ଗୀତା ଦାସ

ବାପା ମାଆ ଆଗ୍ରହୀ ହୋଇ ପିଲା ସାଙ୍ଗରେ ମିଶି ତା’କୁ ନୂଆ ବିଷୟ ଶିଖାଇଲେ ସେ ଆଗ୍ରହୀ ହୋଇ ଶିଖେ। ଗାଳି ଦେଇ ପଢ଼ା ଟେବୁଲ୍ ପାଖରେ ବସେଇରଖି ବହି ଘୋଷି ଶିଖିବାକୁ କହିଲେ ପିଲା ଘୋଷି ହୁଏତ ପରୀକ୍ଷାରେ ଭଲ କରିବେ; ମାତ୍ର ବିଶେଷ କିଛି ଶିଖିବେ ନାହିଁ।

ଯିଏ କଲେଜରେ  ବା ହାଇସ୍କୁଲରେ ପଢ଼ୁଛି, ପରୀକ୍ଷାରେ ଭଲ କଲେ ଭବିଷ୍ୟତ ଜୀବନରେ ଉନ୍ନତି ହେବ ଭାବି ରାତି ଅନିଦ୍ରା ହୋଇ ସେ କଷ୍ଟ ପାଠକୁ ମନପ୍ରାଣ ଦେଇ ପଢ଼ିପାରେ। ମାତ୍ର ପାଞ୍ଚରୁ ଦଶବର୍ଷ ବୟସର ପିଲା ଏପରି ସୁଦୂର ଲକ୍ଷ୍ୟ ଉପରେ ଦୃଷ୍ଟି ରଖି ପାଠପଢ଼ାରେ ମନ ଦେଇପାରନ୍ତି ନାହିଁ। ସାନ ପିଲା ପାଖ ଲୋକଙ୍କୁ ଅନୁକରଣ କରି ବିଭିନ୍ନ କାମ କରିବାକୁ ଓ ଶିଖିବାକୁ ଆଗ୍ରହୀ ହୁଏ।

ଘରେ ସଙ୍ଗୀତ ଚର୍ଚ୍ଚା ହେଉଥିଲେ ସେ ଗୀତ ଗାଇବାକୁ ବା ହାର୍‌ମୋନିୟମ୍ କିମ୍ବା ଡୁବିତାବଲା ବଜେଇବାକୁ ଆଗ୍ରହ ପ୍ରକାଶ କରେ। ଘରେ କାରିଗରୀ ବିଦ୍ୟାର ଚର୍ଚ୍ଚା ଥିଲେ ପିଲା ବଡ଼ମାନଙ୍କୁ ଦେଖି ଲୁଗା ବୁଣିବାରେ, କାଠ କାମ, ପଥର କାମ, କଂସା ପିତ୍ତଳର ମୂର୍ତ୍ତି ବା ବାସନ ତିଆରି ଇତ୍ୟାଦି ବିଦ୍ୟା ଶିଖିବାକୁ ଆଗ୍ରହୀ ହୁଏ। ଏ ବିଷୟରେ ତାକୁ ଉତ୍ସାହିତ କରିବା ପୂର୍ବରୁ ସେ ଏଥିରେ ମନ ବଳାଏ।

ପିଲାର ଲକ୍ଷ୍ୟ ହେଲା ନିଜର ବାହାଦୁରି ଦେଖେଇ ଅନ୍ୟମାନଙ୍କୁ ଚମତ୍କୃତ କରିବା। ଯେଉଁ ଗୋଷ୍ଠୀ ବା ଯେଉଁ ସମାଜରେ ସେ ବଢ଼େ, ସେମାନେ ଯେଉଁ ବିଦ୍ୟାକୁ ଆଦର କରନ୍ତି ପିଲା ସେହି ପ୍ରକାର ବିଦ୍ୟା ହାସଲ କରିବାକୁ ଚାହେଁ।

ବଡ଼ ହେଲା ପରେ ବୃହତ୍ତର ସମାଜର ସଂସ୍ପର୍ଶରେ ଆସି ତା’ର ଏହି ଲକ୍ଷ୍ୟରେ ପରିବର୍ତ୍ତନ ହୋଇପାରେ; ମାତ୍ର ମୂଳରୁ ପର ଲକ୍ଷ୍ୟ ହେଲା ଚାରିପାଖରେ ଲୋକଙ୍କର ପ୍ରଶଂସା ପାଇବା। ଏଥିଲାଗି ଆମେ ଦେଖୁ ଯେ ପିଲାଙ୍କୁ କେହି ବିଧିବଦ୍ଧ ଭାବରେ ନ ଶିଖାଇଲେ ମଧ୍ୟ ସେମାନେ ଅଳ୍ପ ବହୁତ କୁଳଗତ ବିଦ୍ୟା ଜାଣନ୍ତି। ବଢ଼େଇ କୁଳରେ ଧର୍ମପଦ ଓ ବାଣୁଆ କୁଳରେ ଏକଲବ୍ୟ ନିଜ ଚେଷ୍ଟାରେ ଶିକ୍ଷକ ବିନା କୁଳଗତ ବିଦ୍ୟା ଶିଖି ସେଥିରେ ଶୀର୍ଷସ୍ଥାନ ମଧ୍ୟ ଅଧିକାର କରିପାରିଛନ୍ତି।

ଲେଖାପଢ଼ା ଶିଖିବା ମଧ୍ୟ ସେହିପରି। ଆମେ ଯଦି ଚାହୁଁ ଆମ ପିଲା ପାଠୁଆ ହେବ, ତା’ହେଲେ ଘରେ ପାଠର ଚର୍ଚ୍ଚା ହେବା କଥା, ପାଠର ଆଦର ମଧ୍ୟ ଥିବା କଥା। ପିଲା ଯଦି ସବୁବେଳେ ଶୁଣିବ ପାଠ ପଢ଼ି କିଛି ଲାଭ ନାହିଁ, ଅଥଚ ତାକୁ ଆଦେଶ ଦିଆଯିବ ଯେ ତୁ ରାତି ୪ଟାରୁ ଉଠି ସଂସ୍କୃତ ଘୋଷିବୁ, ତେବେ ସେ ପରୀକ୍ଷାରେ ହୁଏତ ପାସ୍‌ କରିବ, ମାତ୍ର ପାଠୁଆ ହେବ ନାହିଁ।

ଆମ ଦେଶର ଅଧିକାଂଶ ଲୋକଙ୍କର ବହି କିଣିବାକୁ ପଇସା ନାହିଁ, ପାଖରେ ଲାଇବ୍ରେରୀ ନାହିଁ – ଏପରି ବହୁ ଅସୁବିଧା। ତଥାପି ଆମେ ବହିର ଅଭାବ ପୂରଣ କରିବା ଲାଗି ଇଛା କଲେ ନିଜ ପିଲାକୁ ଇତିହାସ, ରାଜନୀତି, କାବ୍ୟ କବିତା ଏସବୁ ବିଷୟ ମୁହଁରେ କହି ଶିଖାଇପାରିବା, ଗ୍ରହ ନକ୍ଷତ୍ର ଚିହ୍ନେଇପାରିବା, ଋତୁ ପରିବର୍ତ୍ତନ ହେତୁ ଚାଷର ହାନି ଲାଭ କହିପାରିବା, କାହିଁକି ଗଛ ପତ୍ର କାଟିଦେଲେ ବନ୍ୟା ବଢ଼ୁଛି ସେ କଥା ବୁଝାଇପାରିବା। ଟର୍ଚ୍ଚବତି କେଉଁଠାରୁ ଆଲୋକ ପାଉଛି ସେ କଥା ଦେଖେଇ ହେବ। ଧାନକୁଟା ମେସିନ୍‌ ପାଣିପମ୍ପ, ଇଲେକ୍ଟ୍ରିକ୍ ତନ୍ତ କେମିତି ଯନ୍ତ୍ର ସାହାଯ୍ୟରେ ଚାଲେ ସେ କଥା ଦେଖେଇ ଯନ୍ତ୍ରପାତି ବିଷୟରେ ଶିକ୍ଷା ଦେଇହେବ।

ପୁରୁଣା ରେଡିଓ ବା ଘଣ୍ଟା ମରାମତି କରିବାକୁ ଶିଖାଇଲେ ପିଲା ଶିଖିବାରେ ଆଗ୍ରହୀ ହେବ ଓ ନୂଆ ବିଦ୍ୟା ଆୟତ୍ତ କରି ନିଜକୁ ସମର୍ଥ ବୋଲି ଭାବିବ। ପରବର୍ତ୍ତୀ ଜୀବନରେ ଏ କଥା ସ୍କୁଲରେ ପଢ଼ିଲା ବେଳେ ସହଜରେ ବୁଝିପାରିବ ଓ ଅଧିକ କଥା ମଧ୍ୟ ଶିଖିପାରିବ। ବାପା ମାଆ ଆଗ୍ରହୀ ହୋଇ ପିଲା ସାଙ୍ଗରେ ମିଶି ତା’କୁ ନୂଆ ବିଷୟ ଶିଖାଇଲେ ସେ ଆଗ୍ରହୀ ହୋଇ ଶିଖେ। ଗାଳି ଦେଇ ପଢ଼ା ଟେବୁଲ୍ ପାଖରେ ବସେଇ ବହି ଘୋଷି ଶିଖିବାକୁ କହିଲେ ପିଲା ଘୋଷି ହୁଏତ ପରୀକ୍ଷାରେ ଭଲ କରିବେ; ମାତ୍ର ବିଶେଷ କିଛି ଶିଖିବେ ନାହିଁ। ଯାହା ମଧ୍ୟ ଶିଖିବେ ତା’କୁ ପ୍ରୟୋଗ କରିପାରିବେ ନାହିଁ।

ସବୁଠାରୁ ବଡ଼ କଥା ହେଲା, ପିଲା ମନରେ ‘ଶିଖିବା’ ପ୍ରତି ଆଗ୍ରହ ସଞ୍ଚାର କରିବେ। ନିଜେ କୌତୁହଳୀ ଓ ଆଗ୍ରହୀ ହୋଇ ଶିଖିଲେ ପିଲା ଅଳ୍ପ ବେଳରେ ବହୁତ କଥା ଶିଖନ୍ତି। ‘ବାଧ୍ୟ’ ହୋଇ ଶିଖିବାକୁ ପଡ଼ିଲେ କାମ ଚଳିଲା ପରି ଶିଖନ୍ତି।

(‘କୈଶୋରରୁ ଯୌବନ’ ମନୋବିଜ୍ଞାନୀ ଗୀତା ଦାସଙ୍କ ଏକ ଲୋକପ୍ରିୟ ପୁସ୍ତକ। ପିଲାଙ୍କ ମନୋବିଜ୍ଞାନକୁ ଆଧାରକରି ସେ ଏଥିରେ ଯେଉଁସବୁ ବିଷୟ ବର୍ଣ୍ଣନା କରିଛନ୍ତି ତାହା ଅଭିଭାବକ, ଶିକ୍ଷକ ଏବଂ ପିଲାଙ୍କ ମନସ୍ତତ୍ୱ ଉପରେ ରୁଚି ରଖୁଥିବା ଲୋକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିବ।)

Comment