ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଷ୍ଟରବ୍ଲାଷ୍ଟର୍‌ ସଚିନ ତେନ୍ଦୁଲକର ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ୪୯ ଶତକ ଅର୍ଜନ କରିଛନ୍ତି। ତାଙ୍କର ଏହି ଅସାଧାରଣ ସଫଳତାକୁ ଟପିବାର ଏକମାତ୍ର ଦାବିଦାର ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି।

ବିରାଟ ଏପର୍ଯ୍ୟନ୍ତ ୩୫ ଶତକ ସହ ଦିନିକିଆ କ୍ରିକେଟ୍‌ର ସର୍ବାଧିକ ଶତକ ହାସଲକାରୀ ତାଲିକାରେ ସଚିନଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏଣୁ ସେ ହିଁ ସଚିନଙ୍କ ରେକର୍ଡକୁ ଭାଙ୍ଗିବେ ବୋଲି କ୍ରିକେଟ୍‌ ପଣ୍ଡିତମାନେ ଭବିଷ୍ୟବାଣୀ କରିଛନ୍ତି।

ସଚିନ ବି ଚାହାନ୍ତି ଜଣେ ଭାରତୀୟ ତାଙ୍କ ରେକର୍ଡ ଭାଙ୍ଗୁ। ନିଜ ମନ କଥାକୁ ସେ ଅନେକବାର ଖୋଲି କହି ସାରିଛନ୍ତି। କୋହଲି ୫୦ ଶତକ ଛୁଇଁଲେ ସଚିନ ତାଙ୍କୁ ନିଆରା ଉପହାର ଦେବେ ବୋଲି ନିକଟରେ ଘୋଷଣା କରିଛନ୍ତି।

ବୋରିଆ ମଜୁମଦାରଙ୍କ ପୁସ୍ତକ ‘ଇଲେଭେନ୍‌ ଗଡ୍ସ ଆଣ୍ଡ ଏ ବିଲିଅନ୍‌ ଇଣ୍ଡିଆନ୍ସ’ର ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ସଚିନ କହିଥିଲେ, “କୋହଲି ମୋ ରେକର୍ଡ ଭାଙ୍ଗିଲେ ମୁଁ ତାଙ୍କ ସହ ସାମ୍ପେନ୍‌ ପିଇବି। ମୁଁ ତାଙ୍କୁ ସାମ୍ପେନ୍‌ ପଠାଇବିନି। ନିଜେ ଯାଇ ତାଙ୍କ ସହ ମିଶି ପିଇବି”।

ପ୍ରତି ମ୍ୟାଚରେ ବିରାଟଙ୍କ ପ୍ରଦର୍ଶନକୁ ଦେଖି ମନେ ହେଉଛି ଖୁବଶିଘ୍ର ସେ ମାଷ୍ଟରବ୍ଲାଷ୍ଟର ସଚିନଙ୍କ ରେକର୍ଡକୁ ଟପିଯିବେ। କେବଳ ଶତକରେ ନୁହେଁ ରନ୍‌ରେ ମଧ୍ୟ ସଚିନଙ୍କୁ ଟପିବାର ସମ୍ଭାବନା ରହିଛି। ବିରାଟଙ୍କୁ ଏବେ ୨୯ବର୍ଷ। ଅତିକମ୍‌ରେ ସେ ଆଉ ୬-୭ବର୍ଷ କ୍ରିକେଟ ଖେଳିପାରିବେ। ଏହି ସମୟ ମଧ୍ୟରେ ସେ ସଚିନଙ୍କ ରେକର୍ଡକୁ ଭାଙ୍ଗିବାର ସମ୍ଭାବନା ରହିଛି।

Comment