ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱର: ପୁଣି ଜଣେ ଓଡ଼ିଆ ଝିଅ କମାଲ୍ କରିଛନ୍ତି। ଜମ୍ମୁ-କାଶ୍ମିରର କଟ୍ରା ନିକଟସ୍ଥ କାକ୍ରିଆଲଠାରେ ଥିବା ବୈଷ୍ଣୋଦେବୀ ବିଶ୍ୱବିଦ୍ୟାଳୟର ଆର୍କିଟେକଚର ବିଭାଗରେ ବାଲେଶ୍ୱର ଝିଅ ଚିଦାନନ୍ଦ ଅର୍ପିତା ଶ୍ରେଷ୍ଠ ଛାତ୍ରୀ ଭାବରେ ସମ୍ମାନିତ ହୋଇଛନ୍ତି।

ବିଶ୍ୱବିଦ୍ୟାଳୟର ୬ଷ୍ଠ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ସେ ଗୋଟିଏ ସ୍ୱର୍ଣ୍ଣପଦକ ଏବଂ ୨ଟି ରୌପ୍ୟପଦକ ଗ୍ରହଣ କରିଛନ୍ତି।

ବିଶ୍ୱବିଦ୍ୟାଳୟର ଟପ୍ପର ହେବା ସହିତ ୨୦୧୬ ମସିହା ପାଇଁ  ଶ୍ରେଷ୍ଠ ଛାତ୍ରୀ ଗୌରବ ଓ ଡିଷ୍ଟିଂସନ ହାସଲ କରିଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ତନୋଟି ପଦକ ସହିତ ପୁରସ୍କାର ସ୍ୱରୂପ ୬୦ ହଜାର ଟଙ୍କାର ଅର୍ଥରାଶି ମଧ୍ୟ ପ୍ରଦାନ କରାଯାଇଛି।

ଏହି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ରାଜ୍ୟପାଳ ଏନ ଏନ ଭୋରା, ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି, ଏୟାରଟେଲର ମୁଖ୍ୟ ସୁନୀଲ ମିତ୍ତଲ, ହିରୋ ମଟୋକର୍ପର ଅଧକ୍ଷ ପଓ୍ଵନ ମୁଞ୍ଜଲ ପ୍ରମୁଖ ଉପସ୍ଥିତ ଥିଲେ।

ଚିଦାନନ୍ଦ ଅର୍ପିତା ବର୍ତ୍ତମାନ ବେଙ୍ଗଳୁରୁର ଆନନ୍ଦ ଆଣ୍ଡ ଆସୋସିଏଟସ ନାମକ ଆର୍କିଟେକ୍‌ଚୁରାଲ ଫାର୍ମରେ କାର୍ଯ୍ୟରତ। ଅର୍ପିତା ସମୁଦାୟ ୧୦ଟି ଯାକ ସେମିଷ୍ଟାରରେ ଟପ୍ପର ହୋଇ ୟୁନିଭର୍ସିଟିରେ ରେକର୍ଡ କରିଛନ୍ତି।

ଅର୍ପିତାଙ୍କୁ ଏହି ବିଶେଷସମ୍ମାନ ମିଳିଥିବାରୁ ବାଲେଶ୍ୱରର ମହର୍ଷି ବିଦ୍ୟାମନ୍ଦିର, ଫକିରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆନନ୍ଦର ଲହରି ଖେଳିଯାଇଛି। ଚିଦାନନ୍ଦ ଅର୍ପିତା ହେଉଛନ୍ତି କବି ଅଭୟ ଦାସ ଏବଂ ମହର୍ଷି ବିଦ୍ୟାମନ୍ଦିରର ସହକାରୀ ଶିକ୍ଷୟିତ୍ରୀ ମଞ୍ଜୁଲତା ବଳଙ୍କର ଝିଅ।

1 COMMENT

  1. ଓଡିଶା ଲାଇଭ୍ ଆହୁରି ପକ୍ଷ ବିସ୍ତାର କରୁ । ଶୁଭେଚ୍ଛା !

Comment