ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇପିଏଲରେ ଏମିତି କିଛି ଖେଳାଳି ଖେଳୁଛନ୍ତି ଯେଉଁମାନେ ଜୀବନରେ ଖୁବ୍ ସଂଘର୍ଷ କରି କ୍ରିକେଟ ଖେଳିବାର ସୁଯୋଗ ପାଇଛନ୍ତି।

ଚାଲିଛି ଆଇପିଏଲ ମହାସମର। ଟି-ଟ୍ଵେଣ୍ଟିର ଏହି ମହାସମରରେ ଖେଳୁଛନ୍ତି ଅନେକ ଦେଶ-ବିଦେଶର ଖେଳାଳି। କୋଟିକୋଟି ଟଙ୍କାରେ ବିକ୍ରି ହୋଇଛନ୍ତି ଏହି ଖେଳାଳିମାନେ। ଭାରତ ଭଳି ଏକ କ୍ରିକେଟ୍‌ ପାଗଳ ଦେଶରେ ଦିନକୁ ଦିନ ହଜାର ହଜାର କ୍ରିକେଟର ବାହାରୁଛନ୍ତି। ଭାରତୀୟ ଦଳରେ ଚୟନ ନହେଲେ ମଧ୍ୟ ଆଇପିଏଲ ଖେଳି ବେଶ୍‌ ମୋଟା ରକମର ଅର୍ଥ ରୋଜଗାର କରିପାରୁଛନ୍ତି। ଆଇପିଏଲରେ ଏମିତି କିଛି ଖେଳାଳି ଖେଳୁଛନ୍ତି ଯେଉଁମାନେ ଜୀବନରେ ଖୁବ୍ ସଂଘର୍ଷ କରି କ୍ରିକେଟ ଖେଳିବାର ସୁଯୋଗ ପାଇଛନ୍ତି।

ଆସନ୍ତୁ ଜାଣିବା ସେମିତି କିଛି କ୍ରିକେଟରଙ୍କ ସମ୍ପର୍କରେ..

କେଦାର ଯାଦବ

ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ଛୋଟ ଗାଁରେ ଜନ୍ମ ନେଇଥିଲେ କେଦାର ଯାଦବ। ତାଙ୍କ ପିତା ମହାରାଷ୍ଟ୍ରର ରାଜ୍ୟ ବିଦ୍ୟୁତ୍‌ ବୋର୍ଡ଼ର ଜଣେ କିରାଣୀ। ତାଙ୍କ ଉପରେ ତିନି ଜଣ ବଡ଼ ଭଉଣୀ ଥିଲେ। ତେଣୁ ଆର୍ଥିକ ସ୍ୱଚ୍ଛଳତା ନଥିବାରୁ ସେ ପାଠ ପଢ଼ିବାକୁ ଅନିଚ୍ଛୁକ ଥିଲେ। ସେ ନବମ ଶ୍ରେଣୀ ପଯ୍ୟନ୍ତ ପାଠ ପଢ଼ିଛନ୍ତି। ସେ ପୁନେ କ୍ଲବ ତରଫରୁ ଭଲ କ୍ରିକେଟ ଖେଳୁଥିଲେ। ୨୦୦୪ରେ ୧୯ ବର୍ଷ କମ୍‌ କ୍ରିକେଟ ଦଳରେ ରାଜ୍ୟ ତରଫରୁ ଖେଳିବାର ସୁଯୋଗ ପାଇଲେ। ପରେ ସେ ମହାରାଷ୍ଟ୍ର ଦଳରେ ସାମିଲ ହେଲେ। ୨୦୧୨ ମସିହାରେ ଯାଦବ ୨୦୧୩-୧୪ ରଣଜୀ ଟ୍ରଫି ଖେଳି ତ୍ରିଶତକ ହାସଲ କରିଥିଲେ।

ସେ ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ୨୦୧୩ରେ ପ୍ରଥମ ଆଇପିଏଲ୍‌ ମ୍ୟାଚ ଖେଳିବାର ସୁଯୋଗ ପାଇଲେ। ଯାହା ଫଳରେ ୨୦୧୪ରେ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ପାଇଥିଲେ କେଦାର।

 ମହମ୍ମଦ ସିରାଜ

ଅଭାବ ଓ ଅସୁବିଧାରେ ବଢ଼ି ମଧ୍ୟ ସେ ନିଜ ପରିବାରର ପ୍ରେରଣାରେ କ୍ରିକେଟ ଜଗତରେ ପରିଚିତ ହାସଲ କରିପାରଛନ୍ତି ମହମ୍ମଦ ସିରାଜ। ପ୍ରଥମେ ସେ ଟିଭିରୁ ଖେଳ ଦେଖି ଉତ୍ସାହିତ ହୋଇ ଟେନିସ ବଲରେ ଖେଳ ଅଭ୍ୟାସ କରିଥିଲେ। ସିରାଜଙ୍କ ବାପା ହାଇଦ୍ରାବାଦର ଜଣେ ଅଟୋ ରିକ୍ସା ଚାଳକ।

୨୦୧୫ରୁ ନିଜର ଖେଳ ଜୀବନ ଆରମ୍ଭ କରିଥିଲେ ସିରାଜ। ରଣଜୀ ଟ୍ରଫିରେ ମାତ୍ର ୯ଟି ମ୍ୟାଚ୍ ଖେଳି ୪୧ଟି ୱିକେଟ ନେଇ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନିଜ ଦୃଢ଼ତା ଓ ମନୋବଳ ଜରିଆରେ ଘରୋଇ ଖେଳରେ ସଫଳତା ଅର୍ଜନ କରି ୨୦୧୭ରେ ଆଇପିଏଲ୍‌ ଖେଳିବାକୁ ବିବେଚିତ ହୋଇଥିଲେ। ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ ୨୦ ଲକ୍ଷ ଟଙ୍କା ଚୁକ୍ତି ଭିତ୍ତିରେ ଖେଳିବାକୁ ନେଇଥିଲେ ମଧ୍ୟ ସଫଳତା ପାଇଁ ୨.୬ କୋଟି ମୂଲ୍ୟ ଦେବାକୁ ଧାର୍ଯ୍ୟ କରିଛି।

ନାଥୁ ସିଂ

ନିଜର ଖେଳ ଜୀବନ ଟେନିସ ବଲରେ ଆରମ୍ଭ କରିଥିଲେ ନାଥୁ ସିଂ। ତାଙ୍କ ବାପା କାରଖାନାରେ କାମ କରନ୍ତି। ଛୋଟ ବେଳୁ ବହୁ ଅଭାବ ଅସୁବିଧା ବଢ଼ିଥିଲେ ନାଥୁ। ଗଳି କନ୍ଦିରେ ଖେଳି ସେ ଦକ୍ଷ ବୋଲର ହେବାକୁ ସଂକଳ୍ପ ନେଇଥିଲେ।

ରାଜସ୍ଥାନ ପକ୍ଷରୁ ରଣଜୀ ମ୍ୟାଚ୍‌ ଖେଳି ୮୭ ରନ୍‌ ଦେଇ ୭ଟି ୱିକେଟ ଅକ୍ତିଆର କରିଥିଲେ। ପରେ ଆଇପିଏଲ୍‌ ଖେଳିବାର ସୁଯୋଗ ମିଳିଥିଲା ତାଙ୍କୁ। ଅବଶ୍ୟ ସେ ଗ୍ଲେନ୍‌ ମ୍ୟାକଗ୍ରାଥଙ୍କଠାରୁ ଚେନ୍ନାଇଠାରେ ଆରଏଫପେସ ଏକାଡେମୀ ତରଫରୁ ପ୍ରଶିକ୍ଷଣ ନେଇଥିଲେ। ପରେ ୨୦୧୬ରେ ମୁମ୍ବାଇ ଇଣ୍ଡିଆନସ୍‌ ତାଙ୍କୁ ୩.୨ କୋଟି ଟଙ୍କାରେ କିଣି ନେଇଥିଲା।

ଟିନଟରାଜନ୍

ଥାଙ୍ଗାରାସୁ ନଟରାଜନ୍‌ ଛୋଟ ଥିବାବେଳେ ପରିବାର ଖୁବ୍‌ ଅଭାବରେ ଚଳୁଥିଲେ। ଛୋଟବେଳେ ସେ ବାପାଙ୍କ ସହିତ ଲୁଗା କାରଖାନାରେ କାମ କରିବାକୁ ଯାଉଥିଲେ। ତାଙ୍କ ମାଆ ରାସ୍ତାରେ ରୁଟି ବିକ୍ରି କରୁଥିଲେ। କୋଡ଼ିଏ ବର୍ଷ ବେଳକୁ ନଟରାଜନ୍‌ ଟେନିସ୍‌ ବଲରେ କ୍ରିକେଟ୍‌ ଖେଳ ଆରମ୍ଭ କରିଥିଲେ। ପରେ ଚେନ୍ନାଇ ଯାଇ ସେଠାରେ ବାମହାତୀ ପେସ୍‌ ବୋଲିଙ୍ଗ ଶିଖିବାକୁ ଲାଗିଲେ। ସେ ଜୋଲି ରୋଭର୍ସ କ୍ଲବରେ ଯୋଗଦାନ କଲେ। ଚେନ୍ନାଇରେ ରବି ଚନ୍ଦନ ଅଶ୍ୱିନ ଓ ମୁରଲୀ ବିଜୟଙ୍କ ତତ୍ତ୍ୱାବଧାନରେ ଚେନ୍ନାଇ ଦଳରେ ସାମିଲ ହେଲେ। ସେଠାରେ ସେ ପ୍ରିମିୟର ଲିଗ୍‌ ଖେଳି ନିଜ କ୍ୟାରିଅର ଆରମ୍ଭ କରିଥିଲେ।

କିଙ୍ଗସ୍‌ ଏକାଦଶ ପଞ୍ଜାବ ତରଫରୁ ୨୦୧୭ରେ ଆଇପିଏଲ୍‌ ଖେଳିବାକୁ ୩ କୋଟି ଟଙ୍କାରେ ଚୁକ୍ତିବଦ୍ଧ ହୋଇଥିଲେ ଟି-ନଟରାଜନ୍। ଏହି ୨୬ ବର୍ଷ ବୟସ୍କ ଖେଳାଳି ଚଳିତବର୍ଷ ସନ୍‌ରାଇଜର୍ସ ହାଇଦ୍ରାବାଦ ପାଇଁ ଆଇପିଏଲ ଖେଳୁଛନ୍ତି।

ମଞ୍ଜୁର ଦାର୍

ଜାମ୍ମୁ ଓ କାଶ୍ମୀର ଅଞ୍ଚଳର ଶ୍ରମିକ ଭାବରେ କାମ କରୁଥିବା ମଞ୍ଜୁର ଦାର୍‌ ୨୦୧୮ ଆଇପିଏଲ୍‌ ଖେଳିବାର ସୁଯୋଗ ପାଇଛନ୍ତି। ସେ ନିଜ ପରିବାରର ଭରଣପୋଷଣ ପାଇଁ ଅତିରିକ୍ତ ଆୟ ଆକାରରେ ପାଇବାକୁ ଖେଳୁଛନ୍ତି। ଅତୀତରେ ସେ ରାତି ଜଗୁଆଳୀ ଭାବେ ମଧ୍ୟ କାମ କରିଛନ୍ତି। ଡାହାଣହାତୀ ବ୍ୟାଟ୍ସମ୍ୟାନ ଭାବରେ ନିଜର ଚାରିଭାଇ ଓ ତିନି ଭଉଣୀଙ୍କୁ ମଣିଷ କରାଇବା ପାଇଁ ସେ ଖେଳକୁ ବାଛି ନେଇଛନ୍ତି। ୯ଟି ଟି-ଟ୍ଵେଣ୍ଟି ମ୍ୟାଚ୍‌ ଖେଳି ୩୦.୮୩ ହାରାହାରି ସ୍କୋର କରିଛନ୍ତି। ଗତ ବର୍ଷ ଜାନୁଆରିରେ କିଙ୍ଗସ୍‌ ଏକାଦଶ ପଞ୍ଜାବ ତରଫରୁ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଖେଳିବାକୁ ୬୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛନ୍ତି।

 

Comment