ଓଡ଼ିଶାଲାଇଭ୍‌ ବ୍ୟୁରୋ

master
ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେର

୬୦ ଦିନ ପରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ପର୍ଦ୍ଦାଫାଶ କରିଛି କ୍ରାଇମବ୍ରାଞ୍ଚ। ଏହି ରହସ୍ୟ ରୋମାଞ୍ଚଭରା କହାଣୀ କେମିତି ଘଟିଥିଲା ପଢ଼ନ୍ତୁ ପୂରା ରିପୋର୍ଟ।

  • ସୌମ୍ୟରିମାଙ୍କ ସଂସାର ଛାରଖାର କରିଦେଲେ ସାର୍
  • ମୃତ୍ୟୁ ଉପହାର କାହିଁକି ପଠାଇଲେ ପୁଞ୍ଜିଲାଲ?
  • ପୁଞ୍ଜିଲାଲଙ୍କ ପାଖରେ କେମିତି ପହଞ୍ଚିଲା କ୍ରାଇମବ୍ରାଞ୍ଚ?
  • କ୍ରାଇମବ୍ରାଞ୍ଚ ହାତକୁ କେମିତି ଗଲା ତଦନ୍ତ ଭାର?

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଉପରୁ ହଟିଛି ପରଦା। ପରଦା ଆଢ଼ୁଆଳରେ ରହି ଷଡ଼ଯନ୍ତ୍ର କରିଥିବା ମାଷ୍ଟରମାଇଣ୍ଡର ବି ମୁଖା ଖୋଲିଛି। ଦୁଇ ମାସର ଖୋଳତାଡ଼ ପରେ କାଇମବ୍ରାଞ୍ଚ ଏସ୍‌ଆଇଟି ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚି ପାରିଛି। ଏହି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହେଉଛନ୍ତି ଭଇଁଷା କଲେଜର ଅଧ୍ୟାପକ ପୁଞ୍ଜିଲାଲ ମେହେର ବୋଲି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି।

ଫେବ୍ରୁଆରି ୨୩ ତାରିଖରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ରବୀନ୍ଦ୍ରନାଥ ସାହୁଙ୍କ ଘରେ ଫୁଟିଥିଲା ପାର୍ସଲ ବୋମା। ଏହି ବିସ୍ଫୋରଣରେ ରବୀନ୍ଦ୍ରଙ୍କ ମାଆ ଜେମାମଣି ଏବଂ ପୁଅ ସୌମ୍ୟଶେଖରଙ୍କର ମୃତ୍ୟୁ ହୋଇଥିଲା। ବୋହୂ ରିମାରାଣୀ ଗୁରୁତର ଆହତ ହୋଇଥିଲେ।

ଏହି ଘଟଣାର ତଦନ୍ତ ପ୍ରଥମେ ବଲାଙ୍ଗିର ପୋଲିସ କରିଥିଲା। ଫେବ୍ରୁଆରି ୨୩ରୁ ଚାରିଆଡ଼େ ଛାନ୍‌ଭିନ୍ କରିଥିଲା ପୋଲିସ। ହେଲେ ଅଭିଯୁକ୍ତ ପାଖରେ ପହଞ୍ଚି ପାରିନଥିଲା। ଶେଷରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚ କରିଥିଲା ତଦନ୍ତ। ଠିକ୍ ଦୁଇ ମାସ ପରେ ହିଁ କ୍ରାଇମବ୍ରାଞ୍ଚ ଘଟଣା ଉପରୁ ପରଦା ହଟାଇଛି।

ଫେବ୍ରୁଆରି ୨୩ ତାରିଖରେ ବିସ୍ଫୋରଣ ଘଟିଥିବା ବେଳେ ଏପ୍ରିଲ ୨୩ରେ କ୍ରାଇମବ୍ରାଞ୍ଚ ମାଷ୍ଟରମାଇଣ୍ଡକୁ ଠାବ କରିଛି।

2_1519589430_1520547755

ସୌମ୍ୟରିମାଙ୍କ ସଂସାର ଛାରଖାର କରିଦେଲେ ସାର୍

ପିଲାଙ୍କୁ ପାଠ ପଢ଼ାଇ ମଣିଷ କରୁଥିବାରୁ ସାର୍‌ଙ୍କ ଆସନ ବହୁ ଉଚ୍ଚରେ। ହେଲେ ପାଟଣାଗଡ଼ ଭଇଁଷାସ୍ଥିତ ଜ୍ୟୋତିବିକାଶ କଲେଜର ଅଧ୍ୟାପକ ପୁଞ୍ଜିଲାଲ ମେହେର ସାର୍‌ ପଦବାଚ୍ୟରେ କଳଙ୍କ ଲଗାଇଛନ୍ତି। ବାହାଘରରେ ମୃତ୍ୟୁ ଉପହାର ପଠାଇ ପୁଞ୍ଜିଲାଲ ସାର୍ ନବବିବାହିତ ସୌମ୍ୟ-ରିମାଙ୍କ ପରିବାରକୁ ଛାରଖାର କରିଦେଇଛନ୍ତି। ଏବେ ପୁଞ୍ଜିଲାଲଙ୍କୁ କ୍ରାଇମବ୍ରାଞ୍ଚ ଅଧିକାରୀ କାବୁ କରି ନେଇଛନ୍ତି।

ମୃତ୍ୟୁ ଉପହାର କାହିଁକି ପଠାଇଲେ ପୁଞ୍ଜିଲାଲ?

ଭଇଁଷା କଲେଜ ଅଧ୍ୟାପକ ପୁଞ୍ଜିଲାଲ ମେହେର ହେଉଛନ୍ତି ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ। ତେବେ ଅଧ୍ୟାପକ କାହିଁକି ଏଭଳି ଜଘନ୍ୟ କାଣ୍ଡ ଘଟାଇଲେ ତାକୁ ନେଇ ଏବେ ବିଭିନ୍ନ ମହଲରେ ଆଲୋଚନା ଚାଲିଛି।

କୁହାଯାଉଛି ପୁଞ୍ଜିଲାଲ ଏବଂ ମୃତ ସୌମ୍ୟଶେଖରଙ୍କ ମା’ଙ୍କ ଭିତରେ ଅଧ୍ୟକ୍ଷ ପଦକୁ ନେଇ ଚାଲିଥିଲା ବିବାଦ। କାରଣ କଲେଜର ସ୍ଥାୟୀ ଅଧ୍ୟକ୍ଷ ହେବା ପାଇଁ ପୁଞ୍ଜିଲାଲ ଚାହୁଁଥିଲେ। ହେଲେ ସୌମ୍ୟଶେଖରଙ୍କ ମା’ ଏହି କଲେଜର ଅଧ୍ୟକ୍ଷ ହୋଇଯିବା ପରେ ଉଭୟଙ୍କ ଭିତରେ ବିବାଦ ବଢ଼ିଥିଲା। ଏଥିପାଇଁ ସେ ପୂରା ପରିବାରକୁ ହଟାଇ ଦେବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଏଣୁ ସୌମ୍ୟଶେଖରଙ୍କ ରିସେପସନ୍‌ରେ ଗିଫ୍ଟ ପାର୍ସଲରେ ମୃତ୍ୟୁର ଉପହାର ପଠାଇଥିଲେ। ପୂରା ପରିବାରକୁ ଉଡ଼ାଇ ଦେବା ପାଇଁ ଏହି ପାର୍ସଲ ବୋମା ଆସିଥିଲା। ହେଲେ ଏଥିରେ ସୌମ୍ୟ ଏବଂ ତାଙ୍କ ଜେଜେମା ପ୍ରାଣ ହରାଇଥିଲେ। ରିମାରାଣୀ ଆହତ ହୋଇଥିଲେ।

ପୁଞ୍ଜିଲାଲଙ୍କ ପାଖରେ କେମିତି ପହଞ୍ଚିଲା କ୍ରାଇମବ୍ରାଞ୍ଚ?

କ୍ରାଇମବ୍ରାଞ୍ଚ ହାତରେ ଏକ ଚିଠି ଲାଗିଥିଲା। ଏହି ଚିଠିକୁ ଆଧାର କରି କ୍ରାଇମବ୍ରାଞ୍ଚ ଟିମ୍‌ ୨୨ ତାରିଖରେ ସକାଳେ ପାଟଣାଗଡ଼ ମେହେରପଡ଼ାସ୍ଥିତ ବାସଭବନରୁ ପୁଞ୍ଜିଲାଲଙ୍କୁ ଉଠାଇ ଆଣିଥିଲା। ଦିନ ସାରା ପଚରା ଉଚରା କରିଥିଲା। ୨୩ ତାରିଖରେ ପୁଣି କ୍ରାଇମବ୍ରାଞ୍ଚ ପାର୍ସଲ ବୋମାର ତନଘନା କରି ଭଇଁସା ଜ୍ୟୋତିବିକାଶ କଲେଜରେ ପହଞ୍ଚିଥିଲା। କଲେଜର ସବୁ କର୍ମଚାରୀଙ୍କୁ ପଚରା ଉଚରା କରିଥିଲା।

ସନ୍ଧାନୀ କୁକୁରକୁ ନେଇ କ୍ରାଇମବ୍ରାଞ୍ଚ ଟିମ୍ ପୁଞ୍ଜିଲାଲଙ୍କ ଘରେ ଛାନ୍‌ଭିନ୍ କରିଥିଲା। ଶେଷରେ ତାଙ୍କ ଘରୁ ଅଧା ବ୍ୟାଗ୍ ବାରୁଦ ଜବତ କରିଥିଲା। ବାରୁଦ ଜବତ ହେବା ପରେ ସନ୍ଦେହ ଆହୁରି ବଢ଼ିଥିଲା।

wedding-couple

କ୍ରାଇମବ୍ରାଞ୍ଚ ହାତକୁ କେମିତି ଗଲା ତଦନ୍ତ ଭାର?

ବିସ୍ଫୋରଣ ପରେ ବଲାଙ୍ଗିର ପୋଲିସ ଖୋଳତାଡ଼ କରିଥିଲା। ସୌମ୍ୟଶେଖରଙ୍କ ପରିବାରବର୍ଗଙ୍କ ସମେତ କୋରିୟର ସଂସ୍ଥାର ମାଲିକଙ୍କୁ ପଚରା ଉଚରା କରିଥିଲା। ଛତିଶଗଡ଼ ରାୟପୁର ଏବଂ ସୌମ୍ୟଶେଖର ଚାକିରି କରୁଥିବା ବେଙ୍ଗଳୁରୁ ଯାଇଥିଲା ପୋଲିସ। ହେଲେ ବିସ୍ଫୋରଣର ଖିଅ ପାଇ ନଥିଲା। ମୃତ ସୌମ୍ୟଶେଖରଙ୍କ ମା’ ଏବଂ ସ୍ତ୍ରୀ ରିମାରାଣି ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିବା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ।

କେମିତି ଘଟିଥିଲା ଘଟଣା?

ଫେବ୍ରୁଆରି ୨୨ରେ ସୌମ୍ୟଶେଖର ଏବଂ ରିମାଙ୍କର ହୋଇଥିଲା ରିସେପସନ୍। ୨୩ ତାରିଖରେ ବାହାଘରରେ ମିଳିଥିଲା ଗିଫ୍ଟ ପ୍ୟାକେଟ ଖୋଲାଯାଇଥିଲା। ଏହି ସମୟରେ ଛତିଶଗଡ଼ ରାୟପୁରରୁ ଏକ ପାର୍ସଲ ଆସି ପହଞ୍ଚିଥିଲା। ଏହି ପାର୍ସଲ ଖୋଲୁ ଖୋଲୁ ବିସ୍ଫୋରଣ ଘଟିଥିଲା। ଫଳରେ ୩ ଜଣ ଗୁରୁତର ହୋଇଯାଇଥିଲେ। ପ୍ରଥମେ ଜେଜେମା ଜେମାମଣି ଏବଂ ପରେ ସୌମ୍ୟଶେଖରଙ୍କର ମୃତ୍ୟୁ ଘଟିଥିଲା। ରିମାଙ୍କ ଅବସ୍ଥା ଗୁରୁତର ହୋଇଯିବାରୁ ତାଙ୍କୁ କଟକ ଏସ୍‌ସିବି ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଏବେ ସେ ମେଡିକାଲରୁ ସୁସ୍ଥ ହୋଇ ଫେରିଛନ୍ତି।

 

Comment