ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୪ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା।

ନିର୍ବାଚନୀ ସତ୍ୟପାଠକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ ଘଟଣାରେ କୋର୍ଟ ତାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦେଇଛନ୍ତି ନିର୍ଦ୍ଦେଶ। ମାମଲା ରୁଜୁ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍ କୋର୍ଟ।

ଜୁଲାଇ ୨୫ ସୁଦ୍ଧା ତଦନ୍ତ ଶେଷ କରି ରିପୋର୍ଟ ଦେବାକୁ କୋର୍ଟ ପୋଲିସକୁ କହିଛନ୍ତି।

୨୦୧୪ ନିର୍ବାଚନ ବେଳେ ସାଂସଦ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗରେ ଦର୍ଶାଯାଇଥିଲା ଯେ ଜନପ୍ରତିନିଧି ଆଇନ୍ ୧୨୫ (ଏ) ଧାରାରେ ସାଂସଦ ସତ୍ୟପାଠରେ ତଥ୍ୟ ଲୁଚାଇଛନ୍ତି। ବୈଜୟନ୍ତ ଇମ୍ଫା କମ୍ପାନିର ଉପାଧ୍ୟକ୍ଷ ଥାଇ ଦରମା ନେଉଥିଲେ। ହେଲେ ଏହାକୁ ସେ ସତ୍ୟପାଠରେ ଦର୍ଶାଇ ନଥିଲେ ବୋଲି ଆବେଦନକାରୀ ଦିଲ୍ଲୀପ ନାୟକ କୋର୍ଟରେ ଦର୍ଶାଇଥିଲେ। ତେବେ ଏହି ମାମଲାକୁ ଗ୍ରହଣ କରିଛନ୍ତି ଏସ୍‌ଡିଜେଏମ୍ କୋର୍ଟ।

ଏସ୍‌ଡିଜେଏମ୍ କୋର୍ଟରେ କେସ୍‌ ନମ୍ବର ୨୬୦/୨୦୧୮ ରେ ମାମଲା ରୁଜୁ ହୋଇଛି। ଆଇପିସି ଧାରା ୪୧୫ରୁ ୪୨୦ରେ ସାଂସଦଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏପଟେ ସାଂସଦଙ୍କ ଅଫିସ ତରଫରୁ ଅଭିଯୋଗକୁ ଖଣ୍ଡନ କରାଯାଇଛି। ବୈଜୟନ୍ତଙ୍କ ରାଜନୀତିକ ସଚିବ ଜ୍ୟୋତି ପ୍ରକାଶ ଘୋଷ କହିଛନ୍ତି, “ଏହି ଅଭିଯୋଗର କୌଣସି ସତ୍ୟତା ନାହିଁ। ଆଇନ ତା’ ବାଟରେ ଯିବ। ସତ୍ୟର ଜୟ ହେବ।”

Comment