ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଓଡ଼ିଶା ବାସଉପଯୋଗୀ ବସତି ମିଶନର ଶୁଭାରମ୍ଭ
  • ୧ ବର୍ଷରେ ୧୦ ଲକ୍ଷ ଲୋକଙ୍କୁ ମିଳିବ ଜମି ଅଧିକାର ପ୍ରମାଣପତ୍ର
  • ବସ୍ତିବାସିନ୍ଦାଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦିଆଯାଇଛି: ମୁଖ୍ୟମନ୍ତ୍ରୀ
  • ଟାଟା ଟ୍ରଷ୍ଟସ୍‌ଙ୍କ ସହଯୋଗରେ ବସ୍ତିଗୁଡ଼ିକୁ ବସତିଯୋଗ୍ୟ ବାସସ୍ଥାନରେ ପରିଣତ କରିବାର ଲକ୍ଷ୍ୟ

ସହରାଞ୍ଚଳ ବସ୍ତିବାସିନ୍ଦାକୁ ମିଳିଲା ଜମି ଅଧିକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଛତ୍ରପୁର ଷ୍ଟାଡିୟମରେ ଏହାର ଶୁଭାରମ୍ଭ କରିଛନ୍ତି। ଗଞ୍ଜାମ ଏବଂ ପୁରୀ ଜିଲ୍ଲାର ୯ଟି ପୌରାଞ୍ଚଳର ୨ ହଜାର ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରମାଣପତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ବସ୍ତିବାସିନ୍ଦାଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଛନ୍ତି ରାଜ୍ୟ ସରକାର। ଟାଟା ଟ୍ରଷ୍ଟସ୍‌ଙ୍କ ବୈଷୟିକ ସହଯୋଗରେ ବସ୍ତିଗୁଡ଼ିକୁ ବସତିଯୋଗ୍ୟ ବାସସ୍ଥାନରେ ପରିଣତ କରିବା ପାଇଁ ଏକ ମିଶନ ଆରମ୍ଭ କରାଯାଇଛି। ଏହି ମିଶନ୍ ମାଧ୍ୟମରେ ଆସନ୍ତା ୧ ବର୍ଷ ମଧ୍ୟରେ ଓଡ଼ିଶାର ୨୫ ଶହ ସହରାଞ୍ଚଳ ବସ୍ତିରେ ରହୁଥିବା ୧୦ ଲକ୍ଷ ଲୋକଙ୍କୁ ଉପକୃତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ ଉତ୍ସବରେ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ କରି ଓଡ଼ିଆ ଆଜି ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି। ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦିଆଯାଇଛି। ଗରୀବ ଏବଂ ଭୂମିହୀନ ବସ୍ତି ବାସିନ୍ଦାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଐତିହାସିକ ପଦକ୍ଷେପ ନିଆଯାଇଛି। ଏହି ଯୋଜନା ବସ୍ତି ବାସିନ୍ଦାଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାର ପ୍ରଦାନ କରିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଜମି ପଟ୍ଟା ପାଇଥିବା ବସ୍ତିବାସିନ୍ଦାଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏହି ଟଙ୍କାରେ ସେମାନେ ଘର ନିର୍ମାଣ କରିବେ। ଏହାସହ ବିଦ୍ୟୁତ ସଂଯୋଗ, ସ୍ୱାସ୍ଥ୍ୟବୀମା, ଶିକ୍ଷା, ପରିମଳ ବ୍ୟବସ୍ଥା ମଧ୍ୟ କରାଯିବ।

ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ ସମାରୋହରେ ଟାଟା ଟ୍ରଷ୍ଟସ୍‌ର ଅଧ୍ୟକ୍ଷ ରତନ ଟାଟା ଉପସ୍ଥିତ ଥିଲେ।

“ରାଜ୍ୟ ସରକାର ନେଇଥିବା ଐତିହାସିକ ପଦକ୍ଷେପକୁ ମୁଁ ସ୍ୱାଗତ କରୁଛି। ଏହି ଯୋଜନାରେ ସହରାଞ୍ଚଳ ବସ୍ତି ବାସିନ୍ଦା ଉପକୃତ ହେବେ।  ଏହି ଯୋଜନା ଲକ୍ଷ୍ୟସ୍ଥଳରେ ପହଞ୍ଚୁ”, କହିଛନ୍ତି ରତନ ଟାଟା।

ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରମାଣପତ୍ର ଦେବା ପାଇଁ ରାଜ୍ୟ ସରକାର ଗତ ମାର୍ଚ୍ଚ ମାସରେ ଟାଟା ଟ୍ରଷ୍ଟସ୍‌ ସହ ରାଜିନାମା ସ୍ୱାକ୍ଷର କରିଥିଲେ। ରାଜ୍ୟରେ କେତେ ଭୂମିହୀନ ଅଛନ୍ତି ଟାଟା ଟ୍ରଷ୍ଟସ୍‌ ପକ୍ଷରୁ ଫିଲ୍ଡ ସର୍ଭେ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ ସର୍ଭେରେ ଅଢ଼େଇ ଲକ୍ଷ ବସ୍ତିବାସିନ୍ଦାଙ୍କୁ ଚିହ୍ନଟ କରାଯାଇଛି।

ଜମି ପଟ୍ଟା ବଣ୍ଟନ ପ୍ରଦାନ ସମାରୋହରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ସୂର୍ଯ୍ୟ ନାରାୟଣ ପାତ୍ର, ବିଶିଷ୍ଟ ସ୍ଥପିତ ଲର୍ଡ ନରଗନ୍ ଫଷ୍ଟର ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ସ୍ୱାଗତ କରିଥିଲେ।

ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର, ମନ୍ତ୍ରୀ ଉଷା ଦେବୀ, ଉନ୍ନୟନ କମିଶନର ଆର୍ ବାଲାକ୍ରିଷ୍ଣନ ପ୍ରମୁଖ ଉପସ୍ଥିତ ଥିଲେ।

ଏନଏସିରେ ବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ୬୦୦ ସ୍କୋୟାର ଫୁଟ ଜମି, ମ୍ୟୁନିସିପାଲଟି ଅଞ୍ଚଳରେ ବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ୪୫୦ ସ୍କୋୟାର ଫୁଟ ଏବଂ ମହାନଗର ନିଗମରେ ବାସ କରୁଥିବା ହିତାଧିକାରୀଙ୍କୁ ୩୦୦ ସ୍କୋୟାର ଫୁଟର ଜମି ପ୍ରଦାନ କରାଯିବ।

Comment