ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ୬ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ।

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ୍ ମେହେରଙ୍କୁ ୬ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାରେ ଗୁରୁବାର ପୁଞ୍ଜିଲାଲଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ କ୍ରାଇମବ୍ରାଞ୍ଚ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡଙ୍କୁ ହେପାଜତକୁ ନେଇଛି। ୬ ଦିନ ଭିତରେ ପୁଞ୍ଜିଲାଲଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ ପଚାରିବ।

ଏଭଳି ଲୋମଟାଙ୍କୁରା ବିସ୍ଫୋରଣ ସେ ପୂର୍ବରୁ ଘଟାଇଥିଲେ ନା ଏହା ପ୍ରଥମ ଥର ପାଇଁ? ଜଣେ ଅଧ୍ୟାପକ ହୋଇ ଏଭଳି ଅସାମାଜିକ କାମ କରିବାକୁ କାହିଁକି ଚିନ୍ତା କଲେ? ଏମିତି ଅନେକ ପ୍ରଶ୍ନବାଣରେ କ୍ରାଇମବ୍ରାଞ୍ଚ ଅଧିକାରୀ ପୁଞ୍ଜିଲାଲଙ୍କୁ ଛନ୍ଦିବେ।

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରଙ୍କୁ କ୍ରାଇମବ୍ରାଞ୍ଚ ବୁଧବାର ଗିରଫ କରିଛି। କୋର୍ଟ ଚାଲାଣ କରି ରିମାଣ୍ଡରେ ନେଇଛି। କୋର୍ଟରୁ ଆସିବା ପରେ ପୁଞ୍ଜିଲାଲ ପାଟଣାଗଡ଼ ସବ୍‌ଜେଲ୍‌ରେ ରାତି କାଟିଥିଲେ। ତାଙ୍କୁ ଖାଇବା ପାଇଁ ପଚରା ଯାଇଥିଲେ ମଧ୍ୟ ସେ କିଛି ଖାଇବା ପାଇଁ ମନା କରିଦେଇଥିଲେ। ଶେଷରେ ସେ ବିସ୍କୁଟ ଖାଇ ରାତି କାଟିଥିଲେ। ସକାଳ ହେବା ପରେ ତାଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା।

ଦୁଇ ମାସର ଘାଣ୍ଟଚକଟ ପରେ ପାର୍ସଲ ବୋମା ବିସ୍ଫୋରଣ ଉପରୁ ପରଦା ହଟାଇଛି କ୍ରାଇମବ୍ରାଞ୍ଚ। ସୌମ୍ୟଶେଖର-ରିମାଙ୍କ ଜୀବନକୁ ଛାରଖାର କରିବା ପଛରେ କେବଳ ପୁଞ୍ଜିଲାଲଙ୍କ ହାତ ରହିଥିବା କ୍ରାଇମବ୍ରାଞ୍ଚ ପୋଲିସ ସ୍ପଷ୍ଟ କରିଛି। ସୌମ୍ୟଶେଖରଙ୍କ ମା’ଙ୍କଠାରୁ ପ୍ରତିଶୋଧ ନେବା ଆଶାରେ ପୁଞ୍ଜିଲାଲ ଏହି ଘୃଣ୍ୟ ଘଟଣା ଘଟାଇଥିଲା। ନିଜେ ବୋମା ତିଆରି କରିବା ସହ ରାୟପୁର ଯାଇ ନିଜେ ହିଁ ପାଟଣାଗଡ଼କୁ କୋରିୟର ମାଧ୍ୟମରେ ପାର୍ସଲ କରିଥିଲା। ଘରେ ବସି ଇଣ୍ଟରନେଟ୍‌ରୁ ଅଧ୍ୟାପକ ପୁଞ୍ଜିଲାଲ ବୋମା ତିଆରିର କୌଶଳ ଶିଖିଥିଲେ। ପ୍ରାୟ ୮ ମାସ ଧରି ସେ ଏହି ସୁଚିନ୍ତିତ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।

Comment