ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁଟିଂ ସେଟରେ ବେଳେବେଳେ ଅଘଟଣ ଘଟିଥାଏ। ବଲିଉଡ୍ ଭଳି ଓଲିଉଡରେ ବି ସୁଟିଂ ସେଟରେ ନାୟକ ଆହତ ହେବାର ଘଟଣା ମଝିରେ ମଝିରେ ଶୁଣିବାକୁ ମିଳିଥାଏ। ଏଥିପାଇଁ ଅନେକ ସମୟରେ ଆହତ ନାୟକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥାଏ। ଆଉ କେତେକ ସମୟରେ ସୁଟିଂ ସେଟରେ ଆଘାତ ଲାଗିଲେ ବି ନାୟକ ସାହସରେ ସୁଟିଂ ଶେଷ କରିଥାନ୍ତି।

ଆସନ୍ତୁ ମନେ ପକାଇବା ସୁଟିଂ ସେଟରେ ଆହତ ହୋଇଥିବା ଏମିତି କିଛି ଓଲିଉଡ ହିରୋଙ୍କ କଥା….

ସିଦ୍ଧାନ୍ତ

ଓଲିଉଡର ମେଗା ଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏଯାଏଁ ଶତାଧିକ ସିନେମାରେ ଅଭିନୟ କରିସାରିଲେଣି। ତାଙ୍କ ଅଭିନୀତ ଓଡ଼ିଆ ଛବି ମଧ୍ୟରୁ ଗୋଟିଏ ହେଲା ‘ସମୟ ହାତରେ ଡୋରି’। ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ଚୌଧୁରୀ ତିଳୋତ୍ତମା ଦାସ ଓ ଚୌଧୁରୀ ପିଙ୍କି ଦାସ। ଚୌଧୁରୀ ଅଶୋକ ଦାସଙ୍କ ନିବେଦିତ ଏହି ଓଡ଼ିଆ ସିନେମାରେ ସିଦ୍ଧାନ୍ତଙ୍କ ବ୍ୟତୀତ ଅନୁଚୌଧୁରୀ, ଦେବଯାନୀ, ଦେବୁ ବୋଷ, ମିହିର ଦାସ, ଜୟୀରାମ ସାମଲ, ବ୍ରଜ ସିଂହ, ବିଜୟ ମହାନ୍ତି ଓ ନୟନତାରା ପ୍ରମୁଖ ଅଭିନୟ କରିଥିଲେ।

‘ସମୟ ହାତରେ ଡୋରି’ ରିଲିଜ୍ ହୋଇଥିଲା ୨୦୦୭ରେ। ଏହି ସୁଟିଂ ସେଟରେ ଏକ ଅଘଟଣ ଘଟିଥିଲା। ରାଉରକେଲାରେ ଏହି ଓଡ଼ିଆ ଫିଲ୍ମର ସୁଟିଂ ଚାଲୁଥାଏ। ରାଉରକେଲାର ସିଭିକ ସେଣ୍ଟରରେ ଫିଲ୍ମର ଏକ ଗୀତ ଦୃଶ୍ୟର ଚିତ୍ରଗ୍ରହଣ ଚାଲିଥାଏ। ସେତେବେଳକୁ ମାତ୍ର ଚାରିଟି ସଟ୍ ବାକି ଥାଏ। ଗୀତ ଦୃଶ୍ୟରେ ଅଭିନୟ କରୁଥିଲେ ସିଦ୍ଧାନ୍ତ ଓ ଅନୁ ଚୌଧୁରୀ। ଗୀତ ପିକଚରାଇଜେସନ୍ ବେଳେ ହଠାତ୍ ସୁଟିଂ ସେଟରେ ସିଦ୍ଧାନ୍ତଙ୍କ ଗୋଡରେ ଆଘାତ ଲାଗିଥିଲା।

ସୁଟିଂ ସେଟ୍‌ରେ ସିଦ୍ଧାନ୍ତଙ୍କ ଗୋଡ଼ରେ ଆଘାତ ଲାଗିବା ପରେ ସମସ୍ତେ ଭାବିଥିଲେ ବୋଧହୁଏ ସେଦିନ ଆଉ ସୁଟିଂ ହେବ ନାହିଁ। ହେଲେ ସିଦ୍ଧାନ୍ତ ଆଦୌ ଡରି ନଥିଲେ। ସେ ସାହସର ସହିତ ଦୁର୍ଘଟଣାର ମୁକାବିଲା କରିଥିଲେ। କିଛି ସମୟ ବିଶ୍ରାମ ପରେ ସଟ୍ ଦେବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ ସିଦ୍ଧାନ୍ତ। ସୁଟିଂ ସେଟ୍‌ରେ ପୁଣି ଖୁସିର ମାହୋଲ୍ ଆସି ଯାଇଥିଲା।

ଅନୁଭବ

ଓଲିଉଡର ଆଗ ଧାଡ଼ିର ଜଣେ ନାୟକ ହେଲେ ଅନୁଭବ ମହାନ୍ତି, ସେ ବି ଏକାଧିକ ବାର ସୁଟି ସେଟ୍‌ରେ ଆହତ ହୋଇଥିବା ଖବର ଚର୍ଚ୍ଚାର ବିଷୟ ହୋଇଛି। ଅନୁଭବ ‘ଆଇ- ଲଭ ୟୁ’ ସିନେମାରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ଇତିମଧ୍ୟରେ ସେ ପ୍ରାୟ ପନ୍ଦର ବର୍ଷ ଧରି ନିୟମିତ ଭାବେ ସିନେମାରେ କାମ କରୁଛନ୍ତି। ସୁଟିଂ ସେଟରେ ଅନୁଭବ ବି ଆଘାତ ପାଇଛନ୍ତି।

ଅନୁଭବ ମହାନ୍ତି ନିକଟରେ ଏକ ଓଡ଼ିଆ ସିନେମାର ସୁଟିଂ କରୁଥିଲେ। ଏହି ସିନେମା ହେଲା- ‘ପ୍ରେମ କୁମାର’। ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ସିନେମାର ନିର୍ଦ୍ଦେଶକ ହେଲେ ତାପସ ସରଘରିଆ।

ଅନୁଭବ ‘ପ୍ରେମ କୁମାର’ର ସୁଟିଂ କରୁଥିଲେ କଟକରେ। ଏକ ଦୃଶ୍ୟରେ ତାଙ୍କୁ ପାଣି ଟାଙ୍କି ଉପରକୁ ଡେଇଁବାର ଥିଲା। ଏହି ସଟ୍‌ ନେବା ସମୟରେ ଅନୁଭବ ଦେହରେ ଆଘାତ ଲାଗିଥିଲା। ଏହା ପରେ ସାଙ୍ଗେ ସାଙ୍ଗେ ସୁଟିଂ ବନ୍ଦ କରାଯାଇଥିଲା ଓ ସୁଟିଂ ସେଟ୍‌ରୁ ଅନୁଭବଙ୍କୁ ସିଧାସଳଖ କଟକର ଏକ ହସ୍ପିଟାଲକୁ ନିଆଯାଇଥିଲା।

ଅନୁଭବ ଏହା ପୂର୍ବରୁ ଅନ୍ୟ ଏକ ଓଡ଼ିଆ ଫିଲ୍ମର ସୁଟିଂ ସେଟ୍‌ରେ ବି ଆହତ ହୋଇଥିଲେ। ସେତେବେଳେ ତାହା ବି ଖୁବ୍ ଚର୍ଚ୍ଚାର ବିଷୟ ହୋଇଥିଲା।

ସବ୍ୟସାଚୀ

ଓଲିଉଡର ସୋବର ବୟ ହେଲେ ସବ୍ୟସାଚୀ। ସେ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଫିଲ୍ମ’ ‘ପାଗଳ ପ୍ରେମୀ’ ସିନେମାରୁ ଓଲିଉଡ଼ରେ ଏଣ୍ଟ୍ରି ଦେଇଥିଲେ। ତା’ ପରେ ସେ ନିୟମିତ ସୁଟିଂ ସେଟରେ ପହଞ୍ଚୁଛନ୍ତି ଫିଲ୍ମର ସୁଟିଂ ପାଇଁ।

ସୋବର ବୟ ସବ୍ୟସାଚୀଙ୍କ ଅଧିକାଂଶ ଫିଲ୍ମ ରୋମାଣ୍ଟିକ୍ ବା କମେଡ଼ି। ହେଲେ ସେ ବି ଆକ୍ସନ୍ ସିନ୍ ଦେଇଛନ୍ତି ସୁଟିଂ ସେଟ୍‌ରେ। ଏଥିପାଇଁ ସବ୍ୟସାଚୀ ବି ସୁଟିଂ ସେଟ୍‌ ଆଘାତ ପାଇଛନ୍ତି।

୨୦୧୬ରେ ରିଲିଜ୍ ହୋଇଥିଲା ସବ୍ୟସାଚୀଙ୍କ ଅଭିନୀତ ଏକ ସିନେମା, ଯାହାର ଟାଇଟଲ୍ ହେଲା ‘ହେଲା ମତେ ପ୍ରେମ ଜର’। ଏହାର ନିର୍ଦ୍ଦେଶନା ଦେଇଥିଲେ ଅମରେଶ ପତି। ଏଥିରେ ସବ୍ୟସାଚୀଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିଥିଲେ ଗ୍ଲାମରସ ଅର୍ଚ୍ଚିତା। ‘ହେଲା ମତେ ପ୍ରେମ ଜର’ର ସୁଟିଂ କଟକରେ ଚାଲିଥିବା ବେଳେ ହଠାତ୍‌ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ସୁଟିଂ ସେଟ୍‌ରେ ନାୟକ ସବ୍ୟସାଚୀ ଆହତ ହେବା ମାତ୍ରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଦିନ ସୁଟିଂ ବନ୍ଦ ହୋଇଥିଲା।

ସବ୍ୟସାଚୀ ଆହତ ହେବା କାରଣରୁ ‘ହେଲା ମତେ ପ୍ରେମ ଜର’ ନିର୍ଦ୍ଧାରିତ ସମୟରେ ରିଲିଜ୍ ହୋଇପାରିନଥିଲା। ଏହା ରିଲିଜ୍ ତାରିଖ ଟିକେ ଘୁଞ୍ଚି ଯାଇଥିଲା।

 

Comment