ଓଡ଼ିଶାଲାଇଭ୍‌ ବ୍ୟୁରୋ

wedding-couple

ବଲାଙ୍ଗୀର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ରହସ୍ୟ ଉନ୍ମୋଚନ କରିବାରେ ସମର୍ଥ ହୋଇଛି କ୍ରାଇମବ୍ରାଞ୍ଚ ଟିମ୍। ଘଟଣାର ମାଷ୍ଟରମାଇଣ୍ଡ ହେଉଛନ୍ତି ଭଇଁସା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର।

ବହୁଚର୍ଚ୍ଚିତ ବଲାଙ୍ଗୀର ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ଶେଷରେ ଧରାପଡ଼ିଛି। ବହୁଦିନର ଖୋଳତାଡ଼ ପରେ ଭଇଁସା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଟିମ୍।

ଘଟଣାର ପର୍ଦ୍ଦାଫାସ ହେବା ପରେ ମୁହଁ ଖୋଲିଛନ୍ତି ଘଟଣା ଦିନ ଅଳ୍ପକେ ବର୍ତ୍ତି ଯାଇଥିବା ସୌମ୍ୟଶେଖରଙ୍କ ପତ୍ନୀ ରିମା।

“ପୁଞ୍ଜିଲାଲ୍ ଓ ତାର ସମସ୍ତ ସହଯୋଗୀଙ୍କୁ ଫାଶୀ ଦିଆଯାଉ। ମୋ ସଂସାର ଯିଏ ଭାଙ୍ଗିଛି ତା’ ସଂସାର ବି ସେମିତି ଭାଙ୍ଗିଯାଉ। ତାଙ୍କ ସ୍ତ୍ରୀ ବି ଜାଣୁ ସ୍ଵାମୀ ନଥିଲେ କେମିତି ଲାଗେ। ମୋ ନାଁରେ ସମସ୍ତେ କହୁଥିଲେ। ପ୍ରେମ ସମ୍ପର୍କ ଯୋଗୁଁ ଏମିତି ଘଟଣା ଘଟିଛି। ଏବେ ସାରା ଓଡ଼ିଶା ଜାଣୁ କିଏ ପ୍ରକୃତ ଦୋଷୀ”, କ୍ଷୋଭର ସହ ଏଭଳି କଥା କହିଛନ୍ତି ରିମା।

ସେହିପରି ରିମାଙ୍କ ବାପା ମଧ୍ୟ ଦୋଷୀ ଧରାପଡ଼ିବା ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ ବିସ୍ଫୋରଣ ପଛରେ ଝିଅର ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ହେବା ନେଇ ଦୁଃଖିତ ଥିଲୁ। ଯେହେତୁ ଘଟଣାର ଖୁଲାସା ହୋଇଛି ସେଥିପାଇଁ ଖୁସି। ଅଭିଯୁକ୍ତଙ୍କୁ ଫାଶି ଦିଆଯାଉ”।

ପାର୍ସଲ ବୋମା ଘଟଣାର ମୁଖ୍ୟ ମାଷ୍ଟରମାଇଣ୍ଡ୍ ପୁଞ୍ଜିଲାଲ୍ ମେହେର ଗିରଫ ହେବା ପରେ ତାଙ୍କ ପତ୍ନୀ ସୌଦାମିନି କହିଛନ୍ତି, “ ମୋ ସ୍ଵାମୀ ନିର୍ଦ୍ଦୋଶ। ସେ ଏପରି କାର୍ଯ୍ୟ କରିନାହାନ୍ତି”।

ଗତ ଫେବ୍ରୁଆରି ୨୩ ତାରିଖରେ ପାଟଣାଗଡ଼ରେ ଘଟିଥିଲା ପାର୍ସଲ ବୋମା ବିସ୍ଫୋରଣ। ସୌମ୍ୟଶେଖର ଓ ରିମାଙ୍କ ବାହାଘରର ୫ ଦିନ ପରେ କୋରିଅର ଜରିଆରେ ଏକ ଗିଫ୍ଟ ପାର୍ସଲ ଆସିଥିଲା। ଏହାକୁ ଖୋଲିବା ପରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା ଏଥିରେ ସୌମ୍ୟଶେଖର ଓ ତାଙ୍କ ଜେଜେମା’ ପ୍ରାଣ ହରାଇଥିଲେ। ରିମା ଗୁରୁତର ହୋଇ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ। କିଛିଦିନ ତଳେ ରିମା ସୁସ୍ଥ ହୋଇ ଘରକୁ ଫେରିଛନ୍ତି।