ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମଥର ପାଇଁ ଭାରତ ଚୀନ ସହ ମୁକାବିଲା କରିବା ପାଇଁ ଆଣ୍ଡାମାନ ନିକୋବର ଦ୍ୱିପପୁଞ୍ଜରେ ଫାଇଟର୍ପ୍ଲେନ ନିୟୋଜିତ କରିବାକୁ ଯାଉଛି।

ଚୀନ୍ ପକ୍ଷରୁ ବଢ଼ୁଥିବା ବିପଦର ମୁକାବିଲା କରିବାକୁ ଭାରତ ସବୁ କ୍ଷେତ୍ରରେ ପ୍ରସ୍ତୁତି ଆରମ୍ଭ କରିଦେଇଛି। ସୀମା ସୁରକ୍ଷା ପାଇଁ ଅନେକ କିଛି ପଦକ୍ଷେପ ନେବାକୁ ଆଗେଇ ଆସିଛି ଭାରତ। ଦ୍ୱିତୀୟ ବିଶ୍ୱଯୁଦ୍ଧପରେ ପ୍ରଥମଥର ପାଇଁ ଭାରତ ଆଣ୍ଡାମାନ ଓ ନିକୋବର ଦ୍ୱିପପୁଞ୍ଜରେ ଫାଇଟର୍‌ ପ୍ଲେନ ନିୟୋଜିତ କରିବାକୁ ଯାଉଛି।

ମହତ୍ୱପୂର୍ଣ୍ଣ ମଲକ୍କା, ସୁନ୍ଦା, ଲୁମ୍ବୋକ ଓ ଓମ୍ବଇ ବେତାର ଜଳଡମରୁମଧ୍ୟ ସହ ହିନ୍ଦ୍ ମହାସାଗରର ପଶ୍ଚିମ ଇଲାକାରେ ନିଜ ସ୍ଥିତି ଜାହିର କରିବା ପାଇଁ ଭାରତ ଚାହୁଁଛି।

ମଲକ୍କା, ସୁନ୍ଦା, ଲୁମ୍ବୋକ ଦେଇ ନ୍ୟାରୋ ମାରିଟାଇମ୍‌ ରୁଟ୍‌ ରହିଛି। ଯାହା ଭାରତ ମହାସାଗର ସହ ଦକ୍ଷିଣ ଚୀନ୍‌ ସାଗରକୁ ସଂଯୋଗ କରୁଛି। ବିଶ୍ୱ ଅର୍ଥନୀତି ପାଇଁ ଏହି ରୁଟ୍‌ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ବିଶ୍ୱ କାରବାରର ୭୦ ପ୍ରତିଶତ ଏହି ରାସ୍ତା ଦେଇ ହୋଇଥାଏ।

ଗତ କିଛିବର୍ଷ ହେବ ଚୀନ୍‌ ଯୁଦ୍ଧତୋପ, ପଣ୍ଡୁବି ଓ ପରମାଣୁ କ୍ଷମତା ସମ୍ପର୍ଣ୍ଣ ପଣ୍ଡୁବି ଭାରତୀୟ ସମୁଦ୍ର ସୀମା ମଧ୍ୟକୁ ପ୍ରବେଶ କରିଥିବାର ନଜିର ରହିଛି। ଭାରତ ମହାସାଗରରେ ନିଜ ଆଧିପତ୍ୟ ବିସ୍ତାର କରିବା ଉଦ୍ଦେଶ୍ୟରେ ଚୀନ୍‌ ଏମିତି ଉଦ୍ୟମ ଚଳାଇଛି।

କିଛିଦିନ ପୂର୍ବେ ଭାରତୀୟ ସୀମାରେ ପ୍ରବେଶ କରିଥିବା ଚୀନ୍‌ର ଯୁଦ୍ଧତୋପର ଏକ ଫଟୋକୁ ଭାରତୀୟ ନୌସେନା ଟୁଇଟ୍‌ କରିଥିଲା। ଏହି ଟୁଇଟ୍‌ ଯୋଗେ ଭାରତ ଚୀନ୍‌କୁ ଚେତାଇ ଦେବାକୁ ଚାହିଁଛି ସେ ଚୀନ୍‌ର ସମସ୍ତ ଗତିବିଧି ଉପରେ ନଜର ରଖିଛି।

ଗତ କିଛିଦିନ ହେବ ସୀମାରେ ଚୀନର ଆକ୍ରମକ କାର୍ଯ୍ୟ ଦେଖି ଭାରତ ଆଣ୍ଡାମାନ ଓ ନିକୋବର ସୀମାରେ ସୈନ୍ୟ ମୃତୟନ କରିବାର ଯୋଜନା ରଖିଛି।

ଗତ ମାସରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚୀନ ଯାତ୍ରା ବେଳେ ସେଠାକାର ରାଷ୍ଟ୍ରପତି ଜିନ୍‌ପିଙ୍ଗଙ୍କ ସହ ଏକ ଅନୌପଚାରିକ ବାର୍ତ୍ତାଳାପ ହୋଇଥିଲା। ଦୁଇ ଦେଶ ବିବାଦିତ ସୀମା ରେଖାରେ ନିଜ ନିଜ ସୈନ୍ୟମାନଙ୍କୁ ଶାନ୍ତ ରଖିବା ପାଇଁ କଥା ହୋଇଥିଲେ।

Comment