ଓଡ଼ିଶାଲାଇଭ୍ ବ୍ୟୁରୋ

୪୮ ଘଣ୍ଟାରେ ୭ ମାଓବାଦୀଙ୍କୁ ନିହତ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ।

ମାଓ ଦମନରେ ଓଡ଼ିଶା ପୋଲିସକୁ ମିଳିଛି ବଡ଼ ସଫଳତା। ୪୮ ଘଣ୍ଟା ମଧ୍ୟରେ ବଡ଼ ଧରଣର ଅପରେସନ କରି ଲାଲ କରିଡ଼ରକୁ ଛାରଖାରକୁ ହଲଚଲ କରିଦେଇଛନ୍ତି ଓଡ଼ିଶା ପୋଲିସର ଡିଭିଏଫ୍ ଏବଂ ଏସ୍‌ଓଜି ଯବାନ। ବଲାଙ୍ଗିରର ଡୁଡୁକାମାଲ ଏବଂ କନ୍ଧମାଳର ସୁଡ୍ରୁକୁମ୍ପା ଅଞ୍ଚଳରେ କମ୍ବିଂ ଅପରେସନ କରି ୭ ଜଣ ମାଓବାଦୀଙ୍କୁ ନିହତ କରିଛନ୍ତି।

ମୃତ ମାଓବାଦୀଙ୍କ ମଧ୍ୟରେ ବିବିଏମ୍ ଏବଂ କେକେବିଏନର ଜଣେ ଲେଖାଏଁ ଡିଭିଜନାଲ ଏବଂ ଏରିଆ କମିଟି ମେମ୍ବର ଅଛନ୍ତି। ଡିଭିଜନାଲ କମିଟି ମେମ୍ବର ପିଛା ୫ ଲକ୍ଷ ଟଙ୍କା ଏବଂ ଏରିଆ କମିଟି ମେମ୍ବର ପିଛା ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

ବଲାଙ୍ଗିରରରେ ଦୁଇ ଜଣ ହାର୍ଡକୋର୍ ମାଓବାଦୀଙ୍କୁ ଯବାନ ନିହତ କରିଥିବା ବେଳେ କନ୍ଧମାଳରେ ୫ ଜଣଙ୍କୁ ନିହତ କରିଛନ୍ତି। ୪୮ ଘଣ୍ଟା ଭିତରେ ୭ ଜଣ ମାଓବାଦୀଙ୍କୁ ନିହତ କରିବା ପରେ ପୋଲିସର ମନୋବାଳ ଦୃଢ଼ ହୋଇଛି। ଆଗାମୀ ଦିନରେ ଲାଲ ବାହିନୀକୁ ନିପାତ କରିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯିବ ବୋଲି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି।

୭ ଜଣ ମାଓବାଦୀଙ୍କୁ ନିହତ କରିବା ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି। ଟେଲିଫୋନ ଯେଗେ ଓଡ଼ିଶା ପୋଲିସର କାର୍ଯ୍ୟଧାରାକୁ ପ୍ରଶଂସା କରିଛନ୍ତି।

ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, “ମାଓ ଦମନ ଅପରେସନକୁ ଜୋରଦାର କରାଯିବ। ପଡ଼ୋଶୀ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡ଼ଖଣ୍ଡ ସହ ସମନ୍ୱୟ ରଖାଯାଇ ମାଓବାଦୀ ଦମନ ଅଭିଯାନକୁ ଆଗକୁ ବଢ଼ାଯିବ। ମାଓ ଅଧ୍ୟୁଷିତ ଜିଲ୍ଲା କୋରାପୁଟ, ମାଲକାନଗିରି, ନୂଆପଡ଼ା, କଳାହାଣ୍ଡି ଏବଂ ରାୟଗଡ଼ାରେ ଗୁଇନ୍ଦା ନେଟୱର୍କକୁ ସୁଦୃଢ଼ କରାଯିବ।”

Comment