୈଶାଖୀରେ କଟକ ଜିଲ୍ଲାର ହ୍ୟୁମାନ ରିସୋର୍ସ ମ୍ୟାନେଜମେଣ୍ଟ ସିଷ୍ଟମ(ଏଚଆରଏମଏସ) ସର୍ଭର ପୋଡ଼ି ଯାଇଥିବାରୁ ୪ ଲକ୍ଷ ସରକାରୀ କର୍ମଚାରୀ ଅସୁବିଧା ଭୋଗୁଛନ୍ତି।

ନିକଟରେ ଘଟିଯାଇଥିବା କାଳବୈଶାଖୀ ଝଡ଼ ଯୋଗୁଁ ପ୍ରାୟ ୪ ଲକ୍ଷ କର୍ମଚାରୀ ହରକତରେ ପଡିଛନ୍ତି। ଝଡ଼ ଯୋଗୁଁ ଦରମା ମିଳିବାରେ ବିଳମ୍ବ ମୁଖ୍ୟତଃ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି।

କଟକ ଜିଲ୍ଲା ସରକାରୀ କର୍ମଚାରୀ ସଙ୍ଘର ସଭାପତି ପ୍ରକାଶ ଦେବତାଙ୍କ କହିବା ଅନୁଯାୟୀ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ କାଳ ବୈଶାଖୀର ପ୍ରଭାବକୁ ଭୋଗୁଛନ୍ତି।

ନିକଟରେ ହୋଇଥିବା କାଳ ବୈଶାଖୀରେ କଟକ ଜିଲ୍ଲାର ହ୍ୟୁମାନ ରିସୋର୍ସ ମ୍ୟାନେଜମେଣ୍ଟ ସିଷ୍ଟମ(ଏଚଆରଏମଏସ) ସର୍ଭର ପୋଡ଼ି ଯାଇଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛି। ଏହି ସର୍ଭରରେ କର୍ମଚାରୀଙ୍କ ଦରମା ସମ୍ପର୍କିତ ସମସ୍ତ ପ୍ରକାର ବିବରଣୀ ଥାଏ। ଏହି ଡାଟାବେସ ଓ ଅନଲାଇନ ସଫ୍ଟୱେରରେ କର୍ମଚାରୀଙ୍କ ଦରମା ଆଦି ଆପଣା ଛାଏଁ ପ୍ରୋସେସ ହୋଇଥାଏ।

ସାଧାରଣତଃ ପରବର୍ତ୍ତୀ ମାସର ପ୍ରଥମ ସପ୍ତାହରେ ପିଛିଲା ମାସର ଦରମା ସରକାରୀ କର୍ମଚାରୀମାନେ ପାଇଥାନ୍ତି। ଏହି ଦରମା ସିଧା ସଳଖ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଥାଏ।

କାଳବୈଶାଖୀ ଯୋଗୁଁ ହଠାତ ଲାଇନ ପଳାଇବା ଫଳରେ ସର୍ଭର ପୋଡ଼ିଯାଇଛି ବୋଲି କହିଛନ୍ତି ଏସ୍‌ଏଫ୍‌ଟିଆଇର ଜଣେ ଅଧିକାରୀ।

ହାତଲେଖା ଜରିଆରେ ଦରମା ପ୍ରୋସେସ ଆଉ ହେଉନାହିଁ। ଏହିଭଳି ବୈଷୟିକ ତ୍ରୁଟି ଫଳରେ ସିଷ୍ଟମ ଡାଉନ ହୋଇଯାଉଛି। ତାହା ନସଜାଡ଼ିବା ପର୍ଯ୍ୟନ୍ତ କୌଣସି କାମ ସମ୍ଭବ ନୁହେଁ।

ଏହି ଏଚ୍‌ଆର୍‌ଏମ୍‌ଏସ୍‌ ସର୍ଭରଟି ଭୁବନେଶ୍ଵରରେ ଥିବା ସଫ୍ଟୱେର ଟକ୍ନୋଲୋଜି ପାର୍କରେ ଅବସ୍ଥିତ। ତେବେ ଇତି ମଧ୍ୟରେ ସର୍ଭର ଠିକ୍ ହୋଇଥିବା ଏବଂ ଖୁବ୍ ଶୀଘ୍ର କର୍ମଚାରୀମାନେ ଦରମା ପାଇଯିବେ ବୋଲି କହିଛନ୍ତି ଏଚଆରଏମଏସ ଦାୟିତ୍ୱରେ ଥିବା ସ୍ୱତନ୍ତ ସଚିବ ଏ କେ ମୀନା।

Comment