ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର: ବାଲେଶ୍ୱର ମେଡିକାଲ କଲେଜରେ ଚଳିତ ବର୍ଷ ଠାରୁ ଡାକ୍ତରୀ ପାଠପଢା ଆରମ୍ଭ ନେଇ ଆଶା ଉଜ୍ଜ୍ବଳ ହୋଇଛି। ମେଡିକାଲ କାଉନ୍ସିଲ ଅଫ୍ ଇଣ୍ଡିଆ (ଏମ୍ସିଆଇ)ର ୩ଜଣିଆ ପ୍ରତିନିଧି ଦଳ ସୋମବାର ଆସି ବାଲେଶ୍ୱର ମେଡ଼ିକାଲ କଲେଜ ଭିତ୍ତିଭୂମି ପରିଦର୍ଶନ କରି ଫେରିଯାଇଛନ୍ତି। ସ୍ଥିତି ଅନୁଧ୍ୟାନ କରି ସେମାନେ ଅନୁମତିପତ୍ର (ଏଲ୍ଓପି) ଦେଲେ କଲେଜରେ ନାମ ଲେଖାଯାଇ ପାଠପଢା ଆରମ୍ଭ ହେବ।
ଦୀର୍ଘଦିନର ଆନ୍ଦୋଳନ ଓ ଦାବି ପରେ ଉତ୍ତରଓଡ଼ିଶାବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇବା ଦେବା ଲାଗି ଏହି ମେଡିକାଲ କଲେଜ କାର୍ୟ୍ୟକ୍ଷମ ହେବା ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି।
ଏମ୍ସିଆଇର ୩ଜଣିଆ ପ୍ରତିନିଧି ଦଳ ନୂଆଦିଲୀରୁ ଆସି ସୋମବାର ପୂର୍ବାହ୍ନ ୯ଟାରେ ବାଲେଶ୍ୱରରେ ପହଞ୍ଚିଥିବା ପରେ ମେଡିକାଲ କଲେଜ ସୁପରିଣ୍ଟେଣ୍ଡେଣ୍ଟ ସୁଧିର କୁମାର ଘୋଷ ସେମାନଙ୍କୁ ସ୍ୱାଗତ କରିଥିଲେ। ସେମାନେ ୩ ଭାଗରେ ବିଭକ୍ତ ହୋଇ ମେଡ଼ିକାଲର ବିଭିନ୍ନ ବିଭାଗର ଭିତ୍ତିଭୂମି ଯାଞ୍ଚ କରିଥିଲେ।
ଏମ୍ସିଆଇ ପ୍ରତିନିଧି ଦଳ ୨୦୧୭ ନଭେମ୍ବର ୧୭ ତାରିଖରେ ଏହି ମେଡିକାଲ କଲେଜ ପରିଦର୍ଶନ ପାଇଁ ଆସିଥିଲେ। ଚଳିତବର୍ଷ କଲେଜରେ ନାମଲେଖା ଯିବ ବୋଲି ସରକାର ସୂଚନା ଦେଇଥିବା ବେଳେ ଏମ୍ସିଆଇ ଟିମର ଗସ୍ତ ବିଳମ୍ବ ହୋଇଥିବାରୁ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ମେଡିକାଲ କଲେଜ ନାମଲେଖା ପାଇଁ ଏଣ୍ଟ୍ରାନ୍ସ ପରୀକ୍ଷାର ସମୟ ପାଖେଇ ଆସିଥିବାରୁ ଏହି ପ୍ରତିନିଧି ଦଳଙ୍କ ଗସ୍ତ ଅନେକ ଆଶାର କିରଣ ବୁଣିଛି ବାଲେଶ୍ୱରବାସୀ ମନରେ।