ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ନାରୀ ଅବଳା ନୁହେଁ କି ଦୁର୍ବଳା ନୁହେଁ’ ଏହି ଉକ୍ତିଟିର ବାସ୍ତବିକତାକୁ ପ୍ରମାଣିତ କରିଦେଖାଇଛନ୍ତି ଭାରତୀୟ ମହିଳା ଭାରୋତ୍ତୋଳନକାରୀ ପୁନମ ଯାଦବ।

୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଶ ପାଇଁ ସ୍ଵର୍ଣ୍ଣ ଜିତିଛନ୍ତି ଭାରୋତ୍ତଳନକାରୀ ପୁନମ ଯାଦବ। ୬୯କିଲୋଗ୍ରାମ ବର୍ଗରେ

ପୁନମ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ମୋଟ ୨୨୨ କିଲୋଗ୍ରାମ୍ (୧୧୦ ଓ ୧୨୨କିଲୋ) ଓଜନ ଉଠାଇ ଦେଶ ପାଇଁ ସ୍ଵର୍ଣ୍ଣ ଜିତିଛନ୍ତି।

“ଫାଇନାଲରେ ମୁଁ ନର୍ଭସ ଥିଲି। କିନ୍ତୁ ହାରିଯାଇନଥିଲି। ଆଶା ଥିଲା ଫାଇନାଲରେ ଭଲ ପ୍ରଦର୍ଶନ କରି ଦେଶ ପାଇଁ ପଦକ ଜିତିବି। ଏହି ଆଶାକୁ ପୂରଣ କରିବା ପାଇଁ ଫାଇନାଲରେ ନିଜର ସର୍ବଶ୍ରେଷ୍ଠ ଦେଇଥିଲି”, ସ୍ଵର୍ଣ୍ଣ ଜିତିବା ପରେ ଏହା କହିଛନ୍ତି ପୁନମ ଯାଦବ।

୨୨ବର୍ଷୀୟ ପୁନମ ଯାଦବଙ୍କ ଜନ୍ମ ଉତ୍ତର ପ୍ରଦେଶ ବାରଣାସୀର ଏକ ଗରିବ ପରିବାରରେ ହୋଇଥିଲା। ପୁନମଙ୍କ ବାପା କୈଳାଶ ନାଥ ଯାଦବ କ୍ଷୀର ବିକି ପରିବାର ଭରଣପୋଷଣ କରନ୍ତି। ପରିବାରର ଆର୍ଥିକ ଅବସ୍ଥା ଏତେ ଦୁର୍ବଳ ଥିଲା ଯେ ଓଳିଏ ଚୁଲି ଜଳିଲେ ଆର ଓଳି ଉପାସ ରହିବାକୁ ପଢ଼ୁଥିଲା।

ଦିନଥିଲା ପୁନମ ଘରେ ମଇଁଷି ଚରାଇବାକୁ ଯାଉଥିଲେ। ପୁନମ ଘରର ପରିସ୍ଥିତି ଦେଖି ନିଜକୁ ଜଣେ ଦୃଢ଼ମନା ଝିଅ ଭାବେ ଗଢ଼ିତୋଳିଲେ। ଏହି ସମୟରେ ଭାରୋତ୍ତୋଳନ ଖେଳ ବିଷୟରେ ଜାଣିବାକୁ ପାଇଲେ। ଏହି ଖେଳକୁ ନିଜ କ୍ୟାରିୟର ଭାବେ ଗଢ଼ିବା ପାଇଁ ଚେଷ୍ଟା ଆରମ୍ଭ କଲେ।

ଏହା ପରେ ଆଉ ପଛକୁ ଫେରି ଚାହିଁନଥିଲେ ପୁନମ। “ବଡ଼ ଭଉଣୀ କହିବାରୁ ମୁଁ ଭାରୋତ୍ତୋଳନ କରିବା ଆରମ୍ଭ କରିଥିଲି। ୨୦୧୪ମସିହାରେ ଭାରୋତ୍ତୋଳନ ଟ୍ରେନିଂ ଶିବିରକୁ ଆସିଥିଲି। ମୋ ବାପା କରଜ କରି ମୋତେ ଟ୍ରେନିଂ ପାଇଁ ପଠାଇଥିଲେ”, କହିଛନ୍ତି ପୁନମ।

ଅନେକ ସଂଘର୍ଷକୁ ପାର କରି ପୁନମ ଜୀବନର ଉଚ୍ଚ ଶିଖରରେ ପହଞ୍ଚିପାରିଛନ୍ତି। ଆଜି ଦେଶର କିଛି ଜଣାଶୁଣା ବଡ଼ ଭାରୋତ୍ତୋଳନକାରୀଙ୍କ ମଧ୍ୟରେ ପୁନମ ଯାଦବଙ୍କ ନାଁ ଗଣାଯାଉଛି। ବର୍ତ୍ତମାନ ପୁନମ ରେଳ ବିଭାଗର ଏକ ଉଚ୍ଚ ପଦବୀରେ କାର୍ଯ୍ୟରତ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଶ ପାଇଁ ସ୍ଵର୍ଣ୍ଣ ପଦକ ଜିତିବା ପରେ ପୁନମଙ୍କ ଉପରେ ଦେଶବାସୀଙ୍କ ସମ୍ମାନ ଆହୁରି ବଢ଼ିଯାଇଛି।

Comment