ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁଆଲାଲୁମ୍ପର ପରେ ଶ୍ରୀଲଙ୍କା ରାଜଧାନୀ କଲମ୍ବୋ ଏବଂ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌କୁ ବିମାନ ସେବା ଆରମ୍ଭ କରିବା ପାଇଁ ଏୟାର ଏସିଆ ରାଜ୍ୟ ସରକାରଙ୍କୁ ଦେଇଛି ପ୍ରସ୍ତାବ।

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ଏବଂ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକୁ ବିମାନ ସେବା ଆରମ୍ଭ ହେବ। ଏନେଇ ଏୟାର ଏସିଆ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଅନୁମତି ମିଳିବା ପରେ ଏହି ସେବା ଆରମ୍ଭ ହେବ।

ଏୟାର ଏସିଆ ପକ୍ଷରୁ ୨୦୧୭ ଏପ୍ରିଲ୍‌ ୨୬ରୁ ଭୁବନେଶ୍ୱରରୁ ସିଧାସଳଖ କୁଆଲାଲୁମ୍ପରକୁ ବିମାନ ଉଡ଼ାଣ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସପ୍ତାହକୁ ଦୁଇ ଦିନ କଆଲାଲୁମ୍ପରକୁ ବିମାନ ଚଳାଚଳ କରୁଥିଲା। ହେଲେ ପରବର୍ତ୍ତୀ ସମୟରେ ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସପ୍ତାହରେ ୭ ଦିନ ବିମାନ ଉଡ଼ାଣ ଆରମ୍ଭ କରିଥିଲା। କୁଆଲାଲୁମ୍ପରକୁ ସିଧାସଳଖ ବିମାନସେବା ଆରମ୍ଭ ହେବା ପରେ ଦକ୍ଷିଣ ଏସୀୟ ଦେଶ ସମୂହ ସହ ଓଡ଼ିଶାର ସମ୍ପର୍କ ବେଶ୍ ଉଚ୍ଚତାକୁ ଯାଇପାରିଛି।

ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, “କଲମ୍ବୋ ଏବଂ ବ୍ୟାଙ୍କକୁ ବିମାନ ଉଡ଼ାଣ ଆରମ୍ଭ କରିବା ପାଇଁ ଏୟାର ଏସିଆ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏ ବିଷୟରେ ସରକାର ଆଲୋଚନା କରୁଛନ୍ତି। ଅନୁମତି ମିଳିବା ପରେ ଭୁବନେଶ୍ବରରୁ ଏୟାର ଏସିଆ ଏହି ଉଡ଼ାଣ ଆରମ୍ଭ କରିବ।”

ପର୍ଯ୍ୟଟନ ବିଭାଗ ସଫଳତା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ତୀର୍ଥ ଯାତ୍ରା ଯୋଜନାରେ ବରିଷ୍ଠ ନାଗରିକମାନଙ୍କୁ ବିଭିନ୍ନ ତୀର୍ଥସ୍ଥାନଗୁଡ଼ିକ ଭ୍ରମଣରେ ନିଆଯାଉଛି। ଚଳିତ ବର୍ଷ ବିଭାଗ ପକ୍ଷରୁ ୫ଟି ତୀର୍ଥ ଯାତ୍ରା ଟ୍ରେନ ଚାଲିବ। ଜଙ୍ଗଲ ବିଭାଗ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ସହଭାଗିତାରେ ମଙ୍ଗଳାଯୋଗଡ଼ିରେ ପ୍ରଥମ ଜାତୀୟ ବିହଙ୍ଗ ଉତ୍ସବର ଆୟୋଜନ କରାଯାଇଛି।

୨୦୧୩ ଅକ୍ଟୋବର ୩୧ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦର ଅନ୍ତର୍ଜାତୀୟ ବିମାନବନ୍ଦରର ମାନ୍ୟତା ପାଇଥିଲା। ତେବେ ଏହାର ୪ ବର୍ଷ ପରେ ହିଁ ଭୁବନେଶ୍ୱର ବାସ୍ତବରେ ଅନ୍ତର୍ଜାତୀୟ ବିମାନବନ୍ଦର ହେବାର ସୁଯୋଗ ହାସଲ କରିଥିଲା। ଏ଼ୟାର ଏସିଆ ପକ୍ଷରୁ ପ୍ରଥମେ କୁଆଲାଲୁମ୍ପରକୁ ବିମାନ ସେବା ଆରମ୍ଭ ହେବା ପରେ ଏୟାର ଇଣ୍ଡିଆ ପକ୍ଷରୁ ୨୦୧୭ ଡିସେମ୍ବର ୧୦ରେ ବ୍ୟାଙ୍କକ୍‌କୁ ବିମାନ ସେବା ଆରମ୍ଭ ହୋଇଥିଲା।

Comment