ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଅ ଫେଲ ହେବା ସତ୍ତ୍ଵେ ଗାଁରେ ମିଠା ବାଣ୍ଟି ସେଲିବ୍ରେସନ କରିଛନ୍ତି ଜଣେ ଛାତ୍ରଙ୍କ ପିତା। ଏହା ପଛରେ ଏକ ମହତ ଉଦ୍ଦେଶ୍ୟ ରହିଛି।

ସଫଳତା ଓ ବିଫଳତା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ସଦୃଶ। କିନ୍ତୁ ଆଜିକାଲି ଛାତ୍ରଛାତ୍ରୀମାନେ ପରୀକ୍ଷାରେ ବିଫଳ ହେଲେ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ପଛାଉ ନାହାନ୍ତି। ଅନେକ କ୍ଷେତ୍ରରେ ଦେଖାଯାଉଛି ଯେ ପିତାମାତାଙ୍କ ଚାପ ଯୋଗୁଁ ବି ପିଲାମାନେ ଏଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି। ସେଭଳି ପିତାମାତାଙ୍କ ପାଇଁ ଉଦାହରଣ ସାଜିଛନ୍ତି ମଧ୍ୟପ୍ରଦେଶର ସୁରେନ୍ଦ୍ର ବ୍ୟାସ।

ସାଧାରଣତଃ ଦେଖାଯାଏ କି ପିଲାମାନେ କୌଣସି ସଫଳତା ପାଇଲା ପରେ ବାପା-ମା ମିଠା ଖୁଆଇ ଏହାକୁ ସେଲିବ୍ରେସନ କରିଥାନ୍ତି। କିନ୍ତୁ ମଧ୍ୟ ପ୍ରଦେଶରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ସାଗର ଜିଲ୍ଲାର ଏକ ଗାଁରେ ପୁଅ ଫେଲ୍‌ ହେବା ସତ୍ତ୍ଵେ ଛାତ୍ରର ପିତା ଗାଁରେ ବାଣ ଫୁଟାଇ, ମିଠା ଖୁଆଇ ଏହାକୁ ସେଲିବ୍ରେସନ କରିଛନ୍ତି। ଏହାପଛରେ ଏକ ମହତ ଉଦ୍ଦେଶ୍ୟ ମଧ୍ୟ ରହିଛି।

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ୧୦ମ ଶ୍ରେଣୀରେ ପଢ଼ୁଥିବା ଆଶୁ ବ୍ୟାସ ୬ଟି ବିଷୟରୁ ୪ଟି ବିଷୟରେ ଫେଲ୍‌ ହୋଇଛି। ଛାତ୍ରଙ୍କ ପିତା ସୁରେନ୍ଦ୍ର ପୁଅ ଉପରେ ରାଗିବା ପରିବର୍ତ୍ତେ ତା’ ବେକରେ ଫୁଲ ମାଳ ପକାଇ ଗାଁରେ ବୁଲାଇଛନ୍ତି। କେବଳ ଏତିକି ନୁହେଁ ବାଣ ଫୁଟାଇ ମିଠା ମଧ୍ୟ ବାଣ୍ଟିଥିଲେ ସୁରେନ୍ଦ୍ର।

ପୁଅ ଫେଲ୍‌ ହେବା ବିଷୟରେ ସୁରେନ୍ଦ୍ର କହନ୍ତି, ଜୀବନରେ ଗୋଟିଏ ବିଫଳତା ପାଇଁ ଜୀବନ ହାରିବା ଠିକ୍‌ କଥା ନୁହେଁ। ଆଶୁ ପୁଣିଥରେ ପରୀକ୍ଷା ଦେବ ଓ ଦଶମ ପାସ୍ କରିବ।

Comment