ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଟାଉନ ଥାନାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ମାମଲା ରୁଜୁ ହୋଇଛି।

ଅଡ଼ୁଆରେ ପଡ଼ିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ୨୦୧୪ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ କରିବା ଅଭିଯୋଗରେ କେନ୍ଦ୍ରାପଡ଼ା ଟାଉନ ଥାନାରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। କେସ୍ ନମ୍ବର ୬୭/୨୦୧୮ରେ ମାମଲା ରୁଜୁ ହୋଇଛି। ସାଂସଦଙ୍କ ବିରୋଧରେ ଦଫା ୪୧୯ ଏବଂ ୪୨୦ ଲଗାଇଛି ପୋଲିସ। ଟାଉନ ଥାନା ଆଇଆଇସି ତପନ କୁମାର ନାୟକ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି।

୨୦୧୪ ନିର୍ବାଚନ ବେଳେ ବୈଜୟନ୍ତ ଇମ୍ଫା କମ୍ପାନିର ଉପାଧ୍ୟକ୍ଷ ପଦରେ ରହି ଦରମା ନେଉଥିଲେ। ହେଲେ ଏହା ସେ ୨୦୧୪ ନିର୍ବାଚନ ସତ୍ୟପାଠରେ ଦର୍ଶାଇ ନଥିଲେ। ଏନେଇ ଉଦତନଗର ଅଞ୍ଚଳର ଦିଲ୍ଲୀପ ମଲ୍ଲିକ କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍ କୋର୍ଟରେ ମାମଲା ରୁଜୁ କରିଥିଲେ। କୋର୍ଟ ଗୁରୁବାର ଦିନ ଏହି ମାମଲାକୁ ଗ୍ରହଣ କରିଛନ୍ତି।

କେନ୍ଦ୍ରାପଡ଼ା ଟାଉନ ଥାନାରେ ବୈଜୟନ୍ତଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶରେ ଆଜି ବୈଜୟନ୍ତଙ୍କ ନାଁରେ ମାମଲା ରୁଜୁ ହୋଇଛି। ଜୁଲାଇ ୨୫ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

Comment