ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ବାଦବିବାଦ ପରେ ଆଜି ଚାଲିଛି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ। ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଘଟି ୭ଜଣଙ୍କ ମୃତ୍ୟୁ ଘଟିଛି।
ଚାଲିଛି ପଶ୍ଚିମବଙ୍ଗ ପଞ୍ଚାୟନ ନିର୍ବାଚନ। ଗୋଟିଏ ସପ୍ତାହର ଅନିଶ୍ଚିତତା ପରେ ସୋମବାର ସକାଳ ୭ଟାରୁ ଆରମ୍ଭ ହୋଇଛି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ। ରାଜ୍ୟର ଅନେକ ସ୍ଥାନରେ ହିଂସାକାଣ୍ଡ ଘଟି ବିଭିନ୍ନ ଦଳର ୭ କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ଘଟିଛି।
ଦକ୍ଷିଣ ୨୪ ପରଗନାଜ ଜିଲ୍ଲାରେ ୩, ମୁର୍ସିଦାବାଦରେ ୨, ନଦିଆ ଜିଲ୍ଲାରେ ଜଣେ ଓ ଉତ୍ତର ୨୪ ପରଗନାଜ ଜିଲ୍ଲାରେ ୧ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ଜଣ ସିପିଏମ୍, ଜଣେ ବିଜେପି ଓ ମୁର୍ସିଦାବାଦରେ ଜଣେ ର୍ନିଦଳୀୟ କର୍ମୀଙ୍କୁ ହତ୍ୟା କରାଯାଇଛି। ହିଂସାରେ ଅନେକ ଆହତ ହୋଇଥିବା ମଧ୍ୟ ଖବର ମିଳିଛି।
ବିଭିନ୍ନ ଦଳୀୟ କର୍ମୀଙ୍କ ମଧ୍ୟରେ ପଥର ମାଡ଼, ବୋମା ବିସ୍ଫୋରଣ ଫଳରେ କର୍ମୀମାନଙ୍କ ମୃତ୍ୟୁ ହୋଇଛି। ଏହାସହ ବାଲାଟ ପେପର ପୋଡ଼ାଜଳାକୁ କେନ୍ଦ୍ର କରି ମଧ୍ୟ ହିଂସାକାଣ୍ଡ ଘଟିଛି।
ସକାଳ ପ୍ରାୟ ୬ଟା ବେଳୁ ଲୋକେ ଲମ୍ବା ଧାଡ଼ି ବାନ୍ଧି ଭୋଟ୍ ଗ୍ରହଣ କେନ୍ଦ୍ର ସାମ୍ନାରେ ଠିଆ ହୋଇଥିବା ଦେଖାଯାଇଥିଲା। ବାଲଟ୍ ପେପର୍ ଜରିଆରେ ଭୋଟଗ୍ରହଣ ହେଉଛି।
ଶାନ୍ତିପୂର୍ଣ୍ଣ ଭାବେ ଭୋଟ୍ ଦାନ ପାଇଁ ବେଙ୍ଗଲ୍ ପୁଲିସ୍, ସିଭିକ୍ ଭଲ୍ୟୁଣ୍ଟର୍ସ ଏବଂ ସିକ୍କିମ୍, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ପୁଲିସ ସମେତ ପ୍ରାୟ ୧, ୫୪, ୫୦୦ ପୁଲିସକର୍ମୀ ମୁତୟନ କରାଯାଇଛନ୍ତି। ଝାଡ଼ଖଣ୍ଡ ପଟ ରାଜ୍ୟ ସୀମାକୁ ପୁଲିସ ସିଲ୍ କରି ଦେଇଛି।
ପଶ୍ଚିମବଙ୍ଗରେ ପ୍ରାୟ ୩୮, ୫୨୯ଟି ଆସନ ପାଇଁ ଭୋଟ୍ ଗ୍ରହଣ ଚାଲିଛି।

















